କପିଳଙ୍କୁ ପ୍ରଶଂସା କଲେ ବୋଥାମ, ତାଙ୍କ ଭଳି ଅଲ୍ରାଉଣ୍ଡର ଏବେ ନାହାନ୍ତି
କୋହଲିଙ୍କ ବିପକ୍ଷରେ ଖେଳିବାକୁ ଭଲ ପାଇଥା’ନ୍ତି
ନୂଆଦିଲ୍ଲୀ: ନିଜ ସମୟର ପ୍ରତିଦ୍ବନ୍ଦ୍ବୀ ତଥା ଭାରତୀୟ ଅଲ୍ରାଉଣ୍ଡର କପିଳ ଦେବଙ୍କୁ ପ୍ରଶଂସା କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଲ୍ରାଉଣ୍ଡର ସାର୍ ଇଆନ୍ ବୋଥାମ୍। ତାଙ୍କ ଭଳି ଅଲ୍ରାଉଣ୍ଡର ଏବର ଯୁଗରେ ମିଳିବା ମୁସ୍କିଲ। କପିଳ ଦେବଙ୍କୁ କଳ୍ପନା କର … ଚେନ୍ନାଇ ଓ ଦିଲ୍ଲୀ ଭଳି ପ୍ରବଳ ଉତ୍ତପ୍ତ ସହରରେ ସେ ଭାରତୀୟ ପିଚରେ ଯେତିକି ବୋଲିଂ କରିଛନ୍ତି, ତାହା ତାଙ୍କ ପାଇଁ କମ୍ ହୋଇଥାଇପାରେ। କିନ୍ତୁ ବର୍ତ୍ତମାନ ପିଢ଼ିରେ ଏପରି କିଏ କରିପାରିବ ତାହା ମୁଁ ଦେଖିପାରୁନି ବୋଲି ଏକଦା କପିଳ ଦେବ, ନ୍ୟୁଜିଲାଣ୍ଡର ରିଚାର୍ଡ ହାଡ୍ଲି ଓ ପାକିସ୍ତାନର ଇମ୍ରାନ୍ ଖାନ୍ଙ୍କ ସହ ଅଶି ଦଶକରେ ‘ଅଲ୍ରାଉଣ୍ଡର ୪ ରଥୀ’ ଭାବେ ପରିଗଣିତ ହୋଇଥିବା ବୋଥାମ କହିଛନ୍ତି। କପିଳ ମଧ୍ୟ ବ୍ୟାଟିଂରେ ଦଳ ପାଇଁ ଖୁବ୍ ଉପେଯାଗୀ ଥିଲେ। ଆମ ସମୟରେ ବିଶ୍ବ କ୍ରିକେଟ୍ରେ ସଂଖ୍ୟାଧିକ ଅଲ୍ରାଉଣ୍ଡରଙ୍କୁ ଦେଖିବାକୁ ମିଳୁନଥିଲା। ମୋର ପ୍ରତ୍ୟେକ ଗସ୍ତରେ ମୁଁ ହାଡ୍ଲି, କପିଳ ଓ ଇମ୍ରାନ୍ କ’ଣ କରୁଥିଲେ ତାହା ଦେଖୁଥିଲି। ସେମାନେ ବଡ଼ ପ୍ରତିଦ୍ବନ୍ଦ୍ବୀ ଥିଲେ। ଇମ୍ରାନ୍ଙ୍କୁ ମୁଁ ବହୁ ବର୍ଷ ଧରି ସାକ୍ଷାତ କରିନଥିଲି। ହୁଏତ ସେ ଆମ ୪ ଜଣଙ୍କ ମଧ୍ୟରୁ ସବୁଠୁ ଚରିତ୍ରବାଦୀ ଥିଲେ। ଏବେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ। ମୁଁ ନିଶ୍ଚିତ କହିବି, ଇମ୍ରାନ୍ ହେଉଛନ୍ତି ଖୁବ୍ ସାହସୀ। ସେ ନିରାପଦରେ ରୁହନ୍ତୁ ବୋଲି ଚାହିଁବି।
ଅନ୍ୟପକ୍ଷରେ ଆଧୁନିକ କ୍ରିକେଟ୍ ଯୁଗରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ପରିଗଣିତ। ପଡ଼ିଆରେ ତାଙ୍କର ତୀବ୍ରତା ଏବଂ ପ୍ରଦର୍ଶନ କରିବାର ଉତ୍ସାହ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇପାରିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଦିନିକିଆରେ ୪୩ ଓ ଟେଷ୍ଟ୍ରେ ୨୭ ଶତକ ହାସଲ କରିସାରିଲେଣି। ତାଙ୍କର ଏଭଳି ପ୍ରଦର୍ଶନ ଦେଖି କ୍ରିକେଟ୍ ପଣ୍ଡିତମାନେ ଆଶା କଲେଣି ସେ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତିକ ଶତକର କୀର୍ତ୍ତିମାନକୁ ଭାଙ୍ଗି ଦେଇପାରିବେ। ୮୬ ଟେଷ୍ଟ୍ରେ ବିରାଟ ୫୩.୬ ହାରରେ ୭୨୪୦ ରନ୍ ସଂଗ୍ରହ କରିଲେଣି। ଦିନିକିଆରେ ୫୯.୩ ହାରରେ ୧୧,୮୬୭ ରନ୍ ଏବଂ ଟ୍ବେଣ୍ଟି-୨୦ରେ ୮୨ ମ୍ୟାଚ୍ ଖେଳି ସେ ୨୭୯୪ ରନ୍ କରିଛନ୍ତି। ଏହି ପ୍ରଦର୍ଶନ ଲାଗି କୋହଲିଙ୍କୁ ବୋଧେ ଇଂଲଣ୍ଡ କିଂବଦନ୍ତି ଇଆନ୍ ବୋଥାମ୍ ପ୍ରଶଂସା କରିଛନ୍ତି। ପ୍ଲେ ରାଇଟ୍ ଫାଉଣ୍ଡେସନ୍ ସହ ଅନ୍ଲାଇନ୍ ଚାଟ୍ରେ କୋହଲିଙ୍କୁ ପ୍ରଶଂସା କରିବା ସହ ତାଙ୍କ ବିପକ୍ଷରେ ଖେଳିବାକୁ ଭଲ ପାଇଥା’ନ୍ତେ ବୋଲି ବୋଥାମ୍ ପ୍ରକାଶ କରିଛନ୍ତି। ବିରାଟ ଖେଳକୁ ବିପକ୍ଷଙ୍କ ପର୍ଯ୍ୟନ୍ତ ନେଇଯାଇଥାନ୍ତି ଏବଂ ସେ ତାଙ୍କ ଖେଳାଳିମାନଙ୍କ ସହ ସର୍ବଦା ରହିଥାନ୍ତି। ମୁଁ ତାଙ୍କ ବିପକ୍ଷରେ ଖେଳିବାକୁ ଭଲ ପାଇଥା’ନ୍ତି। ଭାରତୀୟ କ୍ରିକେଟ୍କୁ ଆଗକୁ ନେବା ପାଇଁ ସେ ଠିକ୍ ବ୍ୟକ୍ତି ବୋଲି ବୋଥାମ୍ ପ୍ରକାଶ କରିଛନ୍ତି। ଏହି ପୂର୍ବତନ ଅଲ୍ରାଉଣ୍ଡର ମଧ୍ୟ ଆଧୁନିକ କ୍ରିକେଟରେ କାହିଁକି ଅଧିକ ଅଲ୍ରାଉଣ୍ଡର ମିଳୁନାହାନ୍ତି ସେ ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ ଅଲ୍ରାଉଣ୍ଡର ଉତ୍ପାଦନ ହୋଇପାରିବ ନାହିଁ, ସେମାନେ ଗଛରେ ଫଳନ୍ତି ନାହିଁ। ଜଣେ ଅଲ୍ରାଉଣ୍ଡର ହେବାକୁ ହେଲେ ନିଜ କାମକୁ ଦ୍ବିଗୁଣା କରିବାକୁ ପଡ଼ିବ। ଏହା ନିଶ୍ଚିତ ଭାବରେ ଶରୀର ଉପରେ ପ୍ରଭାବ ପକାଇବ।