ନୂଆଦିଲ୍ଲୀ: ଭାରତର ଶୀର୍ଷ କ୍ରୀଡ଼ାବିତ୍‌ ସଚିନ୍‌ ତେନ୍ଦୁଲକର, ବିରାଟ କୋହଲି ଓ ଅଲିମ୍ପିକ ପଦକଧାରୀ ପିଭି ସିନ୍ଧୁଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଛି। ପୂର୍ବରୁ ଏହି ଟିକ୍‌ କିଛି ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଧିକାରୀ, ସେଲିବ୍ରିଟି ମାନଙ୍କୁ ମାଗଣାରେ ଦିଆଯାଉଥିଲା ଏବଂ ଏହାଦ୍ବାରା ବାସ୍ତବ ଆକାଉଣ୍ଟ ବିଷୟରେ ଜଣାପଡୁଥିଲା। ହେଲେ ଯେବେଠାରୁ ଟ୍ବିଟରକୁ ଟେସ୍‌ଲା ସିଇଓ ଏଲନ୍‌ ମସ୍କ ଅଧିଗ୍ରହଣ କରିଛନ୍ତି ସେବେଠାରୁ ବ୍ଲୁ ଟିକ୍‌କୁ ଦେୟଯୁକ୍ତ କରିଦିଆଯାଇଛି। ଯେଉଁମାନେ ଗୁରୁବାରଠାରୁ ମାସିକିଆ ସବ୍‌ସ୍କ୍ରିପ୍‌ସନ୍‌ କରିନାହାନ୍ତି, ସେମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଥିବା ସୂଚନା ଦିଆଯାଇଛି।

Advertisment

ଏସଂପର୍କରେ ବୁଧବାରଠୁ ଟ୍ବିଟର ପକ୍ଷରୁ ମଧ୍ୟ ଏହାର ଅଫିସିଆଲ୍‌ ଆକାଉଣ୍ଟରେ ଅବଗତ କରାଯାଇଥିଲା। ତେବେ ଉକ୍ତ ତିନି କ୍ରୀଡ଼ାବିତ୍‌ଙ୍କ ବ୍ୟତୀତ କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ, ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା, ବକ୍ସର ବଜରଙ୍ଗ ପୁନିଆ, କୁସ୍ତିବିତ୍‌ ଭିନେଶ ଭୋଗତ, ନିଖତ ଜରିନ୍‌, ସାନିଆ ମିର୍ଜା, ସୁନୀଲ ଛେତ୍ରୀ, ପିଆର୍‌ ଶ୍ରୀଜେଶଙ୍କ ଭଳି ଅନେକ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ାବିତ୍‌ଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଛି। ପୁଣି ରୋଜର ଫେଡେରର୍‌, ରାଫେଲ ନାଦାଲ, କ୍ରିଷ୍ଟିଆନୋ ରୋନାଲ୍ଡୋ, କିଲିଆନ୍‌ ଏମ୍‌ବାପେ, ଷ୍ଟଫେନ୍‌ କରି ମଧ୍ୟ ଏହି ନିୟମର ଶିକାର ହୋଇଛନ୍ତି। ତେବେ ଯେଉଁ ଟ୍ବିଟର ଆକାଉଣ୍ଟଧାରୀମାନେ ୱେବ୍‌ରେ ଏହାକୁ ବ୍ୟବହାର କରିବେ ସେମାନଙ୍କୁ ମାସିକ ୬୫୦ ଟଙ୍କା ଓ ମୋବାଇଲ୍‌ରେ ହେଲେ ୯୦୦ ଟଙ୍କା ଦେଇ ସବ୍‌ସ୍କ୍ରାଇବ୍‌ କରିବାକୁ ପଡ଼ିବ ବୋଲି ଟ୍ବିଟର ପକ୍ଷରୁ କୁହାଯାଇଛି।