ପର୍ଥ: ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫିର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବିଶ୍ବ କ୍ରିକେଟ୍‌ର ଦୁଇ ମହାରଥୀ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ମହାଲଢ଼େଇର ପ୍ରଥମ ମୁକାବିଲା ପର୍ଥର ନବନିର୍ମିତ ଷ୍ଟାଡିୟମ୍ ‘ଅପଟସ୍‌’ରେ ଶୁକ୍ରବାରଠାରୁ ଖେଳାଯିବ। ଏହା ପୂର୍ବରୁ ଉଭୟ ଦଳ ନିଜ ନିଜର କ୍ରିକେଟ୍‌ ଅସ୍ତ୍ରଶସ୍ତ୍ର ଓ ରଣନୀତିକୁ ଶାଣିତ କରିବାରେ ଲାଗି ପଡ଼ିଛନ୍ତି। କାରଣ ଏହି ଶୃଙ୍ଖଳା କେବଳ ଜୟ/ପରାଜୟ ନୁହେଁ, ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବା ନେଇ ଉଭୟ ଦଳ ପାଇଁ ଢେର ଗୁରୁତ୍ବ ବହନ କରୁଛି। ଏହା ଜାଣି ପରସ୍ପର ଉପରେ ମନସ୍ତାତ୍ତିକ ଚାପ ସୃଷ୍ଟି କରିବାକୁ ଦୁଇ ଦଳ, ସେମାନଙ୍କ ସମର୍ଥକ ଓ ପୂର୍ବତନ ଖେଳାଳି ଶବ୍ଦ ବାଣ ଛାଡ଼ିବା ଆରମ୍ଭ ଦେଇଛନ୍ତି। 

Advertisment

ନ୍ୟୁଜିଲାଣ୍ଡଠାରୁ ଘରୋଇ ପରିବେଶରେ ଅପ୍ରତ୍ୟାଶିତ ଭାବେ ୦-୩ରେ ମୂଳପୋଛ ହେବା ଭାରତ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା ବେଳେ ଅଷ୍ଟ୍ରେଲିଆ ପାଇଁ ନୂଆ ସୁଯୋଗ ନେଇ ଆସିଛି। ପୁଣି ବର୍ଡର-ଗାଭାସ୍କର ଟ୍ରଫି ଦେଢ଼ ଦଶନ୍ଧିରୁ ଅଧିକ ସମୟ ହେବ ଭାରତ ପାଖରେ ରହିବା ସ୍ଥିତିକୁ ଅଷ୍ଟ୍ରେଲିଆ ପାଇଁ ଆହୁରି ଆହ୍ବାନପୂର୍ଣ୍ଣ କରିଛି। ଘରୋଇ ପରିବେଶରେ ଭାରତଠାରୁ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖକୁ ନେବାକୁ କଙ୍ଗାରୁ ଦଳ ବ୍ୟଗ୍ର ରହିଛି। ଭାରତ ପାଇଁ ମଧ୍ୟ ଏହି ଶୃଙ୍ଖଳା ଅନ୍ୟତମ କଠିନ ପରୀକ୍ଷାଠାରୁ କିଛି କମ୍ ହେବାକୁ ଯାଉନି। ପ୍ରଥମ ଟେଷ୍ଟ୍‌ରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତି, ବିରାଟ କୋହଲିଙ୍କ ବିଫଳତା ଧାରା, ଶୁବମନ୍ ଗିଲ୍‌ଙ୍କ ଅଙ୍ଗୁଳି ଭାଙ୍ଗିବା ସହ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଦଳରେ ନରହିବା ଭାରତ ସ୍ଥିତିକୁ ଜଟିଳ କରିଦେଇଛି। ପୁଣି ରବୀନ୍ଦ୍ର ଜାଡ଼େଜା ଓ ଆର୍‌ ଅଶ୍ବିନଙ୍କ ଭଳି ଖେଳାଳି ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ନିଷ୍ପ୍ରଭ ରହିବା ଦଳର ଆତ୍ମବିଶ୍ବାସକୁ କିଛିଟା ଦୋହଲାଇ ଦେଇଛି। ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମୁଣ୍ଡରେ ତ ଡେମୋକ୍ଲିସ୍‌ଙ୍କ ଖଣ୍ଡା ଝୁଲୁଛ। ଏହି ଶୃଙ୍ଖଳାରେ ଯଦି ଭାରତ ଗତ ନ୍ୟୁଜିଲାଣ୍ଡ ଶୃଙ୍ଖଳା ଭଳି ଖେଳେ, ତେବେ ତାଙ୍କ ଆସନ ଟଳମଳ ହେବାର ଯଥେଷ୍ଟ ଆଶଙ୍କା ରହିଛି।  

ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣାଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ବାହିନୀ ଉପରେ ଗୁରୁଦାୟିତ୍ବ ରହିଛି। ଅଷ୍ଟ୍ରେଲୀୟ ପିଚ୍ ଭାରତଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏବଂ ଦ୍ରୁତ ବୋଲର ଏକପ୍ରକାର ଦବ୍‌ଦବା କାଏମ ରଖୁଥିବାରୁ ଭାରତର ସଫଳତା ଏମାନଙ୍କ ଉପରେ ଢେର ନିର୍ଭରଶୀଳ ରହିବ। ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲରର ଅଘୋଷିତ ମାନ୍ୟତା ପାଇଥିବା‌ ବୁମ୍‌ରାଙ୍କ କାନ୍ଧରେ ହିଁ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ଭାର ରହିବ। ୨୦୧୮-୧୯ ଶୃଙ୍ଖଳା ବିଜୟରେ ବୁମ୍‌ରା ଏକାକୀ ୨୧ ୱିକେଟ୍ ଅକ୍ତିଆର କରିଥିଲେ। ସେହିଭଳି ୨୦୨୦-୨୧ରେ ସିରାଜ ୭୩ ରନ୍ ବିନିମୟରେ ୫ ୱିକେଟ୍ ନେଇ ବ୍ରିସବନ୍‌ରେ ଭାରତର ଐତିହାସିକ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଭାରତୀୟ ବୋଲିଂ ବାହିନୀ ପାଇଁ ଭଲ କଥା ହେଲା ସଂପ୍ରତି ଅଷ୍ଟ୍ରେଲିଆର ପୂରା ଶୀର୍ଷକ୍ରମ ରନ୍ ପାଇଁ ସଂଘର୍ଷ କରୁଛି। ନାଥନ ମ୍ୟାକସ୍ବିନୀଙ୍କ ଭଳି ନବାଗତ ବ୍ୟାଟର୍ ପର୍ଥରେ ପାଳି ଆରମ୍ଭ କରିବେ। ମାର୍ନସ ଲବୁସାନ୍, ମିଚେଲ ମାର୍ସ ଓ ଷ୍ଟିଭ୍ ସ୍ମିଥ୍ ମଧ୍ୟ ନିକଟ ଅତୀତରେ ଭଲ କରି ନାହାନ୍ତି। ଏଣୁ ଅଷ୍ଟ୍ରେଲିଆର ବ୍ୟାଟିଂ ବୋଝ ମୁଖ୍ୟତଃ ଟ୍ରାଭିସ୍ ହେଡ୍ ଏବଂ ୱିକେଟ୍‌ରକ୍ଷକ ବ୍ୟାଟର୍ ଆଲେକ୍ସ କ୍ୟାରିଙ୍କ କାନ୍ଧ‌ରେ ରହିବ। ଭାରତୀୟ ବୋଲର ପ୍ରତିପକ୍ଷ ଦଳର ୨୦ ୱିକେଟ୍ ଅକ୍ତିଆର କରିବା ଉପରେ ବି ଟିମ୍ ଇଣ୍ଡିଆର ସଫଳତା ଓ ବିଫଳତା ଅନେକାଂଶରେ ନିର୍ଭର କରିବ। ଏଭଳି ସ୍ଥିତିରେ ବର୍ଡର-ଗାଭାସ୍କର ଟ୍ରଫିର ଇତିହାସ ସହ ସଂଖ୍ୟା ଖେଳକୁ ଅନୁଶୀଳନ କରିବା ଏକପ୍ରକାର ଅବଶ୍ୟମ୍ଭାବୀ ହୋଇପଡ଼ିଛି।

ସର୍ବାଧିକ ୱିକେଟ୍ (ଲାୟନ ୧, ଅଶ୍ବିନ ୨)
ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ୍ ନେବାରେ ସ୍ପିନର୍‌ମାନେ ଆଗୁଆ ରହିଛନ୍ତି। ଅଷ୍ଟ୍ରେଲିଆର ନାଥନ ଲାୟନ ଓ ଭାରତର ଆର୍‌ ଅଶ୍ବିନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଲାୟନ ୨୬ ମ୍ୟାଚ୍ ଖେଳି ୧୧୬ ଏବଂ ଅଶ୍ବିନ ୨୨ ମ୍ୟାଚ୍‌ରୁ ୧୧୪ ୱିକେଟ୍ କରାୟତ୍ତ କରିଛନ୍ତି। ଏଣୁ ଉଭୟ ଆଗାମୀ ଶୃଙ୍ଖଳାରେ ନୂଆ କୀର୍ତ୍ତିମାନ ଗଢ଼ିବା ଲକ୍ଷ୍ୟରେ ରହିଛନ୍ତି। ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ କିନ୍ତୁ ଅଶ୍ବିନଙ୍କୁ ଲାୟନ ଭୂୟସୀ ପ୍ରଶଂସା କରିବା ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ସୋମବାର ଏକ ସାକ୍ଷାତକାର ଅବସରରେ ‘‘ମୁଁ ଅଶ୍ବିନଙ୍କଠାରୁ ଅନେକ କିଛି ଶିଖିଛି, ସେ ମୋତେ ଅନେକ କିଛି ଶିକ୍ଷାଇଛନ୍ତି’’ ବୋଲି କହି ଲାୟନ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। 

ସର୍ବାଧିକ ଶତକ (ସଚିନ ୧, ସ୍ମିଥ୍ ୨)
ବିଜିଟି ଶୃଙ୍ଖଳାର ସର୍ବାଧିକ ଶତକରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସବୁଠୁ ଆଗୁଆ ରହିଛନ୍ତି। ତାଙ୍କ ନାଁରେ ସର୍ବମୋଟ ୯ଟି ଶତକ ରହିଛି। ସଚିନଙ୍କ ପଛରେ ରହିଛନ୍ତି ଷ୍ଟିଭନେ୍ ସ୍ମିଥ୍, ବିରାଟ କୋହଲି ଓ ରିକି ପଣ୍ଟିଂ। ତିନି ଜଣ ଯାକ ୮ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି। ପଣ୍ଟିଂ ଓ ସଚିନ କାହିଁ କେତେ ଦିନରୁ ଅବସର ଘୋଷଣା କରି ସାରିଥିବାରୁ ଆଗାମୀ ଶୃଙ୍ଖଳାରେ ମୁଖ୍ୟତଃ ସ୍ମିଥ୍ ଓ କୋହଲିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଉଭୟ ସଚିନଙ୍କୁ ଟପିବା ଲକ୍ଷ୍ୟରେ ରହିବେ। ମଜାଦାର କଥା ହେଲା ସ୍ମିଥ୍ ୨୦୨୩ ଜୁନ୍ ଏବଂ କୋହଲି ୨୦୨୩ ଜୁଲାଇରୁ ଶତକ ଅର୍ଜନ କରି ନାହାନ୍ତି। ଉଭୟ ମଧ୍ୟ ଭଲ ଫର୍ମରେ ନାହାନ୍ତି। ଦୁଇଜଣ ଯାକ ବି ନିଜନିଜ ଖେଳ ଜୀବନର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏଣୁ ସେମାନଙ୍କ ଉପରେ କ୍ରିକେଟ୍ ପ୍ରଶଂସକଙ୍କର ବିଶେଷ ନଜର ରହିଛି। 

ସର୍ବାଧିକ ରନ୍ (ସଚିନ ୧, କୋହଲି ୨)
ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାରେ ମହାନ କ୍ରିକେଟ୍ ତାରକା ସଚିନ ତେନ୍ଦୁଲକର ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ମୋଟ ଉପରେ ୧୮୦୯ ରନ୍ କରିଛନ୍ତି। ବିରାଟ କୋହଲି ଏହିକ୍ରମରେ ୫୪.୦୮ ହାରରେ ୧୩୫୨ ରନ୍ କରିଛନ୍ତି। ସଚିନଙ୍କୁ ଟପିବା ଲାଗି ଆଉ ୪୫୮ ରନ୍‌ ଦରକାର କରୁଛନ୍ତି। ଶୃଙ୍ଖଳାରେ ଗୋଟିଏ ଦିବା-ରାତ୍ର ଟେଷ୍ଟ୍ (ଆଡିଲେଡ୍) ସହ ପାଞ୍ଚଟି ମ୍ୟାଚ୍ ଥିବାରୁ ଏହି ଲକ୍ଷ୍ୟ ପୂରଣ କରିବା ସେତେଟା କଷ୍ଟକର ନୁହେଁ ବୋଲି ଆକଳନ କରାଯାଉଛି। 

ଭାରତ ଜିତିଛି ଗତ ୪ ଶୃଙ୍ଖଳା
ବର୍ଡର-ଗାଭାସ୍କର ଟ୍ରଫିର ବିଗତ ଚାରିଟି ଯାକ ଶୃଙ୍ଖଳା ଭାରତ ଜିତିଛି। ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ଦୁଇଟି ଘରୋଇ ପରିବେଶରେ ଜିତିଥିଲା ବେଳେ ଦୁଇଟି ଅଷ୍ଟ୍ରେଲିଆ ମାଟିରେ ବିଜୟୀ ହୋଇଛି। ୨୦୧୮-୧୯ ଓ ୨୦୨୦-୨୧ରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ଏହି ସଫଳତାକୁ ଦୋହରାଇଥିଲା।

କୋହଲି ପୂରା ଭୋକିଲା: ଗାଭାସ୍କର

ବର୍ଡର-ଗାଭାସ୍କର ଟ୍ରଫିରେ କିଂବଦନ୍ତି କ୍ରିକେଟର୍ ବିରାଟ କୋହଲି ଫର୍ମକୁ ଫେରିବାର ଭବିଷ୍ୟବାଣୀ କରିଛନ୍ତି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର୍। ସେ କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷରେ ରନ୍ କରି ନ ଥିବାରୁ ‌କୋହଲି ରନ୍ ପାଇଁ ପୂରା ଭୋକିଲା ଥିବେ। ଗତ ଗସ୍ତରେ ଭାରତୀୟ ଦଳ ଆଡିଲେଡ୍‌ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଯଦି ମୋର ଅନୁମାନ ଠିକ୍ ହୋଇଥାଏ, ତାହେଲେ କୋହଲି ଦ୍ବିତୀୟ ପାଳିରେ ୭୦ରୁ ଅଧିକ ରନ୍ କରିଥିଲେ। ଆଡିଲେଡ୍‌ରେ ସେ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି। ପର୍ଥ, ବ୍ରିସବେନ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେଟା ଖରାପ ନାହିଁ। ୨୦୧୮-୧୯ ଗସ୍ତରେ ପର୍ଥରେ ସେ ନିଜ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିଥିଲେ। ଯଦି ଭାଗ୍ୟ ତାଙ୍କ ସାଥ୍ ଦିଏ, କୋହଲି ନିଶ୍ଚିତ ଭାବେ ଭଲ ରନ୍ କରିବେ। ପୂର୍ବତନ ଭାରତୀୟ କ୍ରିକେଟର୍ ସଞ୍ଜୟ ମଞ୍ଜରେକର ମଧ୍ୟ ଗାଭାସ୍କରଙ୍କ ଏଭଳି ମନ୍ତବ୍ୟକୁ ସମର୍ଥନ କରିଛନ୍ତି। କୋହଲିଙ୍କ ଆଗରେ ଅଷ୍ଟ୍ରେଲିଆର କୌଣସି ରଣନୀତି କାମ ଦେବନି ବୋଲି ମତ ରଖିଛନ୍ତି ସେ।