ଦେବାଳିଆ ବେକର ଦେଉନାହାନ୍ତି ୱିମ୍ବଲଡନ୍‌ ଟ୍ରଫି

ଲଣ୍ଡନ : ତିନି ବର୍ଷ ତଳୁ ଦେବାଳିଆ ଘୋଷିତ ହୋଇସାରିଥିବା ମହାନ ଟେନିସ୍ ଖେଳାଳି ବୋରିସ୍‌ ବେକର୍‌ ନିଜ ଅଡୁଆ ବଢ଼ାଇ ଚାଲିଛନ୍ତି। ତାଙ୍କ ଋଣ ପରିଶୋଧ ଲାଗି ପ୍ରସ୍ତୁତ ୨୮ଟି ସାମଗ୍ରୀର ତାଲିକା ମଧ୍ୟରେ ରହିଛି ୧୯୮୫ ମସିହାରେ ଜିତିଥିବା ତାଙ୍କ ପ୍ରଥମ ୱିମ୍ବଲଡନ୍‌ ଟ୍ରଫି। ୧୯୯୧ ଏବଂ ୧୯୯୬ ମସିହାର ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ମଧ୍ୟ ତାଲିକାଭୁକ୍ତ ରହିଛି। ୫୨ ବର୍ଷୀୟ ବେକର୍‌ ୨୦୧୭ ମସିହାରୁ ଦେବାଳିଆ ଘୋଷିତ ହୋଇଥିବା ବେଳେ ତାଙ୍କ ନାମରେ ଏକାଧିକ ମାମଲା ଲାଗି ରହିଛି। ଟ୍ରଫି ହସ୍ତାନ୍ତର ନ କରିବା ଏବଂ ତଥ୍ୟ ଲୁଚାଇବା ଅଭିଯୋଗରେ ସେ ଅଧିକ ଜେଲ୍ ଦଣ୍ଡ ଭୋଗିବା ଆଶଙ୍କା ବି ରହିଛି। ଗୁରୁବାର ଲଣ୍ଡନ୍‌ କୋର୍ଟରେ ବେକର ହାଜର ହୋଇ ନିଜକୁ‌ ନିର୍ଦୋଷ ସାବ୍ୟସ୍ତ କରିବାର ପ୍ରୟାସ କରିଥିଲେ। ବେକର ତାଙ୍କ ଖ୍ୟାତିକୁ ପୁନଃପ୍ରତିଷ୍ଠା କରିପାରିବେ ବୋଲି ଓକିଲ ୟୋନାଥନ୍‌ କାପଲନ୍‌ ପ୍ରକାଶ କରିଛନ୍ତି। ବେକରଙ୍କ ନାମରେ କୋଟି କୋଟି ପାଉଣ୍ଡ୍ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍‌ସଫର୍ କରିବାର ଅଭିଯୋଗ ମଧ୍ୟ ରହିଛି। ଯେଉଁଥିରେ ସେ ପୂର୍ବତନ ପତ୍ନୀ ବାର୍ବରା ବେକର ଓ ବିଛିନ୍ନ ପତ୍ନୀ ଶାର୍ଲେ ଲିଲି ବେକରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିବା ଜଣାପଡିଛି। ବେକରଙ୍କ ମାମଲାର ପରବର୍ତୀ ଶୁଣାଣି ୨୦୨୧ ସେପ୍ଟେମ୍ବରରେ ହେବ ବୋଲି ତାଲିକାଭୁକ୍ତ ରହିଛି। ଲଣ୍ଡନରେ ରହୁଥିବା ଏହି ମହାନ ଜର୍ମାନ ଖେଳାଳି ଅବସର ପରଠାରୁ ଏକ ଟିଭିରେ କାମ କରୁଛନ୍ତି। କିନ୍ତୁ ତଥ୍ୟ ଲୁଚାଇବା, ଏକ କମ୍ପାନିର ସେୟାରକୁ ଗୋପନ ରଖିବା ଓ ଋଣ ପରିଶୋଧ ନ କରିବା ଲାଗି ତାଙ୍କ ନାମରେ ବହୁ ମାମଲା ଲାଗି ରହିଛି।

୧୯୮୫ ମସିହାରେ ମାତ୍ର ୧୭ ବର୍ଷ ବୟସରେ ୱିମ୍ବଲଡନ୍ ଟ୍ରଫି ଜିତି ତାରକାର ଖ୍ୟାତି ପାଇଥିବା ବେକର ‘ବୁମ୍ ବୁମ୍‌’ ନାମରେ ପରିଚିତ ଥିଲେ। ପରବର୍ତୀ ବର୍ଷ ଏହ‌ାକୁ ଦୋହରାଇବା ସହ ମୋଟ ୬ ଥର ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଥିଲେ। ୨ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ (୧୯୯୧ ଓ ୧୯୯୬), ୩ ଥର ୱିମ୍ବଲଡନ୍ (୧୯୮୫, ୧୯୮୬, ୧୯୮୯) ଏବଂ ଥରେ ୟୁଏସ୍‌ ଓପନ୍ (୧୯୮୯) ହାସଲ କରିଥିଲେ। ନିଜ ଖେଳ ଜୀବନରେ ମୋଟ ୪୯ ପ୍ରମୁଖ ଟ୍ରଫି ଜିତିବା ସହ ପ୍ରଶିକ୍ଷଣ ଜୀବନରେ ବିଶ୍ବର ଏକ ନମ୍ବର ‌ସର୍ବିୟା ତାରକା ନୋଭାକ ଜୋକୋଭିକ୍‌ଙ୍କ ସଫଳତାର ନେପଥ୍ୟ ନାୟକ ରହିଥିଲେ।

ସମ୍ବନ୍ଧିତ ଖବର