ସେଲିବ୍ରିଟି ଟେନିସ୍ ବଲ୍ କ୍ରିକେଟ୍‌ରେ ବିଏମ୍‌ଏସ୍‌ସି ବିଜେତା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁଣ୍ଟରି ୱାର୍କ’ ଓ ‘କର ଫାଉଣ୍ଡେସନ୍‌’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୬ସ୍ଥିତ ପ୍ରଗତି ସ୍ପୋର୍ଟିଂ ପଡ଼ିଆରେ ଆୟୋଜିତ ଦ୍ୱିତୀୟ ‘ସେଲିବ୍ରିଟି ଚାରିଟି ଟେନିସ୍ ବଲ୍ କ୍ରିକେଟ୍‌’ ପ୍ରତିଯୋଗିତାରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ କ୍ଲବ (ବିଏମ୍‌ଏସ୍‌ସି) ବିଜେତା ହୋଇଛି। ଫାଇନାଲରେ ଏହି ଦଳ ଅଭିନେତା ଏକାଦଶକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଭିନେତା ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ୍ ବିନିମୟରେ ୬୮ ରନ୍ କରିଥିବା ବେଳେ ବିଏମ୍‌ଏସ୍‌ସି ମାତ୍ର ୬ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ପୂର୍ବରୁ ଖେଳିଥିବା ଉଦଘାଟନୀ ମ୍ୟାଚ୍‌ରେ ସମାଜସେବୀ ଦଳକୁ ବିଏମ୍‌ଏସ୍‌ସି ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରାଜନେତା ଏକାଦଶକୁ ଅଭିନେତା ଏକାଦଶ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

ପ୍ରତିଯୋଗିତା ଅବସରରେ ଖେଳାଳିମାନେ ନିଜ ନିଜ ଟି-ସାର୍ଟରେ ‘ରକ୍ତଦାନ ଜୀବନ ଦାନ’, ‘ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ’, ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା’, ‘ମାନବ ସେବା ହିଁ ମାଧବ ସେବା’ ଆଦି ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରଣଜୀ ତାରକା ସତ୍ୟରଞ୍ଜନ ଶତପଥୀ, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ମହମ୍ମଦ ଅଲିମ୍‌, ଅଭିନେତା ତଥା କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଚନ୍ଦନ କର, ସମାଜସେବୀ ରୁଦ୍ର ସାମନ୍ତରାୟ, ସତ୍ୟଭାମା ଦେବୀ କଲେଜର ଅଧ୍ୟକ୍ଷା ନିରଜା ଲକ୍ଷ୍ମୀ ମହାପାତ୍ର, ସ୍ବନାମଧନ୍ୟ ହାସ୍ୟାଭିନେତା ହାଡ଼ୁଭାଇ, ଚୌଧୁରୀ ଜୟପ୍ରକାଶ, ଶଙ୍କର ପ୍ରଧାନ, ଭିକାରୀ ଭାଇ, ରବି କୁମାର, ଜ୍ଞାନ ବାରିକ, ଅଭିନେତା ହର ରଥ, ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଅଭିନେତା ଦୁଷ୍ମନ୍ତ ପଣ୍ଡା, ସୁର ତ୍ରିପାଠୀ, ମୁକେଶ, ରାକେଶ, ଅଙ୍କିତ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଗତି ସ୍ପୋର୍ଟିଂର ଟୁନା ସାହୁ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଶେଷରେ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ‘ୟୁଥ୍ ଫର୍ ଭଲ୍ୟୁଣ୍ଟରି ୱାର୍କ’ ଅଧ୍ୟକ୍ଷ ମୀର ଅହମଦ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର