ଐତିହାସିକ ମ୍ୟାଚ୍‌ରେ ଜିତିଲେ ବୋପାନ୍ନା-ସାନିଆ

ଲଣ୍ଡନ : ପ୍ରଥମ ଥର ଲାଗି ଦୁଇ ଭାରତୀୟ ଯୋଡ଼ିଙ୍କ ମଧ୍ୟରେ ଖେଳାଯାଇଥିବା ଐତିହାସିକ ୱିମ୍ବଲଡନ୍‌ ମିଶ୍ରିତ ଯୁଗଳ ମ୍ୟାଚ୍‌‌ରେ ଅଭିଜ୍ଞ ଯୋଡ଼ି ରୋହନ ବୋପାନ୍ନା ଓ ସାନିଆ ମିର୍ଜା ବିଜୟୀ ହୋଇଛନ୍ତି। ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ବୋପାନ୍ନା ଓ ସାନିଆ ୬-୨, ୭-୬ (୫) ସିଧାସଳଖ ସେଟ୍‌ରେ ନୂଆ ଯୋଡ଼ି ରାମକୁମାର ରାମନାଥନ ଓ ଅଙ୍କିତା ରାଇନାଙ୍କୁ ‌ପରାସ୍ତ କରିଥିଲେ। ଦୁଇ ଭାରତୀୟ ଯୋଡ଼ି ନିଜ ନିଜ ବିପକ୍ଷରେ ଖେଳିବା ଗ୍ରାଣ୍ଡ ସ୍ଲାମ୍‌ ଇତିହାସରେ ମଧ୍ୟ ପ୍ରଥମ ଘଟଣା ଥିଲା। ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ‌ବୋପାନ୍ନା-ସାନିଆ ସହଜରେ ଜିତିଥିଲେ। ହେଲେ ଦ୍ବିତୀୟ ସେଟ୍‌ରେ ଅନଭିଜ୍ଞ ରାମକୁମାର-ଅଙ୍କିତା କଡ଼ା ଟକ୍କର ଦେଇଥିଲେ। ମହିଳା ଯୁଗଳରେ ସାନିଆ ଆମେରିକୀୟ ସାଥୀ ବେଥାନି ମାଟେକ-ସାଣ୍ଡ୍ସଙ୍କ ସହ ଦ୍ବିତୀୟ ପର୍ଯ୍ୟାୟ‌ରେ ପହଞ୍ଚିଥିଲା ବେଳେ ଅଙ୍କିତା ଓ ତାଙ୍କ ଆମେରିକୀୟ ସାଥୀ ଲରେନ ଡେଭିସ ପ୍ରଥମ ପର୍ଯ୍ୟାୟରେ ହାରି ବିଦାୟ ନେଇଛନ୍ତି। ପୁରୁଷ ଯୁଗଳରେ ଭାରତୀୟ ଯୋଡି ବୋପାନ୍ନା ଓ ଦିଭିଜ ସରଣ ଆରମ୍ଭରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର