ପ୍ୟାରିସ: ଭାରତର ପ୍ରମୁଖ ତାରକା ରୋହନ ବୋପାନ୍ନା ପ୍ରଥମ ଥର ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସୋମବାର ରାତିରେ ଏଠାରେ ଖେଳାଯାଇଥିବା ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍ରେ ସେ ଓ ତାଙ୍କ ନେଦରଲାଣ୍ଡ୍ସ ସାଥୀ ମାତୱେ ମିଡଲକୁପ ୪-୬, ୬-୪, ୭-୬ (୩) ସେଟ୍ରେ ବ୍ରିଟେନ-ଫିନ୍ଲାଣ୍ଡ ଯୋଡ଼ି ଲୟଡ ଗ୍ଲାସପୁଲ ଓ ହେନରି ହେଲିଓଭାରାଙ୍କୁ ପରାସ୍ତ କରିଥିଲେ। ଗୁରୁବାର ସେମିଫାଇନାଲ୍ରେ ୪୨ ବର୍ଷୀୟ ବୋପାନ୍ନ ଓ ୩୮ ବର୍ଷୀୟ ମିଡିଲକୁପ୍ ଦ୍ବାଦଶ ମାନ୍ୟତାପ୍ରାପ୍ତ ମାର୍ସିଲୋ ଆରେଭାଲୋ ଓ ଜିନ୍-ଜୁଲିଏନ ରୋଜରଙ୍କୁ ଭେଟିବେ। ୭ ବର୍ଷ ପରେ ବୋପାନ୍ନାଙ୍କ ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ ସେମିଫାଇନାଲ୍। ୨୦୧୫ରେ ଶେଷ ଥର ଲାଗି ବୋପାନ୍ନା ରୋମାନିଆର ଫ୍ଲୋରିନ ମର୍ଜିଆଙ୍କୁ ସାଥୀ କରି ୱିମ୍ବଲଡନ୍ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ଏଥିରେ ଭାରତ-ରୋମାନିଆ ଯୋଡ଼ି ଜିନ୍-ଜୁଲିଏନ ରୋଜର ଓ ହୋରିଆ ଟେକାଉଙ୍କଠୁ ହାରି ବିଦାୟ ନେଇଥିଲେ।
ମହିଳା ଯୁଗଳରେ ହାରିଲେ ସାନିଆ
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ଚେକ୍ ରିପବ୍ଲିକ୍ର ଲୁସି ହ୍ରାଡେକା ମହିଳା ଯୁଗଳ ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଦଶମ ମାନ୍ୟତାପ୍ରାପ୍ତ ଏହି ଭାରତ-ଚେକ୍ ରିପବ୍ଲିକ୍ ଯୋଡ଼ିକୁ ଅଷ୍ଟମ ମାନ୍ୟତାପ୍ରାପ୍ତ ଆମେରିକାର ଜେସିକା ପେଗୁଲା ଓ କୋରି ଗଫ୍ ୬-୪, ୬-୩ ସିଧାସଳଖ ସେଟ୍ରେ ହରାଇ କ୍ବାର୍ଟର ଫାଇନାଲ୍କୁ ଯାଇଛନ୍ତି।
ସେମିରେ ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ,
ଅଣମାନ୍ୟତାପ୍ରାପ୍ତ ଇଟାଲିର ମାର୍ଟିନା ଟ୍ରେଭିସାନ ଚଳିତ ଫ୍ରେଞ୍ଚ୍ ଓପନ୍ ମହିଳା ଏକକ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ସେ ୬-୨, ୬-୭ (୩), ୬-୩ ସେଟ୍ରେ କାନାଡ଼ା କିଶୋରୀ ଲିଲା ଫର୍ଣ୍ଣାଡେଜଙ୍କୁ ହରାଇଥିଲେ। ରୋଲାଁ ଗ୍ୟାରୋସ ସେମିଫାଇନାଲ୍ରେ ପହଞ୍ଚିବାରେ ଟ୍ରେଭିସାନ ଅଷ୍ଟମ ଇଟାଲି ଖେଳାଳି ଏବଂ ୨୦୧୩ ପରେ ପ୍ରଥମ ଇଟାଲୀୟ ମହିଳା ହୋଇଛନ୍ତି। ଏହା ମଧ୍ୟ ତାଙ୍କର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍। ଫାଇନାଲ୍ ସ୍ଥାନ ପାଇଁ େସ ଆମେରିକାର ୧୮ ବର୍ଷୀୟ ଯୁବତୀ କୋକୋ ଗଫ୍ଙ୍କୁ ଭେଟିବେ। ଗଫ୍ ୭-୫, ୬-୨ ସେଟ୍ରେ ୨୦୧୮ ଫାଇନାଲିଷ୍ଟ ନିଜ ଦେଶର ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ଭେଟିବେ। ଗଫ୍ଙ୍କ ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ ସେମିଫାଇନାଲ୍।
ମେଦଭେଦେଭଙ୍କୁ ବିଦା କଲେ ସିଲିକ
ବିଶ୍ବର ୨ ନମ୍ବର ଡାନିଲ ମେଦଭେଦେଭଙ୍କ ଅଭିଯାନ ପ୍ରିକ୍ବାର୍ଟର ଫାଇନାଲ୍ରେ ଶେଷ ହୋଇଛି। ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍ରେ ତାଙ୍କୁ ୬-୨, ୬-୩, ୬-୨ ସିଧାସଳଖ ସେଟ୍ରେ କ୍ରୋଏସିଆର ମାରିନ ସିଲିକ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ୨୦୧୪ ୟୁଏସ୍ ଓପନ୍ ବିଜେତା ତଥା ବିଂଶ ମାନ୍ୟତାପ୍ରାପ୍ତ ସିଲିକ୍ କ୍ବାର୍ଟର ଫାଇନାଲ୍ରେ ରୁଷିଆର ଆନ୍ଦ୍ରେ ରୁବଲେଭଙ୍କୁ ଭେଟିବେ। ମେଦଭେଦେଭ ୨୦୨୧ ୟୁଏସ୍ ଓପନ୍ ବିଜେତା ଓ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲିଷ୍ଟ।