ବେଙ୍ଗାଲୁରୁ: ଭାରତର ତାରକା ଟେନିସ୍ ଖେଳାଳି ରୋହନ ବୋପାନ୍ନା ସେପ୍ଟେମ୍ବରରେ ଡେଭିସ୍ କପ୍ରୁ ଅବସର ନେବାକୁ ବୁଧବାର ଘୋଷଣା କରିଛନ୍ତି। ଏହି ମାସରେ ମରକ୍କୋ ବିପକ୍ଷରେ ଘରୋଇ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହି କର୍ଣ୍ଣାଟକ ଖେଳାଳି ତାଙ୍କର ବିଦାୟୀ ମ୍ୟାଚ୍କୁ ନିଜ ରାଜ୍ୟରେ ଖେଳିବାରୁ ବଞ୍ଚିତ ହେବେ। ବୋପାନ୍ନା ତାଙ୍କର ଶେଷ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳିବାକୁ ଆଗ୍ରହ ରଖିଥିଲେ ବି, ଆଇଟା ପକ୍ଷରୁ ଉକ୍ତ ମ୍ୟାଚ୍କୁ ଉତ୍ତରପ୍ରଦେଶରେ କରାଯିବାକୁ ସ୍ଥିର କରିଛି। ୪୩ ବର୍ଷୀୟ ବୋପାନ୍ନା ୨୦୦୨ ମସିହାରେ ଡେଭିସ୍ କପ୍ ପଦାର୍ପଣ କରିଥିଲେ ଏବଂ ଏପର୍ଯ୍ୟନ୍ତ ସେ ଏଟିପ୍ ଟୁର୍ରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଡେଭିସ୍ କପ୍ରେ ଭାରତ ପାଇଁ ସେ ୩୨ ମ୍ୟାଚ୍ରେ ପ୍ରତିନିଧିତ୍ବ କରିଛନ୍ତି। ବିଦାୟୀ ମ୍ୟାଚ୍ ସଂକ୍ରାନ୍ତରେ ସେ ସାଥୀ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତେ ଶେଷ ଥର ପାଇଁ ତାଙ୍କ ମ୍ୟାଚ୍ ଦେଖିବାକୁ ଆସିବା ପାଇଁ ବୋପାନ୍ନା ଅନୁରୋଧ କରିଛନ୍ତି। ପୂର୍ବରୁ ଲିଆଣ୍ଡର ପେସ୍ ଭାରତ ପାଇଁ ସବୁଠୁ ଅଧିକ ୫୮ ମ୍ୟାଚ୍ ଖେଳିଥିଲା ବେଳେ ଜୟଦୀପ ମୁଖାର୍ଜୀ (୪୩), ରାମନାଥନ୍ କ୍ରିଷ୍ଣନ (୪୩), ପ୍ରେମଜିତ୍ ଲାଲ୍ (୪୧), ଆନନ୍ଦ ଅମୃତରାଜ (୩୯), ମହେଶ ଭୂପତି (୩୫), ବିଜୟ ଅମୃତରାଜ (୩୨) ସର୍ବାଧିକ ମାଚ୍ ଖେଳିଛନ୍ତି। ବୋପାନ୍ନା ତାଙ୍କ ୩୨ ମ୍ୟାଚ୍ ମଧ୍ୟରୁ ୧୨ ଟି ଏକକ ମ୍ୟାଚ୍ ଜିତିଥିଲା ବେଳେ ୧୦ ଯୁଗଳରେ ବିଜୟୀ ହୋଇଛନ୍ତି। ଗତ ମାର୍ଚ୍ଚ ମାସରେ ଆମେରିକାର ଇଣ୍ଡିଆନ୍ ୱେଲ୍ସରେ ବୟସ୍କ ଖେଳାଳି ଭାବେ ଏଟିପି ୧୦୦୦ ମାଷ୍ଟର୍ସ ସରିଜ୍ ପ୍ରତିଯୋଗିତା ବିଜେତା ହୋଇଥିଲେ।