ମହିଳା ଟି-୨୦ ବିଶ୍ବକପ୍‌ରୁ ବ୍ୟବହାର ହେବ ଫ୍ରଣ୍ଟ୍‌ ଫୁଟ୍‌ ନୋ ବଲ୍‌ ନିୟମ ଟେକ୍‌ନୋଲୋଜି

ବଦଳିଲା ସୁପର୍‌ ଓଭର ନିୟମାବଳି

ଲଣ୍ଡନ୍‌: ଚଳିତ ମାସରେ ଖେଳାଯିବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ରୁ ନୂଆ ଟେକ୍‌ନୋଲୋଜି ‘ଫ୍ରଣ୍ଟ୍‌ ଫୁଟ୍‌ ନୋ ବଲ୍‌’ ଚିହ୍ନଟ କରାଯିବ। ଟେଲିଭିଜନ୍‌ ଅମ୍ପାୟାର୍‌ ହିଁ ଏ ସମ୍ପର୍କରେ ପଡିଆ ଅମ୍ପାୟାରଙ୍କୁ ପ୍ରତି ବଲ୍‌ ପରେ ଯୋଗାଯୋଗ କରିବେ। ମହିଳା ବିଶ୍ବକପ୍‌ଠାରୁ ପ୍ରତି ଆଇସିସି ଇଭେଣ୍ଟ୍‌ରେ ଏହା ପ୍ରଣୟନ କରାଯିବ। ବୋଲରଙ୍କ ଓଭର ଷ୍ଟେପ୍‌ ନୋ ବଲ୍‌ ନିଷ୍ପତ୍ତି ଏ ପର୍ଯ୍ୟନ୍ତ ପଡିଆ ଅମ୍ପାୟାରଙ୍କ ଦାୟିତ୍ବ ଥିଲା। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ମୋଟ ୧୨ ମ୍ୟାଚ୍‌ରେ ପରୀକ୍ଷାମୂଳକ ଭାବେ ଏହାକୁ ପ୍ରଣୟନ କରାଯିବା ପରେ ଚୂଡାନ୍ତ ନିୟମ କରାଯାଇଛି। ସମସ୍ତ ନିଷ୍ପତ୍ତି ସଠିକ ରହିଥିଲା ବୋଲି ଆଇସିସି ମହାପ୍ରବଂଧକ ଜିଓଫ୍‌ ଆଲାର୍ଡିସ୍‌ ପ୍ରକାଶ କରିଛନ୍ତି। ୨୦୧୬ ମସିହାର ଇଂଲଣ୍ଡ-ପାକିସ୍ତାନ ଦିନିକିଆ ଶୃଙ୍ଖଳାରୁ ଏହା ଆରମ୍ଭ କରାଯିବା ପରେ ଢେର ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ‌‌‌ଫେବ୍ରୁଆରି ୨୧ରୁ ଅଷ୍ଟ୍ରେଲିଆରେ ମହିଳା ବିଶ୍ବକପ୍‌ ଆରମ୍ଭ ହେଉଛି।

ସୁପର୍‌ ଓଭର ନିୟମାବଳି ବଦଳିଲା
୨୦୧୯ ମସିହାର ଆଇସିସି ୫୦ ଓଭରିଆ ବିଶ୍ବକପ୍‌ର ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ ଫାଇନାଲ୍‌ ମ୍ୟାଚ୍‌ ସୁପର୍‌ ଓଭରରେ ଶେଷ ହେବା ପରେ ବହୁ ସମାଲୋଚନା ହୋଇଥିଲା। ପ୍ରଂଶସକ ଏବଂ କ୍ରିକେଟ୍‌ ପଣ୍ଡିତଙ୍କ କଟୁ ସମାଲୋଚନା ଆଗରେ ଆଇସିସି ମୁଣ୍ଡ ନୂଆଁଇଛି। ସୁପର୍‌ ଓଭର ପାଇଁ ଥିବା ପୂର୍ବ ନିୟମକୁ ପରିବର୍ତନ କରି ଏଣିକି ଫଳାଫଳ ମିଳିବା ପର୍ଯ୍ୟନ୍ତ ଏକାଧିକ ସୁପର୍‌ ଓଭର ଖେଳାଯାଇ ପାରିବ ବୋଲି ନିୟମ କରିଛି। କିନ୍ତୁ ଟି-୨୦ରେ ଡବଲ୍‌ ‌ହେଡର୍‌ (ଦିନକୁ ୨ ମ୍ୟାଚ୍‌) ଖେଳାଯିବା ଭଳି ପରିସ୍ଥିତି‌ରେ ସୁପର୍‌ ଓଭର ସଂଖ୍ୟାକୁ ସୀମିତ କରାଯାଇପାରିବ ବୋଲି ଆଇସିସି କୋହଳ କରିଛି। ଏ ସମ୍ପର୍କରେ ଘରୋଇ ଦେଶ ଭ୍ରମଣକାରୀ ଦେଶର କ୍ରିକେଟ୍ ବୋର୍ଡକୁ ପୂର୍ବରୁ ଜଣାଇଥିବ। ନୂଆ ସୁପର୍‌ ଓଭର ନିୟମ ଦକ୍ଷିଣ ଆଫ୍ରିକାର ଆଗାମୀ ଦୁଇ ଶୃଙ୍ଖଳାରୁ (ବନାମ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ) ପ୍ରଚଳିତ ହେବାକୁ ଯାଉଛି। ସମୟ ଧାର୍ଯ୍ୟର ବାଧ୍ୟବାଧକତା ନ ଥିଲେ ଅସୀମିତ ସୁପର୍‌ ଓଭର ଖେଳାଯାଇ ପାରିବ ବୋଲି ଆଇସିସି ସ୍ପଷ୍ଟ କରିଛି। କିନ୍ତୁ ମୂଳ ମ୍ୟାଚ୍‌ ଟାଇ ହେବାର ୫ ମିନିଟ୍‌ ମଧ୍ୟରେ ସୁପର୍‌ ଓଭର ଆରମ୍ଭ କରାଯିବ। ପାଗଜନିତ ବାଧା ଉପୁଜିଲେ ଏହାକୁ ସେତିକି ସମୟ ବଢ଼ାଯିବ।

ସମ୍ବନ୍ଧିତ ଖବର