ମେଲବର୍ଣ୍ଣ: ଭାରତୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନ୍ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ବିଜେତା ହୋଇଛନ୍ତି। ଶନିବାର ଫାଇନାଲ୍ରେ ଏହି ଯୋଡ଼ି ୭-୬, ୭-୫ରେ ଇଟାଲିର ସିମୋନି ବୋଲେଲି ଓ ଆନ୍ଦ୍ରିଆ ଭାଭାସୋରିଙ୍କୁ ପରାସ୍ତ କରିଥିଲେ। ୧ଘଣ୍ଟା ୩୯ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ଏହାଦ୍ବାରା ୪୩ ବର୍ଷୀୟ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ୍ ବିଜେତା ହେବାର
କୀର୍ତ୍ତିମାନ କରିଛନ୍ତି। ଏହା ବୋପାନ୍ନାଙ୍କ ପ୍ରଥମ ଯୁଗଳ ଗ୍ରାଣ୍ଡସ୍ଲାମ୍ ଟ୍ରଫି। ପୂର୍ବରୁ ସେ ଦୁଇଥର ଫାଇନାଲ୍ (୨୦୧୩ ଓ ୨୦୨୩ ୟୁଏସ୍ ଓପନ୍) ଖେଳିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ। ୨୦୧୭ ଫ୍ରେଞ୍ଚ ଓପନ୍ରେ ବୋପାନ୍ନା ମିଶ୍ରିତ ଯୁଗଳରେ ବିଜେତା ହୋଇଥିଲେ। କିନ୍ତୁ ଗତବର୍ଷ ଅଷ୍ଟ୍ରେଲିଆ ଓପନ୍ ମିଶ୍ରିତ ଯୁଗଳ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ଟାଇଟଲ୍ ଜିତିପାରି ନଥିଲେ। ଚଳିତ ଋତୁର ଫାଇନାଲ୍ ଯାତ୍ରା ପୂର୍ବରୁ ଏହି ଭାରତ-ଅଷ୍ଟ୍ରେଲୀୟ ଯୋଡ଼ି ସେମିଫାଇନାଲ୍ରେ ଚୀନ୍ର ଝାଙ୍ଗ୍ ଝିଝେନ୍ ଓ ଚେକ୍ ରିପବ୍ଲିକ୍ର ଟୋମାସ୍ ମଚାକ୍ଙ୍କୁ ୬-୩, ୩-୬, ୭-୬ରେ ହରାଇଥିଲେ। ବୋପାନ୍ନାଙ୍କ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗ୍, ଅନୀଲ କୁମ୍ବଲେ, ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ଭଳି ଅନେକ କ୍ରୀଡ଼ାପ୍ରେମୀ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ବୋପାନ୍ନା ବୟସ୍କ ଗ୍ରାଣ୍ଡସ୍ଲାମ୍ ବିଜେତା
/sambad/media/post_attachments/wp-content/uploads/2024/01/fshfshfhhf.jpg)