ବୋଥାମ ବନାମ ଷ୍ଟୋକ୍ସ: କିଏ ଇଂଲଣ୍ଡର ଶ୍ରେଷ୍ଠ ଅଲ୍‌ରାଉଣ୍ଡର?

ମାଞ୍ଚେ‌ଷ୍ଟର: ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ‌ଷ୍ଟୋକ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ହାସଲ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିଥିଲା। ଏହି ମ୍ୟାଚ୍‌ରେ ଷ୍ଟୋକ୍ସ ଯଥାକ୍ରମେ ୧୭୬ ଓ ୭୮* ରନ୍‌ କରିଥିଲେ ଏବଂ ୩ ୱିକେଟ୍‌ ମଧ୍ୟ ପାଇଥିଲେ। ତାଙ୍କର ଏଭଳି ପ୍ରଦର୍ଶନ ପରେ ଇଂଲଣ୍ଡର ଶ୍ରେଷ୍ଠ ଅଲ୍‌ରାଉଣ୍ଡର କିଏ ତା’କୁ ନେଇ ଚର୍ଚ୍ଚା ଜୋର୍‌ଦାର ଚ‌ାଲିଛି।

ତାଙ୍କ ବିନା ଇଂଲଣ୍ଡ କେଉଁଠି ଥା’ନ୍ତା? ଗତ ଦୁଇ ବର୍ଷରେ ଇଂଲଣ୍ଡର ସମସ୍ତ ବିଜୟରେ ଷ୍ଟୋକ୍ସଙ୍କ ପ୍ରମୁଖ ଅବଦାନ ରହିଛି ବୋଲି ୱିଲିୟମ୍‌ ହିଲ୍‌ଙ୍କୁ ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌ କହିଛନ୍ତି। ଇଂଲଣ୍ଡର ସର୍ବାଧିକ ୱିକେଟ୍‌ ହାସଲକାରୀ ଜେମ୍ସ ଆଣ୍ଡରସନ୍‌ ଦେଶର ଶ୍ରେ‌ଷ୍ଠ ଅଲ୍‌ରାଉଣ୍ଡର ଭାବେ ଷ୍ଟୋକ୍ସଙ୍କ ନାମ ନେଇଛନ୍ତି। ଇଆନ୍‌ ବୋଥାମଙ୍କଠୁ ଷ୍ଟୋକ୍ସଙ୍କୁ ଅଧିକ ମାନ୍ୟତା ମିଳିବା ଆବଶ୍ୟକ। କାରଣ ଆଧୁନିକ ଯୁଗରେ ଷ୍ଟୋକ୍ସ ଦେଶର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ବୋଲି ଆଣ୍ଡରସନ୍‌ କହିଛନ୍ତି। ପୁଣି ବୋଥାମଙ୍କଠୁ ଷ୍ଟୋକ୍ସ ଭଲ କ୍ଷେତ୍ରରକ୍ଷକ। ସେ ଦ୍ବିତୀୟ ସ୍ଲିପ୍‌ରେ ରହୁଛନ୍ତି। ସେ ଇଂଲଣ୍ଡର ସର୍ବକାଳୀନ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ବୋଲି ଆଣ୍ଡରସନ୍‌ କହିଛନ୍ତି।

୨୦୧୯ ଆରମ୍ଭରୁ ଟେଷ୍ଟ୍‌ କ୍ରିକେଟ୍‌ରେ ‌ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ୫୫ରୁ ଅଧିକ ଏବଂ ବୋଲିଂରେ ୨୯ରୁ କମ୍‌ ହାରାହାରି ରହିଛି। ୨୯ ବର୍ଷୀୟ ଷ୍ଟୋକ୍ସଙ୍କ ଟେଷ୍ଟ୍‌ ଜୀବନରେ ବ୍ୟାଟିଂ ହାର ୩୮.୫୮ ଏବଂ ବୋଲିଂ ହାର ୩୧.୭୩ ରହିଛି। ଅନ୍ୟପକ୍ଷରେ ବୋଥାମ ୧୦୨ ଟେଷ୍ଟ୍‌ ଖେଳିଥିଲା ବେଳେ ୩୩.୫୪ ହାରରେ ରନ୍‌ କରିଥିଲା ବେଳେ ୨୮.୪୦ ହାରରେ ୩୮୩ ୱିକେଟ୍‌ ହାସଲ କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍‌ ଷ୍ଟୋକ୍ସ ୬୫ ମ୍ୟାଚ୍‌ ଖେଳି ୧୦ ଶତକ ହାସଲ କରିସାରିଲେଣି। ହେଲେ ବୋଥାମଙ୍କ ୧୪ ଶତକକୁ ଅତିକ୍ରମ କରିବା ତାଙ୍କ ପାଇଁ କଷ୍ଟକର ହୋଇପାରେ। ବୋଥାମ ନୂଆ ବଲ୍‌ରେ ବୋଲିଂ କରୁଥିଲା ବେଳେ ଷ୍ଟୋକ୍ସ ଦଳର ଚତୁର୍ଥ ବୋଲର ଭାବେ ବୋଲିଂକୁ ଆସୁଛନ୍ତି।

ଷ୍ଟୋକ୍ସ ଅଧିକ ବିଶ୍ବାସଯୋଗ୍ୟ ରନ୍‌ କରିଛନ୍ତି କି? ଏଥିପାଇଁ ତାଙ୍କୁ ଆହୁରି ପ୍ରମାଣ ଦେବାକୁ ପଡ଼ିବ। କିନ୍ତୁ ୧୯୭୮ରୁ ୧୯୯୧ ମଧ୍ୟରେ ବୋଥାମ ଶୀର୍ଷକୁ ଛୁଇଁଥିଲେ। ‌ହେଲେ ଷ୍ଟୋକ୍ସ ତାଙ୍କ ସହ ସମକକ୍ଷ ହୋଇପାରିବେନି ବୋଲି ପୂର୍ବତନ ଇଂଲଣ୍ଡ ଅଫ୍‌ ସ୍ପିନର ଭିକ ମାର୍କ୍ସ କହିଛନ୍ତି। ଉଭୟ ନିଜ ନିଜ ସ୍ଥାନ ଓ ସମୟରେ ଠିକ୍‌ ଅଛନ୍ତି। ସେମାନଙ୍କୁ ନେଇ ତୁଳନା କରିବା ଠିକ୍‌ ହେବନି ବୋଲି ବୋଥାମଙ୍କ ସମରସେଟ୍‌ ସାଥୀ ମାର୍କ୍ସ କହିଛନ୍ତି। ଗତ ବର୍ଷ ବିଶ୍ବକପ୍‌ ବିଜୟରେ ଷ୍ଟୋକ୍ସ ହିରୋ ଥିଲେ। ହେଡିଂଲେ ଟେଷ୍ଟ୍‌ରେ ମଧ୍ୟ ତାଙ୍କ ଶତକ ବଳରେ ଇଂଲଣ୍ଡ ୧ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ହେଲେ‌ ତାହା ୧୯୮୧ ଆସେସ୍‌ ଶୃଙ୍ଖଳାରେ ବୋଥାମଙ୍କ ପ୍ରଦର୍ଶନଠୁ କମ୍‌ ରହିବ। ଏହି ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୦-୧ରେ ପଛୁଆ ଥିଲା। ବୋଥାମ ହେଡିଂଲେ ଏବଂ ଓଲ୍‌ଡ ଟ୍ରାଫର୍ଡରେ ବିସ୍ଫୋରକ ଶତକ ହାସଲ କରିଥିଲେ। ଏଥିସହ ସେ ଏଜ୍‌ବାଷ୍ଟନ୍‌ରେ ୧ ରନ୍‌ରେ ୫ ୱିକେଟ୍‌ ଅକ୍ତିଆର କରିଥିଲେ ଏବଂ ଇଂଲଣ୍ଡ ଶୃଙ୍ଖଳାକୁ ୩-୧ରେ ଜିତିଥିଲା।

ସମ୍ବନ୍ଧିତ ଖବର