ପ୍ୟାରିସ୍: ଫ୍ରାନ୍ସର ଲୋଇସ୍ ବୋଇସନ୍ ପୁଣି ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରିକ୍ବାର୍ଟରଫାଇନାଲ୍ରେ ବିଶ୍ବର ୩ ନମ୍ବର ଜେସିକା ପେଗୁଲାଙ୍କୁ ବିଦାୟ ରାସ୍ତା ଦେଖାଇଥିବା ଏହି ୩୬୧ ମାନ୍ୟତାପ୍ରାପ୍ତ ଖେଳାଳି ବୁଧବାର କ୍ବାର୍ଟରଫାଇନାଲ୍ରେ ୬ ନମ୍ବର ମୀରା ଆନ୍ଦ୍ରିଭାଙ୍କୁ ମାତ୍ ଦେଇଛନ୍ତି। ୨ ଘଣ୍ଟାରୁ ଅଧିକ ସମୟ କଡ଼ା ସଂଘର୍ଷ କରିବା ପରେ ୱାଇଲ୍ଡ କାର୍ଡ ପ୍ରାପ୍ତ ଖେଳାଳି ବୋଇସନ୍ ୭-୬, ୬-୩ ସେଟ୍ରେ ରୁଷୀୟ ଯୁବତୀ ଆନ୍ଦ୍ରିଭାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ଫାଇନାଲ୍ ସ୍ଥାନ ପାଇଁ ୨୨ ବର୍ଷୀୟା ବୋଇସନ୍ ବିଶ୍ବର ଦୁଇ ନମ୍ବର ଆମେରିକାର କୋକୋ ଗଫ୍ଙ୍କୁ ଭେଟିବେ। ଦୁଇ ଆମେରିକୀୟଙ୍କ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟରଫାଇନାଲ୍ରେ ୨୦୨୩ ୟୁଏସ୍ ଓପନ୍ ବିଜୟିନୀ ଗଫ୍ ୬-୭, ୬-୪, ୬-୧ ସେଟ୍ରେ ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ ସପ୍ତମ ମାନ୍ୟତାପ୍ରାପ୍ତ ମାଡିସନ୍ କିଜ୍ଙ୍କୁ ପରାସ୍ତ କରିଥିଲେ। ୨୦୨୨ରେ ଏଠାରେ ଫାଇନାଲ୍ ପହଞ୍ଚିଥିବା ୨୧ ବର୍ଷୀୟା ଗଫ୍ ରୋଲାଁ ଗାରୋସରେ ୨୫ ମୁଖ୍ୟ ଡ୍ର’ ମ୍ୟାଚ୍ ଜିତିବାରେ ମାର୍ଟିନା ହିଙ୍ଗିସ (୧୯୯୫-୨୦୦୦)ଙ୍କ ପରେ ସବୁଠୁ କନିଷ୍ଠ ମହିଳା ଖେଳାଳି ହୋଇଛନ୍ତି।
ପୁରୁଷ ଏକକ ସେମିଫାଇନାଲ୍ରେ ବିଶ୍ବର ଦୁଇ ନମ୍ବର ସ୍ପେନ୍ର କାର୍ଲୋସ ଅଲ୍କାରାଜ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲ୍ରେ ୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ୨୨ ବର୍ଷୀୟ ଅଲ୍କାରାଜ ସିଧାସଳଖ ୬-୦, ୬-୧, ୬-୪ ସେଟ୍ରେ ଆମେରିକାର ଟମି ପଲ୍ଙ୍କୁ ହରାଇ ଏଠାରେ ଦ୍ବିତୀୟ ଟ୍ରଫି ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ସେମିଫାଇନାଲ୍ରେ ସେ ଇଟାଲିର ଲରେଞ୍ଜ ମୁସେଟିଙ୍କୁ ଭେଟିବେ। ଅଷ୍ଟମ ମାନ୍ୟତାପ୍ରାପ୍ତ ମୁସେଟି ୬-୨, ୪-୬, ୭-୫, ୬-୨ ସେଟ୍ରେ ଆମେରିକାର ଫ୍ରାନ୍ସିସ୍ ତିଆଫୋଏଙ୍କୁ ପରାସ୍ତ କରିଥିଲେ।