ସିଡନି: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ଶେଷ ତିନିଟି ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ ‌କୋହଲି ଖେଳିବେ ନାହିଁ। ପ୍ରଥମ ସନ୍ତାନର ଜନ୍ମ ପାଇଁ ଆଡିଲେଡ୍‌ରେ ଡିସେମ୍ବର ୧୭ ତାରିଖରୁ ଖେଳାଯିବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ ପରେ ସ୍ବଦେଶ ଫେରି ଆସିବେ ସେ। ୩୨ ବର୍ଷୀୟ କୋହଲିଙ୍କୁ ଏଥିଲାଗି ବିସିସିଆଇ ପିତୃତ୍ବ ଅବକାଶ ପ୍ରଦାନ କରିଛି। ତେବେ କୋହଲି ଭାରତ ନଫେରି ପୂରା ଶୃଙ୍ଖଳା ଖେଳନ୍ତୁ ଏବଂ ତାଙ୍କ ସନ୍ତାନ ମଧ୍ୟ ଅଷ୍ଟ୍ରେଲିଆରେ ଜନ୍ମ ହେଉ ବୋଲି ଆଶା କରିଛନ୍ତି କିଂବଦନ୍ତି କ୍ରିକେଟର ଆଲାନ ବର୍ଡର। କୋହଲି ରହିଲେ ଶୃଙ୍ଖଳା ଅଧିକ ରୋଚକ ହେବ ବୋଲି ହୃଦୟଙ୍ଗମ କରିଛନ୍ତି ବର୍ଡର। ଆଉ ଏକ ମଜାଦାର କାରଣ ପାଇଁ ମଧ୍ୟ ଅନୁଷ୍କାଙ୍କ ପ୍ରସବ କଙ୍ଗାରୁ ଦେଶରେ ହେଉ ବୋଲି ଚାହାନ୍ତି ବର୍ଡର। ଶନିବାର ଗଣମାଧ୍ୟମ ପ୍ରତିନଧିଙ୍କ ସହ ବାର୍ତ୍ତାଳାପ ବେଳେ ବର୍ଡର ଏହାର କାରଣ ବି କହିଛନ୍ତି।

Advertisment

ଯଦି କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହୁଏ, ତାହାଲେ ଆମେ ତାକୁ ଅଷ୍ଟ୍ରେଲୀୟ ବୋଲି ଦାବି କରିପାରିବୁ, ଥଟା ପରିହାସରେ ଏକଥା କହିଛନ୍ତି ସେ। ‘‘ଆମେ ଭାବୁଛୁ ସେ (କୋହଲି) ତାଙ୍କ ସନ୍ତାନ ହୁଏତ ଏଠାରେ ଜନ୍ମ ହେଉ ବୋଲି ଚାହିବେ। କାରଣ ଆମେ ତାଙ୍କ ସନ୍ତାନକୁ ଅଷ୍ଟ୍ରେଲୀୟ ବୋଲି ଦାବି କରିପାରିବୁ’’ ବୋଲି ବର୍ଡର କୌତୁକିଆ ଢଙ୍ଗରେ କହିଥିଲେ। ତେବେ ଗମ୍ଭୀର ହେବା ପରେ କୋହଲିଙ୍କ ଅନୁପସ୍ଥତିରେ ଆସନ୍ତା ଶୃଙ୍ଖଳାକୁ ନିଜ ନାଁରେ କରିବାକୁ ଅଷ୍ଟ୍ରେଲିଆ ପାଖରେ ଭଲ ସୁଯୋଗ ରହିବ ବୋଲି କହିଥିଲେ। ‘‘ଗୋଟିଏ କଥା ଯାହା ଅଷ୍ଟ୍ରେଲିଆ ସପକ୍ଷରେ ଯିବ, ତାହା ହେଲା ବିରାଟ କୋହଲି କେବଳ ପ୍ରଥମ ଟେଷ୍ଟ୍ ଖେଳିବେ, ମୁଁ ଭାବୁଛି ଭାରତ ପାଇଁ ଏହା ନିଶ୍ଚିତ ଭାବେ ଏକ ଶକ୍ତ ଧକ୍କା। ଜଣେ ବ୍ୟାଟ୍ସମ୍ୟାନ୍ ଏବଂ ଜଣେ ଅଧିନାୟକ ଭାବେ ତାଙ୍କ ସ୍ଥାନ ପୂରଣ କରିବା ଅତ୍ୟନ୍ତ କଷ୍ଟକର। ମୁଁ ତାଙ୍କ ଖେଳକୁ ବହୁତ ପସନ୍ଦ କରେ। ପଡ଼ିଆ ଭିତରେ ତାଙ୍କ ଆକ୍ରମଣାତ୍ମକ ଅଭିମୁଖ୍ୟକୁ ଢେର ପସନ୍ଦ କରେ। ସେ ଜଣେ ସ୍ବତନ୍ତ୍ର ଖେଳାଳି। ଏଣୁ ଅଷ୍ଟ୍ରେଲିଆ ୨-୧ରେ ଏହି ଶୃଙ୍ଖଳା ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି’’ ବୋଲି ବର୍ଡର ଭବିଷ୍ୟବାଣୀ କରିଥିଲେ।