ବୋଲ୍‌ଟଙ୍କ ଫୁଟ୍‌ବଲ୍‌ ପ୍ରେମ

ଡର୍ଟମୁଣ୍ଡ୍‌ (ଜର୍ମାନି: ଏକଦା ଦୌଡ଼କୁଦ ଦୁନିଆରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ବହୁ ପଛରେ ପକାଇ ଏକାକି ରାଜ୍‌ କରୁଥିବା କିମ୍ବଦନ୍ତୀ ଧାବକ ଉସେନ୍‌ ବୋଲ୍‌ଟ ଏବେ ଫୁଟ୍‌ବଲ ପ୍ରେମରେ ପଡ଼ି ଯାଇଛନ୍ତି। ଏହି ଜାମାଇକା ତାରକା ଶୁକ୍ରବାର ପେସାଦାର ଫୁଟ୍‌ବଲ୍‌ ଖେଳାଳି ହେବାର ପ୍ରଥମ ପାଦ ଅତିକ୍ରମ କରିଛନ୍ତି। ନିଜର ସଫଳତମ ଖେଳକୁଦ ଜୀବନ ମଧ୍ୟରେ ୮ ଅଲିମ୍ପିକ୍‌ ସ୍ୱର୍ଣ୍ଣ କରାୟତ କରିଥିବା ୩୧ ବର୍ଷିୟ ବୋଲ୍‌ଟ ଗତବର୍ଷ ଅବସର ନେଇଯାଇଥିଲେ। ଏହାପରେ ଦୌଡ଼କୁଦକୁ ପଛରେ ପକାଇ ଫୁଟ୍‌ବଲ୍‌ ଖେଳିବାର ନିଶା ବୋଲ୍‌ଟଙ୍କୁ ଘାରିଥିଲା। ଯେଉଁଥିପାଇଁ ସେ ବୁନ୍ଦେସ୍‌ଲିଗାର ବୋରୁସିଆ ଡର୍ଟମୁଣ୍ଡ୍‌ କ୍ଲବ୍‌ ଦଳରେ ନିଜକୁ ସାମିଲ କରିଥିଲେ। ଦଳ ପକ୍ଷରୁ ଗୁରୁବାର ମଧ୍ୟ ସେ ପ୍ରଥମ ଥର ଲାଗି ଅଭ୍ୟାସ କରିଥିଲେ। ଫୁଟ୍‌ବଲ୍‌ ପ୍ରେମରେ ପଡ଼ିଯାଇଥିବା ବୋଲ୍‌ଟ୍‌ଙ୍କୁ କ୍ଲବ୍‌ ପରିସରରେ ଅଭ୍ୟାସର ପ୍ରଥମ ଦିବସରେ ଜର୍ମାନି ବିଶ୍ୱ ବିଜେତା ଦଳର ମାରିଓ ଗୋଜେ ବେଶ୍‌ ସହାୟତା ଯୋଗାଇ ଦେଇଥିଲେ। ଶୁକ୍ରବାର ବୋଲ୍‌ଟ ଏକ ଟ୍ରାଏଲ୍‌ରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇଛନ୍ତି। ଆଉ ଟ୍ରାଏଲ୍‌ରେ ସଫଳ ହେଲେ ତାଙ୍କ ପେସାଦାର ଫୁଟ୍‌ବଲ୍‌ ଖେଳିବାର ସ୍ୱପ୍ନ ସାକାର ହେବ। ବୋଲ୍‌ଟ ମଧ୍ୟ ଅତିପ୍ରିୟ କ୍ଲବ୍‌ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ଖେଳିବାର ସ୍ୱପ୍ନ ଚରିତାର୍ଥ କରିବେ ବୋଲି ଦୃଢ଼ ପ୍ରତିଜ୍ଞ ରହିଛନ୍ତି। ଏହି ସ୍ୱପ୍ନ ସାକାର ଦିଗରେ ବୋରୁସିଆ ଡର୍ଟମୁଣ୍ଡ୍‌ ହିଁ ଉପଯୁକ୍ତ ପ୍ଲାଟ୍‌ଫର୍ମ ବୋଲି ସେ କହିଛନ୍ତି। ତଥାପି ଫୁଟ୍‌ବଲ୍‌ରେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଏବେଠୁ ପ୍ରୟାସ କରିବି। ମୁଁ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ଖେଳିବାକୁ ଭଲ ପାଏ। ଶୁକ୍ରବାର ଟ୍ରାଏଲ୍‌ ପରେ ଜୋସ୍‌ ମରିନୋଙ୍କୁ ଫୁଟ୍‌ବଲ୍‌ ଖେଳିପାରୁଥିବାର ପ୍ରମାଣ ଦେଇପାରିବି ବୋଲି ବୋଲ୍‌ଟ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ୮ ଥର ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ବୋଲ୍‌ଟ ୧୦୦ ମିଟର (୯.୫୮ ସେକେଣ୍ଡ୍‌), ୨୦୦ ମିଟର (୧୯.୧୯ ସେକେଣ୍ଡ୍‌) ଏବଂ ୪ ଗୁଣା ୧୦୦ ମିଟର ରିଲେ (୩୬.୮୪ ସେକେଣ୍ଡ୍‌)ରେ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଥିଲେ। ଅଲିମ୍ପିକ୍‌ ବ୍ୟତୀତ ବୋଲ୍‌ଟ ମଧ୍ୟ ୧୧ଟି ବିଶ୍ୱ ପ୍ରତିଯୋଗିତା ଟ୍ରଫି ନିଜ ନାମରେ ରଖିଛନ୍ତି। ଗତବର୍ଷ ବିଶ୍ୱ ପ୍ରତିଯୋଗିତା ପରେ ବୋଲ୍‌ଟ ଦୌଡ଼କୁଦରୁ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର