ସବୁ ପାଗରେ ବୋଲିଂ ଆକ୍ରମଣ, ବିଦେଶରେ ଉନ୍ନତ ବ୍ୟାଟିଂ ଭାରତକୁ ଶକ୍ତିଶାଳୀ କରିଛି: ହେସନ୍‌

ହାମିଲଟନ୍‌: ସବୁ ପାଗରେ ଭଲ ବୋଲିଂ କରିବା ଭଳି ଆକ୍ରମଣ ଏବଂ ବିଦେଶରେ ଦ୍ରୁତ ବୋଲିଂ ବିପକ୍ଷରେ ବ୍ୟାଟସମ୍ୟାନ୍‌ଙ୍କ ଉନ୍ନତ ପ୍ରଦର୍ଶନ ହିଁ ଭାରତକୁ ଏକ ଶକ୍ତିଶାଳୀ ଦଳ ଭାବେ ଉଭା କରିଛି ବୋଲି ପ୍ରକାଶ କରିଛନ୍ତି ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ମାଇକ୍ ହେସନ୍‌। ଆସନ୍ତା ଆଇପିଏଲ୍‌ ଋତୁ ପାଇଁ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆର୍‌ସିବି)ର ଦାୟିତ୍ବ ନେବାକୁ ଯାଉଥିବା ହେସନ୍‌ କହିଛନ୍ତି ନ୍ୟୁଜିଲାଣ୍ଡ୍‌ରେ ୫-୦ ବିଜୟ ପ୍ରମାଣିତ କରିଛି ଭାରତୀୟ ଖେଳାଳିମାନେ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ। ‘ଭାରତୀୟ ଦଳ ବର୍ତ୍ତମାନ ଏକ ଉନ୍ନତ ଦଳ ଏବଂ ପ୍ରତିଦିନ ସେମାନେ ଉନ୍ନତି କରୁଛନ୍ତି। ସେମାନଙ୍କ ବୋଲିଂ ଆକ୍ରମଣ ବିଶ୍ବବ୍ୟାପୀ ବିଭିନ୍ନ ପାଗ ପାଇଁ ସୁହାଉଛି, ପେସର୍‌ ଓ ସ୍ପିନରମାନେ ଭଲ କରୁଛନ୍ତି। ଯାହାକି ପୂର୍ବରୁ ନ ଥିଲା। ଏହି ଶୃଙ୍ଖଳା ବିଜୟ ସେମାନଙ୍କୁ ଚଳିତ ବର୍ଷ ନିଶ୍ଚିତ ବିଶ୍ବକପ୍‌ରେ ସହାୟକ (ଟି-୨୦ ବିଶ୍ବକପ୍‌, ଅଷ୍ଟ୍ରେଲିଆ) ହେବ ବୋଲି ହେସନ୍‌ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ବୁଧବାରଠାରୁ ଭାରତ ହାମିଲଟନ୍‌ରୁ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ଖେଳିବ। ଏହା ପରେ ଖେଳାଯିବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ଲଢ଼େଇ ଭିନ୍ନ‌ ହେବ ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧିତ ଖବର