ନୀଳ ସୁଟ୍ ପିନ୍ଧିବ ଭାରତୀୟ ଦଳ

ଆଉ ୩୪ ଦିନ

ମୁମ୍ବାଇ: ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍‌ରେ ଭାରତୀୟ ଖେଳାଳି ନୀଳ ବ୍ଲେଜର, ନୀଳ ଟ୍ରାଉଜର ସହ ଧଳା ସାର୍ଟ ପିନ୍ଧିବେ। ସାର୍ଟ ଛାତି ପକେଟରେ ବିସିସିଆଇ ଲୋ‌ଗୋ ରହିବ। ଏହି ସ୍ବତନ୍ତ୍ର ସୁଟ୍‌ର ତିଆରି ଆରମ୍ଭ ହୋଇଯାଇଛି। ଭାରତୀୟ ବିଶ୍ବକପ୍ ଦଳର ଅଧିକାଂଶ ଖେଳାଳି ସଂପ୍ରତି ଆଇପିଏଲ୍ ଖେଳୁଥିବାରୁ ଦରଜୀମାନେ ସେମାନଙ୍କ ପାଖକୁ ଯାଇ ମାପ ନେଇଛନ୍ତି। ଭାରତୀୟ ଦଳକୁ ଶେଷ ଥର ପାଇଁ ଗତବର୍ଷର ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପୂର୍ବରୁ ବ୍ଲେଜର ମିଳିଥିଲା। ବିଶ୍ବକପ୍ ପୂର୍ବରୁ ସେମାନଙ୍କୁ ନୂଆ ବ୍ଲେଜର ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଖେଳାଳିମାନେ ବିଶ୍ବକପ୍ ବେଳେ ଯେମିତି ସ୍ମାର୍ଟ ଓ ସୁନ୍ଦର ଦେଖାଯାଆନ୍ତି, ସେ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଇଂଲଣ୍ଡ ପରିବେଶକୁ ଆଖି ଆଗରେ ରଖି ଏହି ବ୍ଲେଜର, ଟ୍ରାଉଜର ଏବଂ ସାର୍ଟ ପାଇଁ କପଡ଼ା ବଛା ଯାଇଛି। ଭାରତୀୟ ଖେଳାଳିମାନେ ପୂର୍ବରୁ ବିଦେଶୀ ବ୍ରାଣ୍ଡର ସୁଟ୍ ପିନ୍ଧୁଥିଲେ। ଇଂଲଣ୍ଡରେ କିନ୍ତୁ ଏକ ଦେଶୀ ବ୍ରାଣ୍ଡର ସୁଟ୍ ପିନ୍ଧିବେ। ଏହି ସୁଟ୍ ସେମାନେ ବିଶ୍ବକପ୍‌ ଅବସରରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ପିନ୍ଧିବେ।

ସମ୍ବନ୍ଧିତ ଖବର