ବୋଲର ଓ ମାନ୍ଧାନା ଦେଲେ ବିଜୟ

ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ୍‌କୁ ୭ ୱିକେଟ୍‌ରେ ହରାଇଲା ଭାରତ

ମୁମ୍ବାଇ: ପ୍ରାରମ୍ଭିକ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ପରେ ସ୍ମୃତି ମାନ୍ଧାନା ଏବଂ ଅଧିନାୟିକା ମିତାଲି ରାଜ୍‌ଙ୍କ ଦମ୍‌ଦାର ବ୍ୟାଟିଂ ଭାରତକୁ ଏଠାରେ ରବିବାର ଖେଳାଯାଇଥିବା ଇଂଲଣ୍ଡ୍‌ ବିପକ୍ଷ ଦ୍ବିତୀୟ ମହିଳା ଦିନିକିଆରେ ସହଜ ବିଜୟ ‌ଭେଟି ଦେଇଛି। ଫଳରେ ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଘରୋଇ ଭାରତ ୨-୦ ଅଗ୍ରଣୀ ସହ ଶେଷ ମ୍ୟାଚ୍‌ ପୂର୍ବରୁ ଜିତି ନେଇଛି। ପ୍ରଥମ ଦିନିକିଆକୁ ୬୬ ରନ୍‌ରେ ଜିତିଥିବା ଭାରତ ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ୍‌କୁ ୭ ୱିକେଟ୍‌ ହରାଇଦେଲା। ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟିଂ ବିଗାଡ଼ି ଦେଇଥିବା ଝୁଲଣ ଗୋସ୍ବାମୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ଇଂଲଣ୍ଡ୍‌କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଝୁଲଣ ଓ ଶିଖା ପାଣ୍ଡେ ନାକେଦମ୍‌ କରିଥିଲେ। ଝୁଲଣ ୮.୩-୦-୩୦-୪ ଏବଂ ଶିଖା ୧୦-୧-୧୮-୪ର ବୋଲିଂ ଚିତ୍ର ପାଇଥିଲା ବେଳେ ପୂନମ୍‌ ଯାଦବ ୯-୨-୨୮-୨ର ବୋଲିଂ ଚିତ୍ର ପାଇଥିଲେ। ଫଳରେ ଇଂଲଣ୍ଡ ୪୩.୩ ଓଭରରେ ୧୬୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ନାତାଲି ସିଭର୍‌ ଏକାକି ଭାରତୀୟ ବୋଲରଙ୍କୁ ସାମ୍‌ନା କରି (୮୫) ଅର୍ଧଶତକୀୟ ପାଳି ଖେଳିଥିଲା ବେଳେ ଟମି ବିଉମଣ୍ଟ (୨୦) ଓ ୱିନ୍‌ଫିଲ୍‌ଡ (୨୮) ଦୁଇ ଅଙ୍କ ଅତିକ୍ରମ କରିଥିଲେ। ଜବାବରେ ମାନ୍ଧାନା (୬୩ ରନ୍‌, ୭୪ ବଲ୍‌, ୭ ଚୌକା, ୧ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ମିତାଲିଙ୍କ ଅପରାଜିତ ୪୭ (୬୯ ବଲ୍‌, ୮ ଚୌକା) ଓ ପୁନମ୍‌ ରାଉତଙ୍କ ୩୨ ରନ୍‌ ବଳରେ ଭାରତ ୫୩ ବଲ୍‌ ବାକିଥାଇ ମ୍ୟାଚ୍‌ ଜିତି ନେଇଥିଲା। ମାନ୍ଧାନା ଓ ରାଉତ ଦ୍ବିତୀୟ ୱିକେଟ୍‌ରେ ୭୩ ଏବଂ ମାନ୍ଧାନା ଓ ମିତାଲି ତୃତୀୟ ୱିକେଟ୍‌ରେ ୬୬ ରନ୍ ଯୋଡ଼ି ଭାରତ ବିଜୟକୁ ସହଜ କରିଦେଇଥିଲେ। ଘରୋଇ ଦଳ ୩ ୱିକେଟ୍‌ ହରାଇ ୪୧.୧ ଓଭରରେ ବିଜୟ ଲକ୍ଷ୍ୟ ୧୬୨ ରନ୍‌ରେ ପହଞ୍ଚି ଯାଇଥିଲା। ଇଂଲଣ୍ଡ ପକ୍ଷରୁ ସ୍ରବ୍‌ସୋଲ୍‌ ୨ ୱିକେଟ୍‌ ପାଇଥିଲେ। ଉଭୟ ଦଳ ଆସନ୍ତା ୨୮ ତାରିଖରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ ଖେଳିବେ।

ସମ୍ବନ୍ଧିତ ଖବର