ବୋଲ୍‌ଟଙ୍କ ଘାତକ ବୋଲିଂ ୧୫ ବଲ୍‌ ୪ ରନ୍‌ ୬ ୱିକେଟ୍‌

ଖ୍ରିଷ୍ଟଚର୍ଚ: ନ୍ୟୁଜିଲାଣ୍ଡ୍‌ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠୁ ଏଠାରେ ଆରମ୍ଭ ହୋଇଥିବା ବକ୍ସିଂ ‌ଡେ’ ଟେଷ୍ଟ୍‌ରେ ବୋଲରଙ୍କ କମାଲ୍‌ ଜାରି ରହିଛି। ସିଂହଳୀ ଦ୍ରୁତ ବୋଲର ସୁରଙ୍ଗା ଲାକ୍‌ମଲ୍‌ଙ୍କ ୫ ଓ ଲାହିରୁ କୁମାରାଙ୍କ ୩ ୱିକେଟ୍‌ ପରେ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଟିମ୍‌ ସାଉଦିଙ୍କ ୩ ୱିକେଟ୍‌ ଦଖଲ ଯୋଗୁଁ ପ୍ରଥମ ଦିବସରେ ୧୪ ୱିକେଟ୍‌ ଝଡ଼ିଥିଲା ବେଳେ ଶୁକ୍ରବାର ଦ୍ବିତୀୟ ଦିବସରେ ମୋଟ ୮ ୱିକେଟ୍‌ ପତନ ଘଟିଥିଲା। ହେଲେ ଘରୋଇ ଦଳର ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟଙ୍କ ଘାତକ ବୋଲିଂ ହିଁ ଦ୍ବିତୀୟ ଦିବସର ଉଲ୍ଲେଖନୀୟ ଥିଲା। ୧୫ ବଲ୍‌, ୪ ରନ୍‌ ଓ ୬ ୱିକେଟ୍‌ ଦ୍ବିତୀୟ ଦିବସରେ ବୋଲ୍‌ଟଙ୍କ ଘାତକ ବୋଲିଂର ନିଦର୍ଶନ ଥିଲା। ବୋଲ୍‌ଟଙ୍କ ଏହି ଘା‌ତକ ବୋଲିଂ ଯୋଗୁଁ ଏକ ସମୟରେ ୯୪ରେ ୪ ୱିକେଟ୍‌ ହରାଇ ଭଲ ସ୍ଥିତି ପାଇଥିବା ଶ୍ରୀଲଙ୍କା ଆଉ ୧୦ ରନ୍‌ ମଧ୍ୟରେ ଅବଶିଷ୍ଟ ୬ ୱିକେଟ୍‌ ହରାଇଥିଲା। ସେମଧ୍ୟରୁ ଏକ ସମୟରେ ୧୦୦ରେ ୬ ୱିକେଟ୍‌ ହରାଇଥିବା ଶ୍ରୀଲଙ୍କା ମଧ୍ୟ ଶେଷ ୪ ୱିକେଟ୍‌ ମାତ୍ର ୪ ରନ୍‌ ମଧ୍ୟରେ ହରାଇବାରୁ ପ୍ରଥମ ପାଳି ୧୦୪ ରନ୍‌ରେ ସଫା ହୋଇଯାଇଥିଲା। ବିଶେଷକରି ଘରୋଇ ଦଳର ପ୍ରଥମ ପାଳିକୁ ୧୭୮ ରନ୍‌ରେ ଅଟକାଇଦେବା ପରେ ପ୍ରଥମ ଦିବସ ଶେଷରେ ଶ୍ରୀଲଙ୍କା ତା’ ପ୍ରଥମ ପାଳିରେ ୮୮/୪ କରିଥିଲା। ହେଲେ ଦ୍ବିତୀୟ ଦିବସରେ ବୋଲ୍‌ଟ ଝଡ଼ ସିଂହଳୀ ଦଳର ବୃହତ୍‌ ବିପର୍ଯ୍ୟୟ ଘଟାଇଲା। ବୋଲ୍‌ଟ ଝଡ଼ର ସାମ୍‌ନା କରିନପାରି ଶ୍ରୀଲଙ୍କା ୯ ଓଭରରେ ୧୬ ରନ୍‌ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍‌ ହରାଇଲା। ସେଥି ମଧ୍ୟରୁ ଏକା ବୋଲ୍‌ଟ ୪ ରନ୍‌ ଦେଇ ସମସ୍ତ ୬ ୱିକେଟ୍‌ ଦଖଲ କରିନେଇଥିଲା। ଏଥି ସହିତ ବୋଲ୍‌ଟ ମଧ୍ୟ ନ୍ୟୁଜିଲାଣ୍ଡ୍‌କୁ ପ୍ରଥମ ପାଳିରେ ୭୪ ରନ୍‌ର ଅଗ୍ରଣୀ ଦେଲେ। ଏହାପରେ ଘରୋଇ ଦଳ ଦ୍ବିତୀୟ ପାଳିରେ ଚମତ୍କାର ପ୍ରଦର୍ଶନ କରିଛି। ପ୍ରାରମ୍ଭିକ ଯୋଡ଼ି ଜିତ୍‌ ରା‌ଭାଲ (୭୪) ଓ ଟମ୍‌ ଲାଥାମ୍‌ (୭୪*)ଙ୍କ ଦମ୍‌ଦାର ଅର୍ଧଶତକ ସାଙ୍ଗକୁ ୧୨୧ ରନ୍‌ର ପ୍ରଥମ ୱିକେଟ୍‌ ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୨ ୱିକେଟ୍‌ ବିନିମୟରେ କରିଛି ୨୩୧ ରନ୍‌। ଏଥି ସହିତ ୮ ୱିକେଟ୍‌ ହାତରେ ଥାଇ ଘରୋଇ ଦଳ ମୋଟ ଉପରେ ୩୦୫ ରନ୍‌ରେ ଆଗୁଆ ହୋଇଯାଇଛି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୧୭୮। ଶ୍ରୀଲଙ୍କା ପ୍ରଥମ ପାଳି: ୪୧ ଓଭରରେ ୧୦୪ (ଆଞ୍ଜେଲୋ ମାଥ୍ୟୁସ୍‌-୩୩*, ରୋସନ୍‌ ସିଲ୍‌ଭା-୨୧, ଟ୍ରେଣ୍ଟ୍‌ ବୋଲ୍‌ଟ-୬/୩୦, ଟିମ୍‌ ସାଉଦି-୩/୨୯)। ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳି: ୭୯ ଓଭରରେ ୨୩୧/୨ (ଜିତ୍‌ ରାଭାଲ-୭୪, ଟମ୍‌ ଲାଥାମ୍‌-୭୪*, କେନ୍‌ ୱିଲିୟମ୍‌ସନ୍‌-୪୮, ରସ୍‌ ଟେଲର-୨୫*)।

ସମ୍ବନ୍ଧିତ ଖବର