ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ନିର୍ବାଚନରେ ସାମିଲ ହେବେ ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ନିର୍ବାଚନ ପାଇଁ ଭୋଟର ଭାବେ ଯାଜପୁର ଜିଲ୍ଲାରୁ ତାଙ୍କ ନାମ ଓସିଏକୁ ପଠାଯାଇଛି। ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ବବିଙ୍କ ନାମ ଯାଜପୁରରୁ ଆସିଥିବା କୁହାଯାଉଛି। ତେବେ ସେ କୌଣସି ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସେହିପରି ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଥର କ୍ଲବ୍‌ ବଦଳାଇ ରାଇଜିଂ ‌ଷ୍ଟୁଡେଣ୍ଟ୍‌ ପରିବର୍ତ୍ତେ ଜୟଦୁର୍ଗାରୁ ପ୍ରତିନିଧି ଭାବେ ଓସିଏ ସାଧାରଣ ବୈଠକରେ ଉପସ୍ଥିତ ରହିବେ। ମଙ୍ଗଳବାର ଓସିଏ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ୭୩ ଜଣିଆ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି।

Advertisment

ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି କଟକ ଜିଲ୍ଲାକୁ ଓ ସମ୍ପାଦକ ସଂଜୟ ବେହେରା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ୍‌କୁ ପ୍ରତିନିଧିତ୍ବ କରିବେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଗତ ଥରର ପରାଜିତ ସମ୍ପାଦକ ପ୍ରାର୍ଥୀ ନବରଂଜନ ପଟ୍ଟନାୟକ ସନସାଇନ୍‌ କ୍ଲବ୍‌ ତରଫରୁ ଭୋଟ ଦେବେ। ଏହାବାଦ୍‌ ଆନ୍ତର୍ଜାତିକ କ୍ରିକେଟର୍‌ ଦେବାଶିଷ ମହାନ୍ତି, ସଂଜୟ ରାଉଳ, ଶିବସୁନ୍ଦର ଦାସଙ୍କ ନାମକୁ ମଧ୍ୟ ଭୋଟର ତାଲିକାରେ ସ୍ଥାନ ଦିଆଯାଇଛି।

ହାଇକୋର୍ଟ ଗଲେ ସାରଦା
ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି) କ୍ଲବ୍‌ର ପ୍ରତିନିଧିଙ୍କୁ ନେଇ ଦୀର୍ଘଦିନରୁ ଚାଲିଆସୁଥିବା ବିବାଦ ଏବେ ଅଦାଲତକୁ ଟାଣି ହୋଇଯାଇଛି। ସରକାରୀ ପ୍ରେସ୍‌ ନିର୍ଦ୍ଦେଶକଙ୍କ ଚିଠିରେ ସାରଦା ପ୍ରସାଦ ମହାନ୍ତିଙ୍କ ନାମକୁ ଗ୍ରହଣ କରିବାକୁ ଓସିଏକୁ କୁହାଯାଇଥିଲା। କିନ୍ତୁ ନିର୍ବାଚନ ପାଇଁ ପ୍ରକାଶିତ ହୋଇଥିବା ଚିଠା ତାଲିକାରେ ବୀରେନ୍ଦ୍ର କୁମାର ବେହେରାଙ୍କ ନାମ ପ୍ରକାଶ ପାଇଛି। ଗତ ୨୦୧୯ ନିର୍ବାଚନରେ ମଧ୍ୟ ନିର୍ଦ୍ଦେଶକଙ୍କ ଅନୁମୋଦନ ସତ୍ତ୍ବେ ସାରଦାଙ୍କ ନାମକୁ ବାଦ୍‌ ଦିଆଯାଇ ବୀରେନ୍ଦ୍ରଙ୍କ ନାମକୁ ନିର୍ବାଚନ ଅଧିକାରୀ ଗ୍ରହଣ କରିଥିଲେ। ଚଳିତ ଥର ସମାନ ଘଟଣା ହେବା ଆଶଙ୍କା କରି ଓସିଏ ବିରୋଧରେ ସାରଦା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କିଛି ଦିନ ତଳେ ଓସିଏର ସ୍ବତନ୍ତ୍ର ସାଧାରଣ ବୈଠକକୁ ସାରଦାଙ୍କୁ ଡକାନଯିବାରୁ ଓସିଏ, ସରକାରୀ ପ୍ରେସ୍‌ ନିର୍ଦ୍ଦେଶକଙ୍କ ଚିଠିକୁ ଗ୍ରହଣ କରୁନଥିବା ସାରଦା ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଆଗାମୀ ନିର୍ବାଚନରେ ମଧ୍ୟ ସମାନ ଘଟଣା ଘଟିବା ଆଶଙ୍କା କରାଯାଉଛି। ଯଦି ପୂର୍ବଥର ପରି ନିର୍ବାଚନ ଅଧିକାରୀ ସାରଦାଙ୍କ ନାମକୁ ସ୍ବୀକୃତି ନଦିଅନ୍ତି, ତାହେଲେ ଏହା ଆଇନର ଉଲଙ୍ଘନ ହେବ ବୋଲି କୁହାଯାଇଛି। ତେଣୁ ଏହା ଉପରେ ଅନ୍ତରୀଣ ସୁରକ୍ଷା ଲୋଡ଼ି ସାରଦା ସୋମବାର ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ଏସଂପର୍କରେ ସାରଦା କହିଛନ୍ତି ଯେ ଚିଠା ତାଲିକାରେ ତାଙ୍କ ନାମ ଆସିନାହିଁ। ତଥାପି ଆଇନ ଅନୁଯାୟୀ ସେ ପଦକ୍ଷେପ ନେବେ। ଆପତ୍ତି ଦାଖଲ କରିବାକୁ ଦୁଇଦିନ ସମୟ ଦିଆଯାଇଛି। ତେଣୁ ଆପତ୍ତିର ଶୁଣାଣି ପରେ ନିର୍ବାଚନ ଅଧିକାରୀ କ’ଣ ପଦକ୍ଷେପ ନେଉଛନ୍ତି, ତାହାକୁ ଅପେକ୍ଷା କରାଯିବ। ଯଦି ନିଷ୍ପତ୍ତି ଆମ ବିପକ୍ଷରେ ଯାଏ, ତେବେ ହାଇକୋର୍ଟରୁ ନ୍ୟାୟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।