ପ୍ୟାରିସ୍‌: ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଫ୍ରେଞ୍ଚ୍‌ ଓପନ୍‌ର ପୁରୁଷ ଯୁଗଳରେ ରୋହନ ବୋପାନ୍ନା ଏକମାତ୍ର ଭାରତୀୟ ଭାବେ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିବା ବ୍ୟତୀତ ସପ୍ତମ ଦିବସ ଭାରତର ପାଇଁ ନିରାଶା ଆଣିଦେଇଛି। ଶନିବାର ପୁରୁଷ ଯୁଗଳ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଫ୍ରାନ୍‌ସର ରୋଜର ଏଡୁଓ୍ଵାର୍ଡୋ ଭାସେଲିନ୍‌ଙ୍କୁ ସାଥୀ କରି ଖେଳିଥିବା ତ୍ରୟୋଦଶ ମାନ୍ୟତା ବୋପାନ୍ନା ୬-୪ ଓ ୭-୬ ସିଧାସଳଖ ସେଟ୍‌ରେ ଶୀର୍ଷ ମାନ୍ୟତା ଯୋଡ଼ି ମାର୍ସେଲେ ମେଲୋ ଓ ଲୁକାସ୍‌ କୁବୋଟ୍‌ଙ୍କୁ ପରାସ୍ତ କରି ବୃହତ୍‌ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।

Advertisment

ତେବେ ଶୁକ୍ରବାର ଷଷ୍ଠ ଦିବସରେ ୟୁକି ଭାମ୍ବ୍ରି ଓ ଦିବିଜ ଶରନ୍‌ଙ୍କ ଯୋଡ଼ି ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲା ବେଳେ ଶନିବାର ସପ୍ତମ ଦିବସରେ ଶରନ୍‌ ଓ ରୋହନ ବୋପାନ୍ନା ମିଶ୍ରିତ ଯୁଗଳ ଦ୍ୱିତୀୟ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ସପ୍ତମ ମାନ୍ୟତା ବୋପାନ୍ନା ଓ ତାଙ୍କ ହଙ୍ଗେରି ସାଥୀ ତିମିଆ ବାବୋସ୍‌ ଦ୍ୱିତୀୟ ରାଉଣ୍ଡ୍‌ରେ ସିଧାସଳଖ ୨-୬ ଓ ୩-୬ ସେଟ୍‌ରେ ଅଷ୍ଟ୍ରେଲିଆ-ଚୀନ୍‌ ଯୋଡ଼ି ଜନ୍‌ ପିଅର୍ସ ଓ ସୁଆଇ ଝାଙ୍ଗ୍‌ଙ୍କ ନିକଟରୁ ହାରି ଯାଇଥିଲା ବେଳେ ଶରନ୍‌ ଓ ତାଙ୍କ ଜାପାନ ସାଥୀ ସୁକୋ ଅୟୋମା ମଧ୍ୟ ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ଲୋଭାକିଆ-ମେକ୍ସିକୋ ଯୋଡ଼ି ପ୍ରାୟ ୬୫ ମିନିଟ୍‌ ସଂଘର୍ଷ କରିବା ପରେ କାଟେରିନା ସ୍ରେବୋତ୍‌ନିକ୍‌ ଓ ସାନ୍ତିଆଗୋ ଗୋଞ୍ଜାଲେଜ୍‌ଙ୍କ ନିକଟରୁ ୬-୨, ୩-୬ ଓ ୫-୧୦ ସେଟ୍‌ରେ ହାରିଗଲେ।