ନୂଆଦିଲ୍ଲୀ: ଭାରତୀୟ ଟେନିସ୍ କିଂଦବନ୍ତି ରୋହନ ବୋପାନ୍ନା ପୁଣି ଥରେ ଏଟିପି ମାନ୍ୟତାରେ ଏକ ନମ୍ବର ସ୍ଥାନ ଦଖଲ କରିବା ପଥ ପରିସ୍କାର ହୋଇଛି। ମିଆମି ଓପନ୍‌ର ଯୁଗଳ ବର୍ଗରେ ଫାଇନାଲ୍‌କୁ ଉନ୍ନୀତ ହେବା ପରେ ବୋପାନ୍ନାଙ୍କ ସମ୍ଭାବନା ବଢ଼ିଯାଇଛି। ଗୁରୁବାର ‌ସ୍ପେନ୍‌ର ମାର୍ସେଲ ଗ୍ରନୋଲର୍ସ ଓ ଆର୍ଜେଣ୍ଟିନାର ହୋରାସିଓ ଜିବାଲୋଙ୍କୁ ସିଧାସଳଖ ସେଟ୍‌ ୬-୧, ୬-୪ରେ ପରାସ୍ତ କରି ବୋପାନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବେଦେନ୍‌ ଫାଇନାଲ୍‌କୁ ଉଠିଛନ୍ତି। ସୋମବାର ଏଟିପି ମାନ୍ୟତା ଅପଡେଟ୍‌ ହେବା ପରେ ଏହା ସ୍ପଷ୍ଟ ହୋଇଯିବ। ୪୪ ବର୍ଷୀୟ ବୋପାନ୍ନା ଜାନୁଆରି ମାସରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବା ପରେ ଯୁଗଳ ବର୍ଗରେ ବିଶ୍ବର ଏକ ନମ୍ବର ମାନ୍ୟତା ଦଖଲ କରିଥିଲେ। ଏ କ୍ଷେତ୍ରରେ ସେ ମଧ୍ୟ ବୟୋଜ୍ୟେଷ୍ଠ ଖେଳାଳି ହୋଇଥିଲେ। କିନ୍ତୁ ଗତ ଦୁବାଇ ଚାମ୍ପିଅନସିପ୍‌ରେ କ୍ବାର୍ଟରଫାଇନାଲ୍‌ ଓ ଇଣ୍ଡିଆନ୍ସ ୱେଲ୍ସ ମାଷ୍ଟର୍ସର ରାଉଣ୍ଡ୍ ଅଫ୍‌ ୩୨ରେ ପରାସ୍ତ ହେବା ପରେ ଦ୍ବିତୀୟ ସ୍ଥାନକୁ ଖସିଆସିଥିଲେ। ବୋପାନ୍ନା ଓ ଏବେଦେନ୍‌ ଯୋଡ଼ି ମିଆମି ଓପନ୍ ଫାଇନାଲ୍‌ରେ କ୍ରୋଏସିଆର ଇଭାନ ଡୋଡିଗ୍‌ ଓ ଆମେରିକାର ଅଷ୍ଟିନ୍ କ୍ରାଇସେକ୍‌ଙ୍କୁ ଭେଟିବେ। ଏହା ବୋପାନ୍ନାଙ୍କର ୧୪ତମ ଏଟିପି ମାଷ୍ଟର୍ସ ୧୦୦୦ର ଫାଇନାଲ୍ ଏବଂ ମିଆମିରେ ପ୍ରଥମ ଫାଇନାଲ୍ ହୋଇଛି। ମୋଟ ଉପରେ କିନ୍ତୁ ସେ ୬୩ତମ ଫାଇନାଲ୍ ଖେଳିବେ ଯାହା ପୂର୍ବରୁ ୨୫ ଟ୍ରଫି ଜିତି ସାରିଛନ୍ତି। ବୋପାନ୍ନା ଓ ‌ଏବେଦେନଙ୍କ ପାଇଁ କିନ୍ତୁ ଏହା ପଞ୍ଚମ ଏଟିପି ମାଷ୍ଟର୍ସ ୧୦୦୦ର ଫାଇନାଲ୍। ସମସ୍ତ ୯ଟି ଯାକ ଏଟିପି ମାଷ୍ଟର୍ସ ଫାଇନାଲ୍ ପ୍ରବେଶ କରିବାରେ ବୋପାନ୍ନା ମଧ୍ୟ ଲିଆଣ୍ଡର ପେସ୍‌ଙ୍କ ପରେ ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି।