ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ରେ ଭାରତ ୨୦୯ ରନ୍ରେ ପରାଜିତ ହେବା ପରେ ରୋହିତ ଶର୍ମାଙ୍କ ନେତୃତ୍ବ ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ରଣନୀତି ଉପରେ ଏକାଧିକ କ୍ରିକେଟର୍ ପ୍ରଶ୍ନ ଉଠାଇଲେଣି। ପୂର୍ବରୁ ଏକାଧିକ ଥର ଏହି ଯୋଡ଼ିଙ୍କୁ ସମାଲୋଚିତ କରିଥିବା ପୂର୍ବତନ କ୍ରିକେଟର୍ ସୁନିଲ ଗାଭାସ୍କର ଏଥର ପୁଣି ଥରେ ଭାରତର ପରାଜୟ ପାଇଁ ଉଭୟଙ୍କୁ ଦାୟୀ କରିବା ସହ ସେମାନଙ୍କୁ ପରାଜୟ ସଂକ୍ରାନ୍ତରେ ଚୟନକର୍ତ୍ତା ଓ ବିସିସିଆଇ ପ୍ରଶ୍ନ ପଚାରିବା ଉଚିତ ବୋଲି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମର ଆଲୋଚନାଚକ୍ରରେ ଯୋଗଦେଇ ଗାଭାସ୍କର କହିଛନ୍ତି ଯେ, ପ୍ରଥମେ କ୍ଷେତ୍ରରକ୍ଷଣ ପାଇଁ କାହିଁକି ନିଷ୍ପତ୍ତି ନିଆଗଲା? ଯଦିଓ ଟସ୍ ସମୟରେ ପାଣିପାଗ ପରସ୍ଥିତିକୁ ଦେଖି ଏଭଳି କରିଛନ୍ତି ବୋଲି ରୋହିତ ପ୍ରତିକ୍ରିୟା ରଖିଥିଲେ, ତଥାପି ଏହା ଉପରେ ବିଶ୍ଲେଷଣ କରାଯିବା ଆବଶ୍ୟକତା ଥିଲା।
ସେହିପରି ସର୍ଟ ବଲ୍ ପ୍ରତି ଟ୍ରାଭିଡ୍ ହେଡ୍ଙ୍କ ଦୁର୍ବଳତା ରହିଥିବା କ’ଣ କେହି ଜାଣିନଥିଲେ କି ବୋଲି ପଚରାଯାଉ ବୋଲି ସେ କହିଥିଲେ। ଯେତେବେଳେ ହେଡ୍ ୮୦ ରନ୍ କଲେ ସେତେବେଳେକୁ ବାଉନ୍ସର ପକାଯାଇଥିଲା। ଯେତେବେଳେ ହେଡ୍ ବ୍ୟାଟିଂ କରିବାକୁ ଆସିଥିଲେ, ଭାଷ୍ୟକାର ବକ୍ସରେ ରିକି ପଣ୍ଟିଂ ବାଉନ୍ସର ପକାଇବା ପାଇଁ ବାରମ୍ବାର କହୁଥିଲେ। ଏବିଷୟରେ ସମସ୍ତେ ଜାଣିଥିଲେ, ହେଲେ କେହି ବି ବାଉନ୍ସର ପକାଇନଥିଲେ। ଯଦି ମୁଁ (ଗାଭାସ୍କର) ବକ୍ସରେ ଥା’ନ୍ତି ତା’ହଲେ କେବେବି ଭାରତୀୟ ଖେଳାଳିଙ୍କ ଦୁର୍ବଳତାକୁ ପ୍ରକାଶ କରିନଥାନ୍ତି। ତେଣୁ ଭାରତୀୟ ଦଳର ଏପରି ପ୍ରଦର୍ଶନ ଉପରେ ଚୟନକର୍ତ୍ତା ଓ ବୋର୍ଡର ସଦସ୍ୟମାନେ ପ୍ରଶ୍ନ କରିବା ଆବଶ୍ୟକ ବୋଲି ଗାଭାସ୍କର କହିଥିଲେ। ସୂଚନାଯୋଗ୍ୟ, ଭାରତୀୟ ଦଳ ୨୦୧୩ ପରଠୁ କୌଣସି ଆଇସିସି ଟ୍ରଫି ଜିତିନାହିଁ।