ବର୍ଡର-ଗାଭାସ୍କର ଟ୍ରଫି: ଆଜିଠୁ ପ୍ରଥମ ଟେଷ୍ଟ
ଭାରତର ଲକ୍ଷ୍ୟ ଡବ୍ଲୁଟିସି ଫାଇନାଲ୍ ଯୋଗ୍ୟତା, ପ୍ରତିଶୋଧ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ନାଗପୁର: ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ମାନ୍ୟତାର ଦୁଇ ଶ୍ରେଷ୍ଠ ଦଳ ଭାରତ (ଦ୍ବିତୀୟ) ଏବଂ ଅଷ୍ଟ୍ରେଲିଆ (ପ୍ରଥମ) ମଧ୍ୟରେ ବହୁ ପ୍ରତୀକ୍ଷିତ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ ଗୁରୁବାରଠାରୁ ସ୍ଥାନୀୟ ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆରମ୍ଭ ହେବ। ଧଳା ବଲ୍ କ୍ରିକେଟ୍ରେ ଅନ୍ୟତମ ମହାନ୍ ତାରକା ଭାବେ ପରିଗଣିତ ରୋହିତ ଶର୍ମା ନାଲି ବଲ୍ କ୍ରିକେଟ୍ର ଅଧିନାୟକ ଭାବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ନିକଟରେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବେ। ଏହି ଶୃଙ୍ଖଳାକୁ ମୂଳପୋଛ କରି ଡବ୍ଲୁଟିସି (ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍) ଫାଇନାଲ୍କୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ନଜର ରଖିଥିଲା ବେଳେ ଅନ୍ୟପକ୍ଷରେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ। ପୂର୍ବ ଦୁଇ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଥିବାରୁ ଏହା କମିନ୍ସଙ୍କୁ ଅତିମାତ୍ରାରେ ବାଧିଛି।
ଭାରତ ୨୦୧୮-୧୯ ଏବଂ ୨୦୨୦-୨୧ରେ ଅଷ୍ଟ୍ରେଲିଆକୁ ତା’ ମାଟିରେ ଚକ୍ମା ଦେଇ ଲଗାତାର ଶୃଙ୍ଖଳା ପରାଜୟ ଦେଇଛି। ତେଣୁ ଭାରତକୁ ତା’ ଘରୋଇ ମାଟିରେ ପରାସ୍ତ କରି ଏଥର ଟ୍ରଫି ଛଡ଼ାଇନେବାକୁ ଅଷ୍ଟ୍ରେଲିଆ ଆଶାବାଦୀ ରହିଛି। ମୁଖ୍ୟତଃ ୨୦୦୧ରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ମ୍ୟାଚ୍ର ମାନ ବୃଦ୍ଧି ପାଇଛି। ଯାହାକି ଆସେସ୍ଠୁ ବି ଶ୍ରେଷ୍ଠ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆହତଜନିତ ସମସ୍ୟା ପାଇଁ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଖେଳିବାରୁ ବଞ୍ଚିତ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଜିତି ଭାରତକୁ ପୁଣି ଥରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପହଞ୍ଚାଇ ବିରାଟ କୋହଲିଙ୍କ ସମକକ୍ଷ ହେବାକୁ ଚାହିଁବେ। ଏହି ଦୃଷ୍ଟିରୁ ଭାରତ ୨ ମ୍ୟାଚ୍ ବିଜୟ ବ୍ୟବଧାନ ରଖିପାରିଲେ ଡବ୍ଲୁଟିସି ଫାଇନାଲ୍ ଟିକେଟ କରାୟତ କରିପାରିବ। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି ସଫଳତା ପାଇଁ ରୋହିତଙ୍କୁ ସ୍ପିନରଙ୍କ ଉପରେ ଅତ୍ୟଧିକ ନିର୍ଭର କରିବାକୁ ପଡ଼ିବ। ଫଳରେ ଏହି ଶୃଙ୍ଖଳା ଉଭୟ ଦଳର ଖେଳାଳିଙ୍କ ପାଇଁ ବ୍ୟକ୍ତିଗତ ଭାବେ ମଧ୍ୟ ଅଗ୍ନି ପରୀକ୍ଷା।
ପ୍ରଦର୍ଶନରେ କିଛି କୋହଳ ରହିଲେ ସମ୍ଭବତଃ ଏହି ଶୃଙ୍ଖଳା ପରେ ଏକାଧିକ ଖେଳାଳିଙ୍କ କ୍ୟାରିୟର ଶେଷ ହୋଇଯିବାର ଆଶଙ୍କା ମଧ୍ୟ ରହିଛି। ବିଶେଷକରି ଭାରତୀୟ ଅଧିନାୟକ ରୋହିତ ଶର୍ମା ବନାମ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ, ପୂର୍ବତନ ଅଧିନାୟକ ବିରାଟ କୋହଲି ବନାମ ଅଷ୍ଟ୍ରେଲୀୟ ସ୍ପିନର ଅଷ୍ଟନ ଅଗର ଓ ନାଥନ ଲାୟନଙ୍କ ମଧ୍ୟରେ ବ୍ୟାଟ୍ ଓ ବଲ୍ର କଡ଼ା ସଂଘର୍ଷ ଦେଖିବାକୁ ମିଳିବ। ପୁଣି ସୂର୍ଯ୍ୟକୁମାର ଯାଦବ ଓ ଶୁବମନ ଗିଲ୍ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ଙ୍କ ଭରସାର ସଦ୍ଉପଯୋଗ କରିପାରିବେ କି ନା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିବ। ରବିଚନ୍ଦ୍ରନ୍ ଅଶ୍ବିନ୍, ଅକ୍ଷର ପଟେଲ ଓ କୁଲ୍ଦୀପ ଯାଦବ ଅଷ୍ଟ୍ରେଲୀୟ ବ୍ୟାଟର୍ଙ୍କୁ କିଭଳି ସ୍ପିନ୍ ଜାଲରେ ଛନ୍ଦି ପାରିବେ ତାହାର ପରୀକ୍ଷା ହେବ। ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଗେମ୍ ଚେଞ୍ଜର ଭୂମିକା ନିଭାଇ ଆସିଥିବା ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଏବେ ଦଳରେ ନାହାନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ଜଣେ ଭରସାଯୋଗ୍ୟ ୱିକେଟ୍ରକ୍ଷକ ବ୍ୟାଟରଙ୍କୁ ଖୋଜିବାରେ ଲାଗିଛି ଭାରତ। ଅବଶ୍ୟ କେଏସ୍ ଭରତ ଏହି ସ୍ଥାନ ପୂରଣ କରିବାର ସମ୍ଭାବନା ରହିଛି। କାରଣ କେଏଲ୍ ରାହୁଲଙ୍କୁ ଟେଷ୍ଟ୍ ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେବାକୁ ଅଧିନାୟକ ରୋହିତ ଶର୍ମା ନିଷ୍ପତ୍ତି ନେଇପାରନ୍ତି।
ଗିଲ୍, ରାହୁଲ, ସୂର୍ଯ୍ୟଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା
ଦଳୀୟ ସନ୍ତୁଳନ ଦୃଷ୍ଟିକୋଣରୁ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ବର ପୂଜାରା ବ୍ୟାଟିଂକ୍ରମ ସମ୍ଭାଳିବା ନିଶ୍ଚିତ। ହେଲେ ଦ୍ବିତୀୟ ଓପ୍ନର ଏବଂ ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ଚିନ୍ତା ଜାରି ରହିଛି। ଏହି ସ୍ଥାନ ପାଇଁ ଶୁବମନ ଗିଲ୍, କେଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଦାବିଦାର ରହିଥିଲା ବେଳେ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ। ତେଣୁ ଦୁଇଟି ସ୍ଥାନ ପାଇଁ ଏହି ତିନି ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ସେହିପରି ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଫିଟ୍ ହୋଇସାରିଥିବାରୁ ତାଙ୍କ ଖେଳିବା ପ୍ରାୟତଃ ସୁନିଶ୍ଚିତ। ତେଣୁ ବୋଲିଂରେ ୩ କିମ୍ବା ୪ ଜଣ ସ୍ପିନରଙ୍କୁ ଖେଳାଇବେ ରୋହିତଙ୍କ ପାଇଁ ଦ୍ବନ୍ଦ୍ବ ସୃଷ୍ଟି କରିଛି। ୩ ଜଣ ସ୍ପିନର ଖେଳାଇଲେ ଅକ୍ଷର ପଟେଲ ଓ କୁଲ୍ଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେବାକୁ ପଡ଼ିବ। ମହମ୍ମଦ ସାମି ଓ ମହମ୍ମଦ ସିରାଜ ନୂଆ ବଲ୍ ଦାୟିତ୍ବ ତୁଲାଇବେ। ସେହିପରି ଭ୍ରମଣକାରୀ ଅଷ୍ଟ୍ରେଲିଆ ଅଷ୍ଟନ ଅଗର କିମ୍ବା ଟଡ୍ ମର୍ଫିଙ୍କ ମଧ୍ୟରୁ କାହାକୁ ଖେଳାଇବ ସେହି ଚିନ୍ତାରେ ପଡ଼ିଯାଇଛି। ତେବେ ଏହାର ଶୀର୍ଷ ୭ ମଧ୍ୟରେ ୪ ଜଣ ବାମହାତୀ ଖେଳାଳି ଥିବାରୁ ଭାରତକୁ ଟକ୍କର ଦେବାକୁ ପ୍ରସ୍ତୁତ। ତେବେ ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଦଳ ଘରୋଇ ଭାରତ ସହିତ ଗୋଟିଏ ଟେଷ୍ଟ୍ (୨୦୦୮) ଖେଳିଥିଲା ବେଳେ ୧୭୨ ରନ୍ରେ ପରାସ୍ତ ହୋଇଥିଲା। ଏଥର ମଧ୍ୟ ସେହି ପରାଜୟର ପ୍ରତିଶୋଧ ନେଇ ଶୃଙ୍ଖଳାରେ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍/କେଏଲ୍ ରାହୁଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ରବୀନ୍ଦ୍ର ଜାଦେଜା, ଶୁବମନ ଜିଲ୍/ସୂର୍ଯ୍ୟକୁମାର ଯାଦବ, କେଏସ୍ ଭରତ (ୱିକେଟ୍ରକ୍ଷକ), ରବିଚନ୍ଦ୍ରନ୍ ଅଶ୍ବିନ, ଅକ୍ଷର ପଟେଲ/କୁଲ୍ଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍ ୱର୍ଣ୍ଣର, ଉସ୍ମାନ ଖୱାଜା, ମାର୍ନସ ଲବୁସାନ୍, ଷ୍ଟିଭେନ ସ୍ମିଥ୍, ଟ୍ରାଭିସ ହେଡ୍, ପିଟର ହ୍ୟାଣ୍ଡ୍ସ୍କମ୍ବ୍, ଆଲେକ୍ସ କାରି (ୱିକେଟ୍ରକ୍ଷକ), ପ୍ୟାଟ୍ କମିନ୍ସ (ଅଧିନାୟକ), ଅଷ୍ଟନ ଅଗର/ଟଡ୍ ମର୍ଫି, ନାଥନ ଲାୟନ, ସ୍କଟ୍ ବୋଲାଣ୍ଡ।