ଭାରତ ବିପକ୍ଷ ଶୃଙ୍ଖଳାରୁ ବୋଲ୍‌ଟ, ଗପ୍ଟିଲ ବାଦ୍‌

ଅକ୍‌ଲାଣ୍ଡ୍‌: ଆସନ୍ତା ୧୮ ତାରିଖରୁ ଭ୍ରମଣକାରୀ ଭାରତ ବିପକ୍ଷରେ ସୀମିତ ଓଭର (ଉଭୟ ଟ୍ବେଣ୍ଠି-୨୦ ଏବଂ ଦିନିକିଆ ଆନ୍ତର୍ଜାତିକ) ଘରୋଇ ଶୃଙ୍ଖଳା ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ୍‌ ଦଳରୁ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଏବଂ ଓପ୍‌ନିଂ ବ୍ୟାଟର ମା‌ର୍ଟିନ୍‌ ଗପ୍ଟିଲ ବାଦ୍‌ ପଡ଼ିଛନ୍ତି। ଏହି ଦୁଇ ତାରକା ଭାରତ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ଉଭୟ ଶୃଙ୍ଖଳା ଖେଳିବେନି ବୋଲି ମଙ୍ଗଳବାର ଘୋଷିତ ୧୩ ଜଣିଆ ଦଳରୁ ସ୍ପଷ୍ଟ ହୋଇଛି। ଗତ ଅଗଷ୍ଟରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଚୁକ୍ତିରୁ ଓହରିଯିବାକୁ ବୋଲ୍‌ଟ ନିଷ୍ପତ୍ତି ନେଇଥିଲା ବେଳେ ଭାରତ ଗସ୍ତରୁ ବାଦ୍‌ ପଡ଼ିବା ଏହାର କାରଣ ବୋଲି କୁହାଯାଉଛି। ସେହିପରି ଫର୍ମ ସହ ସଂଘର୍ଷ କରୁଥିବା ଏବଂ ଦିନିକିଆ ଆନ୍ତର୍ଜାତିକରେ ନ୍ୟୁଜିଲାଣ୍ଡ୍‌ର ତୃତୀୟ ସର୍ବାଧିକ ରନ୍‌ ସ୍କୋରର୍‌ ଗପ୍ଟିଲ (୭୩୪୬)ଙ୍କ ଭବି‌ଷ୍ୟତକୁ ନେଇ ମଧ୍ୟ ଦ୍ବନ୍ଦ୍ବ ଉପୁଜିଛି। ୧୮ ତାରିଖ ଦିନ ୱେଲିଂଟନ୍‌ରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳି ଘରୋଇ ଦଳ ଅଭିଯାନ ଆରମ୍ଭ କରିବାକୁ ଥିଲା ବେଳେ ପରବର୍ତୀ ଦୁଇଟି ଟ୍ବେଣ୍ଟି-୨୦ ତୌରଙ୍ଗା ଓ ନାପିଅର୍‌ରେ ଖେଳାଯିବ। ଏହାପରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ। ନଭେମ୍ବର ୩୦ ତାରିଖରେ ଏହି ଶୃଙ୍ଖଳା ଶେଷ ହେବ। ମଙ୍ଗଳବାର ନ୍ୟୁଜିଲାଣ୍ଡ୍‌ କ୍ରିକେଟ୍‌ ବୋର୍ଡ ଘୋଷଣା କରିଥିବା‌ ଉଭୟ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଦଳର ନେତୃତ୍ବ କେନ୍‌ ୱିଲିୟମ୍‌ସନ୍‌ ନେବେ।

ଅନ୍ୟପକ୍ଷରେ ଏହି ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଭାରତୀୟ ଦଳ ଦୁଇଟି ଅଧିନାୟକଙ୍କ ନେତୃତ୍ବରେ ଖେଳିବ। ଟ୍ବେଣ୍ଟି-୨୦ରେ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଏବଂ ଦିନିକିଆରେ ବାମହାତୀ ଓପ୍‌ନର ଶିଖର ଧାୱନ୍‌ ଭାରତୀୟ ଦଳର ନେତୃତ୍ବ ନେବେ। ଟ୍ବେଣ୍ଟି-୨୦ ଦଳ: କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଫିନ୍‌ ଆଲେନ, ମାଇକେଲ ବ୍ରାସ୍‌ୱେଲ, ଡେଭନ କନ୍‌ୱେ (ୱିକେଟ୍‌ରକ୍ଷକ), ଲୋକି ଫର୍ଗୁସନ, ଡାରିଲ ମିଚେଲ, ଆଦାମ ମିଲ୍‌ନେ, ଜିମ୍ମି ନୀସାମ, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟ୍‌ନର, ଟିମ୍‌ ସାଉଦି, ଈଶ୍‌ ସୋଢ଼ି, ବ୍ଲେୟାର ଟିକ୍‌ନର।

ଦିନିକିଆ ଦଳ: କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଫିନ୍‌ ଆଲେନ, ମାଇକେଲ ବ୍ରାସ୍‌ୱେଲ, ଡେଭନ କନ୍‌ୱେ (ୱିକେଟ୍‌ରକ୍ଷକ), ଲୋକି ଫର୍ଗୁସନ, ଡାରିଲ ମିଚେଲ, ଆଦାମ ମିଲ୍‌ନେ, ଜିମ୍ମି ନୀସାମ, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟ୍‌ନର, ଟିମ୍‌ ସାଉଦି, ଟମ୍‌ ଲାଥମ୍‌ (ୱିକେଟ୍‌ରକ୍ଷକ), ମ୍ୟାଟ୍‌ ହେନ୍‌ରି।

ସମ୍ବନ୍ଧିତ ଖବର