ଦୃଷ୍ଟିହୀନ ଜାତୀୟ ‘ଏ’ ଚେସ୍‌ରେ ଓଡ଼ିଆଙ୍କ ଚମକ:ସୌନ୍ଦର୍ଯ୍ୟ ତୃତୀୟ, ଶୁଭେନ୍ଦୁ ପଞ୍ଚମ, ପ୍ରାଚୁର୍ଯ୍ୟ ଷଷ୍ଠ

ସମ୍ବଲପୁର: ମୁମ୍ବାଇର ଅନ୍ଧେରି ସ୍ପୋର୍ଟସ କଂପ୍ଲେକ୍ସରେ ଅନୁଷ୍ଠିତ ଦୃଷ୍ଟିହୀନ ଜାତୀୟ ‘ଏ’ ଚେସ୍‌ରେ ଓଡ଼ିଆ ତାରକା ସୌନ୍ଦର୍ଯ୍ୟ ପ୍ରଧାନ ତୃତୀୟ ସ୍ଥାନ ଲାଭ କରିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ଶୁଭେନ୍ଦୁ କୁମାର ପାତ୍ର ପଞ୍ଚମ ଓ ସୌନ୍ଦର୍ଯ୍ୟଙ୍କ ବଡ଼ ଭାଇ ପ୍ରାଚୁର୍ଯ୍ୟ ପ୍ରଧାନ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ଉକ୍ତ ପ୍ରତିଯୋଗିତାର କନିଷ୍ଠ ବୟସ ବର୍ଗ ଖେଳାଳିଙ୍କ ମଧ୍ୟରେ ସୌନ୍ଦର୍ଯ୍ୟ ପ୍ରଥମ ହୋଇଥିଲା ବେଳେ ପ୍ରାଚୁର୍ଯ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। କର୍ଣ୍ଣାଟକ ତାରକା କିସନ ଗାଙ୍ଗୁଲି ପଞ୍ଚମ ଥର ପାଇଁ ଦୃଷ୍ଟିହୀନ ଜାତୀୟ ‘ଏ’ ଚେସ୍‌ରେ ବିଜେତା ହୋଇଛନ୍ତି। ୧୩ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୧୦.୫ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିଲାବେଳେ ଗୁଜରାଟର ଅଶ୍ୱିନ ମକଓ୍ଵାନା ୯.୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ପାଇଥିଲେ। ସୌନ୍ଦର୍ଯ୍ୟ ୧୩ ରାଉଣ୍ଡରୁ ୯ ପଏଣ୍ଟ ପାଇ ତୃତୀୟ ହୋଇଥିଲେ। ସେମାନେ ପୁରସ୍କାର ବାବଦକୁ ଟ୍ରଫି ସହ ଯଥାକ୍ରମେ ୫୧ ହଜାର, ୩୧ ହଜାର ଓ ୨୧ ହଜାର ଟଙ୍କାର ପୁରସ୍କାର ଲାଭ କରିଥିଲେ। ସେହିପରି ୮.୫ ପଏଣ୍ଟ ପାଇ ମହାରାଷ୍ଟ୍ରର ଆର୍ୟନ ଯୋଶୀ ଚତୁର୍ଥ, ୭.୫ ପଏଣ୍ଟ ପାଇ ଶୁଭେନ୍ଦୁ ପଞ୍ଚମ ସ୍ଥାନରେ ରହିଛନ୍ତି ଓ ଯଥାକ୍ରମେ ୧୧ ହଜାର ଓ ୮ ହଜାର ଟଙ୍କାର ପୁରସ୍କାର ପାଇଥିଲେ।

ପ୍ରାଚୁର୍ଯ୍ୟ ୧୩ ରାଉଣ୍ଡରୁ ୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହି ୫ ହଜାର ଟଙ୍କାର ଅର୍ଥ ପୁରସ୍କାର ଲାଭ କରିଥିଲେ। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀ ଜୁଲାଇରେ ବୁଲଗାରିଆରେ ହେବାକୁ ଥିବା ବିଶ୍ୱ ଦଳଗତ ଚେସ୍‌ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ। ଉକ୍ତ ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ସୌନ୍ଦର୍ଯ୍ୟ ଓ ଶୁଭେନ୍ଦୁ ସାମିଲ ହେବେ। ସେହିପରି କନିଷ୍ଠ ବର୍ଗର ପ୍ରଥମ ତିନି ସ୍ଥାନରେ ରହିଥିବା ସୌନ୍ଦର୍ଯ୍ୟ, ଆର୍ଯ୍ୟନ ଏବଂ ପ୍ରାଚୁର୍ଯ୍ୟ ଅଗଷ୍ଟରେ ପୋଲାଣ୍ଡରେ ଖେଳା ଯିବାକୁ ଥିବା କନିଷ୍ଠ ବିଶ୍ୱ ଦୃଷ୍ଟିହୀନ ଚେସ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାତୀୟ ପ୍ରତିଯୋଗିତା ସମୟରେ ଚେସ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ଏବଂ ଅନ୍ୟତମ ଭାରତୀୟ ସୁପର ଗ୍ରାଣ୍ଡ ମାଷ୍ଟର ବିଦିତ ଗୁଜରାଟୀ ପ୍ରତିଯୋଗିତାସ୍ଥଳକୁ ଆସି ସମସ୍ତ ପ୍ରତିଯୋଗୀଙ୍କ ସହ କଥାବାର୍ତା କରିଥିଲେ ଓ ଖେଳ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର