କୋହଲି ଭୁଲ୍‌ କରୁଥିବା ଦେଖି ଖୁସି ଲାଗୁଛି: ବୋଲ୍ଟ

ଖ୍ରୀଷ୍ଟଚର୍ଚ: ନ୍ୟୁଜିଲାଣ୍ଡ ମାଟିରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଲଗାତାର ଭୁଲ୍‌ କରିବା ଭାରତୀୟ ପ୍ରଶଂସକଙ୍କୁ ବ୍ୟଥିତ କରୁଛି। ନ୍ୟୁଜିଲାଣ୍ଡ ବୋଲର କିନ୍ତୁ କୋହଲିଙ୍କ ବିଫଳତାକୁ ମନଭରି ଉପଯୋଗ କରୁଛନ୍ତି। ତାଙ୍କୁ ସଅଳ ଆଉଟ୍ କରିଦେଉଥିବାରୁ କିୱି ବୋଲର ବହୁତ ଖୁସି ଅଛନ୍ତି। ଘରୋଇ ଦଳର ପ୍ରମୁଖ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଏକଥା ଖୋଲାଖୋଲି ଭାବେ କହିଛନ୍ତି। କୋହଲିଙ୍କୁ ଆଉଟ୍ କରିବାର ଉଲ୍ଲାସ ଓ ଆନନ୍ଦକୁ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି ଯେ କୋହଲି ଜଣେ ବଡ଼ ଖେଳାଳି। ସେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଆମେ ତାଙ୍କ ଉପରେ ଚାପ ସୃଷ୍ଟି କରି ସଫଳ ହେଉଛୁ। ଆମ ଯୋଜନା ହେଲା ତାଙ୍କୁ କୌଣସି ପରିସ୍ଥିତିରେ ହାତଖୋଲା ସଟ୍ ଖେଳିବାକୁ ନଦେବା। ଏଥିରେ ଆମେ ସଫଳ ବି ହେଉଛୁ। ଚୌକା‌ ମରୁଡ଼ି ହିଁ କୋହଲି ଭୁଲ କରିବାର ମୁଖ୍ୟ କାରଣ ବୋଲି ମୁଁ ଭାବୁଛି। ତାଙ୍କୁ ଅଳ୍ପ ରନ୍‌ରେ ପ୍ୟାଭିଲିୟନ ଫେରୁଥିବାର ଦେଖିବା ଆମକୁ ବହୁତ ଭଲ ଲାଗୁଛି। ଭାରତୀୟ ବ୍ୟାଟିଂକ୍ରମର କ୍ରମାଗତ ବିଫଳତା ନେଇ ବୋଲ୍ଟ ସମବେଦନା ଦେଖାଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ସମ୍ଭବତଃ ସେମାନେ ଭାରତର ଧିମା ଓ ବଲ୍ ତଳୁଆ ରହୁଥିବା ପିଚ୍‌ରେ ଖେଳିବାରେ ଅଭ୍ୟସ୍ତ। ଠିକ୍ ଯେମିତି ଭାରତରେ ବୋଲିଂ କରିବା ମୋ ପାଇଁ ଅଜଣା ଇଲାକାରେ ପାଦ ଦେବା ଭଳି ହେବ। ୩୦ ବର୍ଷୀୟ ବୋଲ୍ଟ ଆହୁରି କହିଛନ୍ତି ଯେ ଖ୍ରୀଷ୍ଟଚର୍ଚର ପରିବେଶ ସିମ୍ ବୋଲିଂ ପାଇଁ ବହୁତ ଭଲ ରହିଛି। ସେଥିପାଇଁ ଗୋଟିଏ ଦିନରେ ୧୬ ୱିକେଟ୍‌ର ପତନ ଘଟିଛି।

ସମ୍ବନ୍ଧିତ ଖବର