ପେସାଦାର ଫୁଟ୍‌ବଲ୍‌ରେ ବୋଲ୍‌ଟଙ୍କ ପ୍ରଥମ ଗୋଲ୍‌

ସିଡ୍‌ନି: କିମ୍ବଦନ୍ତୀ ଜାମାଇକା ଧାବକ ଉସେନ୍‌ ବୋଲ୍‌ଟ ପେସାଦାର ଫୁଟ୍‌ବଲ୍‌ରେ ଗୋଲ୍‌ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଅଷ୍ଟ୍ରେଲିଆର ସେଣ୍ଟ୍ରାଲ କୋଷ୍ଟ୍‌ ମାରିନର୍ସ ପାଇଁ ଖେଳିଥିବା ଏକ ଟ୍ରାଏଲ୍‌ ମ୍ୟାଚ୍‌ରେ ବୋଲ୍‌ଟ ଦୁଇଟି ଗୋଲ୍‌ କରିଥିଲେ। ୧୦୦ ମିଟର ଦୌଡ଼ରେ ବିଶ୍ବ କୀର୍ତିମାନଧାରୀ ବୋଲ୍‌ଟ ଏଠାରେ ଶୁକ୍ରବାର ମାକାରଥର୍‌ ସାଉଥ୍‌ ୱେଷ୍ଟ୍‌ ୟୁନାଇଟେଡ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। ଏଥିରେ ୩୨ ବର୍ଷ ବୟସ୍କ ବୋଲ୍‌ଟ ୫୫ ମିନିଟ୍‌ରେ ନିଜ ବାମ ଗୋଡ଼ରେ ବଲ୍‌କୁ ମାରି ଗୋଲ୍‌ କରିବା ପରେ ତାଙ୍କର ପାରମ୍ପରିକ ‘ଲାଇଟନିଂ ବୋଲ୍‌ଟ’ ଶୈଳୀରେ ଉତ୍ସବ ମନାଇଥିଲେ। ଏହାପରେ ୬୯ ମିନିଟ୍‌ରେ ମଧ୍ୟ ବୋଲ୍‌ଟ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ଦେଇଥିଲା। ବୋଲ୍‌ଟ୍‌ଙ୍କ ୨ ଗୋଲ୍‌ ବଳରେ ତାଙ୍କ ଦଳ ମଧ୍ୟ ୪-୦ରେ ମ୍ୟାଚ୍‌ ଜିତି ନେଇଥିଲା। ଗତ ଅଗଷ୍ଟରେ ଏ-ଲିଗ୍‌ କ୍ଲବ୍‌ରେ ଯୋଗଦେବା ପରଠୁ ବୋଲ୍‌ଟଙ୍କର ଏହା ଥିଲା ପ୍ରଥମ ମ୍ୟାଚ୍‌। ଏହି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିବାରୁ ଏବଂ ପ୍ରଥମ ମ୍ୟାଚ୍‌ରେ ୨ ଗୋଲ୍‌ କରିଥିବାରୁ ସେ ଖୁବ୍‌ ଉତ୍ସାହିତ ବୋଲି ବୋଲ୍‌ଟ କହିଛନ୍ତି। ଆଗକୁ ଆହୁରି ଭଲ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର