ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ସମଗ୍ର କ୍ରିକେଟ୍ ଦୁନିଆ ଉଲ୍ଲସିତ, ଉତ୍ସାହିତ। ଭାରତ ବିଜୟ ଧାରା ବଜାୟ ରଖିବ ନା ଅଷ୍ଟ୍ରେଲିଆ ନୂଆ ଆରମ୍ଭ କରିବ, ସମସ୍ତଙ୍କୁ ଯେମିତି ଘାରିଛି ଏହି ଚର୍ଚ୍ଚା। ଭାରତ ପାଇଁ ଏଥରର ଅଭିଯାନ ସବୁଠୁ କଷ୍ଟକର ହେବାର ଆକଳନ ଓ ଅଙ୍କକଷା ଭିତରେ ପର୍ଥରେ ଟିମ୍ ଇଣ୍ଡିଆ ଏଥର ଗସ୍ତର ପ୍ରଥମ ପରୀକ୍ଷା ଦେବ। ଆସନ୍ତା ୨୨ ତାରିଖରୁ ଏହିଠାରେ ହିଁ ବହୁ ପ୍ରତୀକ୍ଷିତ ଶୃଙ୍ଖଳାର ଆଦ୍ୟାରମ୍ଭ ହେବ। ପର୍ଥରେ ଭାରତର ରେକର୍ଡ ସେତେଟା ଭଲ ନଥିଲା ବେଳେ ଏହି କଠିନ ପରୀକ୍ଷାରେ ଦଳ ଦୋହଲିବ ନା ଆତ୍ମବିଶ୍ବାସର ସହ ଖେଳି ବିଜୟରୁ ଗସ୍ତ ଆରମ୍ଭ କରିବ, ସେକଥା କେବଳ କ୍ରିକେଟ୍ ପଣ୍ଡିତଙ୍କୁ ନୁହେଁ କ୍ରିକେଟ୍ପ୍ରେମୀଙ୍କୁ ମଧ୍ୟ ଆନ୍ଦୋଳିତ କରୁଛି। ମୁଦ୍ରାର ଉଭୟ ପଟ ଭଳି ଭାରତୀୟ ଦଳର ଶକ୍ତି ଓ ଦୁର୍ବଳତାକୁ ସେମାନେ ତଉଲିବା ଆରମ୍ଭ କରି ଦେଇଛନ୍ତି। ଅଷ୍ଟ୍ରେଲିଆ ପରିବେଶରେ ନିଜକୁ ଖାପ ଖୁଆଇବା ଲାଗି ପ୍ରଥମେ ଐତିହାସିକ ୱାକା ଏବଂ ଆଜି ଦିନ ତମାମ ଅପଟସ୍ ଷ୍ଟାଡିୟମ୍ରେ ଜୋରଦାର ଅଭ୍ୟାସ କରି ଭାରତୀୟ ଖେଳାଳି କିନ୍ତୁ ନିଜ ଦୃଢ଼ ମାନସିକତା ଓ ଲଢ଼ୁଆ ସ୍ବଭାବର ବଳିଷ୍ଠ ନମୁନା ଦେଖାଇଛନ୍ତି।
ପର୍ଥ ପରିସଂଖ୍ୟାନ ଭାରତ ବିପକ୍ଷରେ ରହିବ। ଅବଶ୍ୟ ଏହି କ୍ଷେତ୍ରରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ପ୍ରତିବନ୍ଧକ ହୋଇଛି। ରେକର୍ଡ ଅନୁସାରେ ପର୍ଥର ପୁରୁଣା ୱାକା ଷ୍ଟାଡିୟମ୍ରେ ଭାରତ ଚାରିଟି ମ୍ୟାଚ୍ ଖେଳି କେବଳ ଗୋଟିଏ ବିଜୟ ହାସଲ କରିଛି। ସେହିଭଳି ଏଠାକାର ନବନିର୍ମିତ ଅପଟସ୍ ଷ୍ଟାଡିୟମ୍ରେ ଖେଳିଥିବା ଗୋଟିଏ ମ୍ୟାଚ୍ରେ ମଧ୍ୟ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିରାଟ କୋହଲିଙ୍କ ଲଢ଼ୁଆ ଶତକ ସତ୍ତ୍ବେ ୨୦୧୮ ଗସ୍ତରେ ଭାରତୀୟ ଦଳ ଏଠାରେ ଅଷ୍ଟ୍ରେଲିଆଠାରୁ ୧୪୬ ରନ୍ରେ ହାରିଥିଲା। ପର୍ଥର ୱାକା ଷ୍ଟାଡିୟମ୍ରେ ଭାରତ ପ୍ରଥମ ଥର ଲାଗି ୧୯୭୨ ମସିହାରେ ଖେଳିଥିଲା। ସେହି ଟେଷ୍ଟ୍ରେ କଡ଼ା ଟକ୍କର ଦେବା ସତ୍ତ୍ବେ ୨ ୱିକେଟ୍ରେ ହାରି ଯାଇଥିଲା। ସେହିଭଳି ୧୯୯୨, ୨୦୧୨ ଓ ୨୦୧୮ରେ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇବାକୁ ଅସମର୍ଥ ହୋଇଥିଲା। ୨୦୦୮ ମସିହାରେ ହାସଲ କରିଥିବା ଏକମାତ୍ର ବିଜୟରେ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ୍ ପ୍ରମୁଖ ଭୂମିକା ତୁଲାଇଥିଲେ। ପାଞ୍ଚ ୱିକେଟ୍ ସଫଳତା ସହ ଉଭୟ ପାଳିକୁ ମିଶାଇ ୭୪ ରନ୍ କରିଥିବା ପଠାନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବି ପାଇଥିଲେ। ଏଥର ଭାରତୀୟ ଦଳ ପର୍ଥରେ ଷଷ୍ଠ ଏବଂ ଅପଟସ୍ ଷ୍ଟାଡିୟମ୍ରେ ଦ୍ବିତୀୟ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳିବ।
କୋହଲି ସମସ୍ତଙ୍କ ଆଗରେ
ପର୍ଥରେ ଭାରତୀୟ କ୍ରିକେଟ୍ର କିଂବଦନ୍ତି ତାରକା ବିରାଟ କୋହଲିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଭାରତୀୟଙ୍କ ମଧ୍ୟରେ ଏକନମ୍ବର ସ୍ଥାନରେ ରହିଛନ୍ତି ସେ। କୋହଲି ଏଠାରେ ଦୁଇଟି ମ୍ୟାଚ୍ ଖେଳି ୨୫୯ ରନ୍ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ଲେଖାଏଁ ମ୍ୟାଚ୍ ୱାକା ଓ ଅପଟସ୍ ଷ୍ଟାଡିୟମ୍ରେ ଖେଳିଛନ୍ତି ସେ। ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କର ଠିକ୍ ପଛରେ ରହିଛନ୍ତି। ସଚିନ ନିଜର ତିନିଟି ଯାକ ମ୍ୟାଚ୍ ୱାକାରେ ଖେଳି ୨୨୬ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ଗୋଟିଏ ଶତକ।
ଗାଭାସ୍କରଙ୍କ ନାଁରେ ସର୍ବୋଚ୍ଚ ସ୍କୋର୍
ପର୍ଥରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ କରିବାର ରେକର୍ଡ ଲିଟଲ ମାଷ୍ଟର୍ ସୁନିଲ ଗାଭାସ୍କରଙ୍କ ନାଁରେ ରହିଛି। ୧୯୭୭ ମସିହାରେ ସେ ଖେଳିଥିବା ୧୨୭ ରନ୍ର ପାଳି ଭାରତୀୟଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଏଠାକାର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ହୋଇ ରହିଛି। ଏହା ସତ୍ତ୍ବେ ଅବଶ୍ୟ ଭାରତ ସେହି ମ୍ୟାଚ୍କୁ ହାରି ଯାଇଥିଲା। ତାଙ୍କ ପଛକୁ ଅଛନ୍ତି କୋହଲି। ଅପଟସ୍ ଷ୍ଟାଡିୟମ୍ରେ ୨୦୧୮ରେ ସେ ୧୨୩ ରନ୍ର ପାଳି ଖେଳିଥିଲେ। ଏହି ମ୍ୟାଚ୍ର ଫଳାଫଳ ବି ଭାରତ ସପକ୍ଷରେ ଯାଇ ନଥିଲା। 
ବେଦୀଙ୍କ ଖାତାରେ ଏକମାତ୍ର ୧୦ ୱିକେଟ୍ ସଫଳତା
ପର୍ଥର ୱାକା ଷ୍ଟାଡିୟମ୍ରେ ଆଜି ପର୍ଯ୍ୟନ୍ତ ମାତ୍ର ଜଣେ ଭାରତୀୟ କୌଣସି ଟେଷ୍ଟ୍ରେ ୧୦ ୱିକେଟ୍ ସଫଳତା ପାଇଛନ୍ତି। ସେ ହେଉଛନ୍ତି ମହାନ ସ୍ପିନର ବିଶନ ସିଂହ ବେଦୀ। ବେଦୀ ଭାରତର ୧୯୭୭ ଗସ୍ତରେ ଏଭଳି ଐତିହାସିକ ସଫଳତା ପାଇଥିଲେ। ଏଠାରେ ମାତ୍ର ଗୋଟିଏ ଟେଷ୍ଟ୍ ଖେଳିବା ସତ୍ତ୍ବେ ପର୍ଥରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହି ଆସୁଛନ୍ତି ସେ। 
ସାମି:ଶ୍ରେଷ୍ଠ ବୋଲିଂ ଚିତ୍ର
୨୦୧୮-୧୯ ଗସ୍ତରେ ମହମ୍ମଦ ସାମି ଭାରତ ପାଇଁ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ୫୬ ରନ୍ ଖର୍ଚ୍ଚ କରି ୬ ୱିକେଟ୍ କରାୟତ୍ତ କରିଥିଲେ ସେ। ହେଲେ ଭାରତକୁ ବିଜୟୀ କରାଇ ପାରି ନଥିଲେ। ଏହି ମ୍ୟାଚ୍କୁ ଘରୋଇ ଅଷ୍ଟ୍ରେଲିଆ ୧୪୬ ରନ୍ରେ ଜିତି ନେଇଥିଲା। 
ପୂଜାରା ଭାଷ୍ୟକାର
ଅଷ୍ଟ୍ରେଲିଆ ମାଟିରେ ଅନେକ ସ୍ମରଣୀୟ ପାଳି ଖେଳିଥିବା ନିର୍ଭରଯୋଗ୍ୟ ବ୍ୟାଟର୍ ଚେତେଶ୍ବର ପୂଜାରା ବର୍ଡର-ଗାଭାସ୍କର୍ ଟ୍ରଫିକୁ ଫେରିଛନ୍ତି। ତେବେ ଜଣେ ଖେଳାଳି ଭାବେ ନୁହେଁ, ବରଂ ଭାଷ୍ୟକାର ରୂପରେ। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର୍ ଶୃଙ୍ଖଳାର ସାନି ଲଢ଼େଇରେ ପୂଜାରା ଷ୍ଟାର୍ ସ୍ପୋର୍ଟସ ହିନ୍ଦୀ ପାଇଁ ଧାରାବିବରଣୀ ପ୍ରଦାନ କରିବେ। ଏହି ସୂଚନା ଷ୍ଟାର୍ ସ୍ପୋର୍ଟସ ଚ୍ୟାନେଲ ‘ଏକ୍ସ’ରେ ଦେଇଛି। ଭାରତର ୨୦୧୮-୧୯ ଗସ୍ତରେ ପୂଜାରା ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେହିବର୍ଷ ଖେଳିଥିବା ୭ ପାଳିରୁ ୭୪.୪୨ ହାରରେ ୫୨୧ ରନ୍ କରିଥିଲେ ସେ। ସେଥିମଧ୍ୟରେ ଥିଲା ତିନିଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ। ଏଥିଲାଗି ପୂଜାରା ବି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ସବୁଠୁ ବଡ଼ କଥା ହେଲା ତାଙ୍କ ପାଇଁ ଭାରତ ସେହିବର୍ଷ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିଥିଲା। ୩୬ ବର୍ଷୀୟ ପୂଜାରା ଅଷ୍ଟ୍ରେଲିଆରେ ୧୧ ମ୍ୟାଚ୍ ଖେଳି ୯୯୩ ରନ୍ କରିଛନ୍ତି। ତେବେ ଖରାପ ଫର୍ମ ପାଇଁ ଚଳିତବର୍ଷ ଚୟନକର୍ତ୍ତାମାନେ ତାଙ୍କ ନାଁକୁ ବିଚାରକୁ ନେଇ ନାହାନ୍ତି।
ବର୍ଷା ବି ରୋକିପାରିଲାନି ବିରାଟଙ୍କ ଅଭ୍ୟାସ
ଗତ କିଛି ଦିନ ହେବ ୱାକାରେ ଅଭ୍ୟାସ କରୁଥିବା ଭାରତୀୟ ଖେଳାଳିମାନେ ମଙ୍ଗଳବାର ପର୍ଥର ଅପଟସ୍ ଷ୍ଟାଡିୟମ୍ରେ ପ୍ରଥମ ଥର ଅଭ୍ୟାସ କରିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଭାରତୀୟ ଖେଳାଳିଙ୍କ ଅଭ୍ୟାସରେ ବର୍ଷା ବ୍ୟାଘାତ ସୃଷ୍ଟି କରିଥିଲା। ସେଥିପାଇଁ ଭାରତୀୟ ଖେଳାଳିମାନେ କିଛି ସମୟ ପରେ ନେଟ୍ସରୁ ଓହରି ଯାଇଥିଲେ। କୋହଲି କିନ୍ତୁ ଅଭ୍ୟାସ ଜାରି ରଖିଥିଲେ। ଝିପିଝିପି ବର୍ଷାରେ ପାଖାପାଖି ଅଧ ଘଣ୍ଟାରୁ ଅଧିକ ସମୟ ବ୍ୟାଟିଂ କରିଥିଲେ। ବର୍ଷାର ପ୍ରଭାବ ଅସହ୍ୟ ହେବା ପରେ ଯାଇ ଡ୍ରେସିଂ ରୁମ୍ ଫେରିବାକୁ ବାଧ୍ୟ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/DmS7RXSIz3e5Lbbkm034.jpg)
