ଲଣ୍ଡନ: ହେଡିଂଲେ ଟେଷ୍ଟ୍‌କୁ ହାରିବା ପରେ ଏଜ୍‌ବାଷ୍ଟନ୍‌ରେ ଜବରଦସ୍ତ ବିଜୟ ହାସଲ କରି ଇଂଲଣ୍ଡର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ଶୁବମନ୍ ଗିଲ୍‌ଙ୍କ ଯୁବ ଭାରତୀୟ କ୍ରିକେଟ୍ ବାହିନୀ। ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଏହି ରେକର୍ଡଭରା ତଥା ସଫଳ ଲେଉଟାଣି ଘରୋଇ ଇଂଲଣ୍ଡକୁ ତା’ର ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ଅନେକ ସମୟରେ ଭାରତୀୟ ଉପମହାଦେଶୀୟ ଦଳଗୁଡ଼ିକ ବିରୋଧରେ ନିଜ ଆବଶ୍ୟକ ମୁତାବକ ପିଚ୍ ତିଆରି କରୁଥିବା ଅଭିଯୋଗ ଆଣୁଥିବା ଇଂଲଣ୍ଡ ଏବେ ଲର୍ଡସରେ ନିଜ ମନ ମତାଣିଆ ପିଚ୍ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ସେଥିପାଇଁ ଏହି ମ୍ୟାଚ୍ ଆରମ୍ଭ ହେବାର ତିନି ଦିନ ପୂର୍ବରୁ ଲର୍ଡସ ପିଚ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। 

Advertisment

‘ବାଜ୍‌ବଲ୍’ ଶୈଳୀରେ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ଇଂଲଣ୍ଡ ସହଜ ବ୍ୟାଟିଂ ପାଇଁ ବର୍ମିଂହାମର ଏଜ୍‌ବାଷ୍ଟନ୍‌ରେ ଏକବାର ସମତଳ ପିଚ୍ କରିଥିଲା। ହେଲେ ଏହା ତା’ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଭାରତୀୟ ଖେଳାଳିମାନେ ଏହି ପିଚ୍‌ର ପୂରା ଫାଇଦା ଉଠାଇ ଇଂଲଣ୍ଡକୁ ତାରି ଜାଲରେ ଫସାଇ ଦେଇଥିଲେ। ଉଭୟ ପାଳିକୁ ମିଶାଇ ଭାରତୀୟ ବ୍ୟାଟର୍‌ମାନେ ପ୍ରଥମ ଥର ଏକ ଟେଷ୍ଟ୍‌ରେ ୧,୦୦୦ରୁ ଅଧିକ ରନ୍ କରିଥିଲେ। ଇଂଲଣ୍ଡକୁ ୬୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲେ। ଇଂଲଣ୍ଡ ଏହି ଅପ୍ରତ୍ୟାଶିତ ଚାପ ସହି ନପାରି ମାତ୍ର ୨୭୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଭାରତର ଯୋଜନାବଦ୍ଧ ଖେଳ ଏବଂ ସଠିକ୍ ରଣନୀତି ଆଗରେ ‘ବାଜ୍‌ବଲ୍’ ବିଫଳ ହୋଇଥିଲା।
ସୂଚନା ଅନୁସାରେ ଭାରତ ବିପକ୍ଷ ତୃତୀୟ ଟେଷ୍ଟ୍‌ ପାଇଁ ଲର୍ଡସରେ ଅତିରିକ୍ତ ଉଚ୍ଛାଳ ଓ ବାଉନ୍ସ, ଅତିରିକ୍ତ ଗତି ଏବଂ ସିମ୍ ମୁଭମେଣ୍ଟ୍ ଥିବା ଏକ ଜୀବନ୍ତ ପିଚ୍ ପ୍ରସ୍ତୁତ କରିବାକୁ ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ୍ ବୋର୍ଡ ଲର୍ଡସ କ୍ୟୁରେଟର୍‌ଙ୍କୁ ନିର୍ଦ୍ଦେଶ ଦେଇଛି। ଆଘାତ ଜନିତ ସମସ୍ୟାରୁ ମୁକୁଳି ଇଂଲଣ୍ଡର ଦୁଇ ଦକ୍ଷ ଖେଳାଳି ଜୋଫ୍ରା ଆର୍ଚର ଏବଂ ଗସ୍ ଆଟ୍‌କିନ୍‌ସନ୍ ଲର୍ଡସରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏମାନଙ୍କୁ ସୁହାଇଲା ଭଳି ପିଚ୍ ତିଆରି କରିବାକୁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ମଧ୍ୟ ଚାହୁଛନ୍ତି। ଏକଥା ମ୍ୟାକଲମ୍ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି। ଏକ ସାକ୍ଷାତକାରରେ କହିଛନ୍ତି, ଆମେ ଏମିତି ଏକ ପିଚ୍ ଚାହୁଛୁ, ‌ଯେଉଁଥିରେ ଟିକିଏ ଅଧିକ ପେସ୍, ବାଉନ୍ସ ଏବଂ ସିମ୍ ମୁଭମେଣ୍ଟ୍ ଥିବ। ଏହା କହି ଗତ ମାସ ଲର୍ଡସରେ ଖେଳାଯାଇଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଯେଉଁଭଳି ପିଚ୍ ଉପଯୋଗ କରାଯାଇଥିଲା ଠିକ୍ ସେହିଭଳି ଏକ ପିଚ୍ ଚାହୁଥିବା ମ୍ୟାକଲମ୍ ସଙ୍କେତ ଦେଇଛନ୍ତି। ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ ସେ ଆହୁରି କହିଛନ୍ତି ଯେ ମୁଁ ଭାବୁଛି ଲର୍ଡସ ଲଢ଼େଇ ବେଶ୍ ମଜାଦାର ହେବ। ବି‌ଶେଷ କରି ଏଠାରେ ଆମକୁ ଯଦି ଏକ ଜୀବନ୍ତ ପିଚ୍ ମିଳିବ। 

ddgxvxxvxv

ଲର୍ଡସରେ ଯଦି ଅଧିକ ଗତିଶୀଳ ପିଚ୍ ମିଳେ ତାହେଲେ ଏହା ଭାରତୀୟ ବୋଲରଙ୍କ ପାଇଁ ମଧ୍ୟ ଶୁଭଖବର ହେବ। କାରଣ ଲର୍ଡସରେ ଦଳର ପ୍ରମୁଖ ବୋଲର୍ ଯଶପ୍ରୀତ୍ ବୁମ୍‌ରା ଫେରିବେ ବୋଲି ଅଧିନାୟକ ଶୁବମନ୍ ଗିଲ୍ ସୂଚନା ଦେଇସାରିଛନ୍ତି। ଆକାଶ ଦୀପ ଓ ମହମ୍ମଦ କ’ଣ କରିପାରିବେ, ତାର ପ୍ରମାଣ ମଧ୍ୟ ଉଭୟ ଏଜ୍‌ବାଷ୍ଟନ୍‌ରେ ଦେଇସାରିଛନ୍ତି। ବୁମ୍‌ରାଙ୍କ ଅନୁପସ୍ଥିତିରେ ଉଭୟ ୧୭ ୱିକେଟ୍ ବାଣ୍ଟିନେଇ ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିଲେ। ବୁମ୍‌ରା ଫେରିବା ପରେ ଭାରତର ଦ୍ରୁତ ବୋଲିଂ ବାହିନୀ ଆହୁରି ଶକ୍ତିଶାଳୀ ହେବ। ବୁମ୍‌ରା-ସିରାଜ-ଆକାଶ ଦୀପ ଯଦି ଏକାଠି ଖେଳନ୍ତି, ତାହେଲେ ଇଂଲଣ୍ଡ ପୁଣି ଥରେ ନିଜ ଜାଲରେ ଫସିବାର ଭୟ ମଧ୍ୟ ରହିଛି। ପରିସଂଖ୍ୟାନ ଅନୁସାରେ ଲର୍ଡସରେ ସର୍ବମୋଟ ୧୪୮ଟି ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିବା ଦଳ ୫୩ ମ୍ୟାଚ୍ ଜିତିଥିଲା ବେଳେ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ୪୪ଟି ମ୍ୟାଚ୍ ଜିତିଛି। ଏଠାକାର ସର୍ବୋଚ୍ଚ ଗୋଟିଏ ପାଳି ସ୍କୋର୍ ୭୨୯/୬ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ହାସଲ କରିଥିଲା। ଅନ୍ୟପକ୍ଷରେ ସର୍ବନିମ୍ନ ଗୋଟିଏ ପାଳି ସ୍କୋର୍ ୩୮/୧୦, ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡ କରିଥିଲା। 

ଭାରତ ଖେଳିଛି ୧୯, ଜିତିଛି ୩
ଗୁରୁବାରଠାରୁ ତେନ୍ଦୁଲକର ଆଣ୍ଡରସନ୍‌ ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ୍‌ ଐତିହାସିକ ଲର୍ଡସ ଗ୍ରାଉଣ୍ଡ୍‌ରେ ଆରମ୍ଭ ହେବ। ୫ ବିଶିଷ୍ଟ ମ୍ୟାଚ୍‌ ଶୃଙ୍ଖଳା ଏବେ ୧-୧ ସ୍ତରକୁ ଚାଲି ଆସିଥିବାରୁ ଆଗକୁ ଏହା ରୋମାଞ୍ଚକ ହେବ ବୋଲି ବିଶ୍ବାସ କରାଯାଉଛି। ଲର୍ଡସରେ ଭାରତୀୟ ଦଳର ପ୍ରଦର୍ଶନ ଅତୀତରେ ଭଲ ନଥିଲେ ବି ବିଗତ ୩ଟି ଗସ୍ତରୁ ୨ଟି ଜିତିଥିବାରୁ ଏହା ଭ୍ରମଣକାରୀ ଶୁବମନ ଗିଲଙ୍କ ଦଳକୁ ଫାଇଦା ଦେଇପାରେ। ମୋଟ ଉପରେ ଭାରତ ଓ ଇଂଲଣ୍ଡ ଏହି ଗ୍ରାଉଣ୍ଡ୍‌ରେ ୧୯ ଟେଷ୍ଟ୍ ଖେଳିଛନ୍ତି। ଭାରତ ମାତ୍ର ୩ଟି ଜିତିଥିବାବେଳେ ୧୨ଟି ଇଂଲଣ୍ଡ ଜିତିଛି। ଅନ୍ୟ ୪ଟି ଅମୀମାଂସିତ ରହିଛି। ଶେଷ ୩ ଗସ୍ତ ମଧ୍ୟରୁ ଭାରତ ୨୦୧୪ ଓ ୨୦୨୧ରେ ବିଜୟୀ‌ ହୋଇଥିବାବେଳେ ୨୦୧୮ରେ ଇଂଲଣ୍ଡ ବିଜୟୀ ହୋଇଥିଲା।

ନେଟ୍‌ସରେ ଗର୍ଜିଲେ ବୁମ୍‌ରା

ଭାରତୀୟ ଦଳକୁ ଫେରିବାକୁ ଯାଉଥିବା ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ମଙ୍ଗଳବାରଠାରୁ ନେଟ୍‌ସକୁ ଫେରିଛନ୍ତି। ଲର୍ଡସରେ ଭାରତୀୟ ଦଳର ପ୍ରଥମ ଅଭ୍ୟାସ ଅଧିବେଶନରେ ଯୋଗଦେଇ ୪୫ ମିନିଟ୍ କାଳ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଏହା ପରେ ବାମହାତୀ ସ୍ପିନର କୁଲଦୀପ ୟାଦବଙ୍କ ସମ୍ମୁଖୀନ ହେବା ସହ ଥ୍ରୋ ବାଉନ୍ସର ମୁକାବିଲା ବି କରିଥିଲେ। ଏହା ପୂର୍ବରୁ ବର୍ମିଂହାମ୍‌ରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବା ବେଳେ ସେ ବେଶ୍ ଖୁସି ଥିଲା ବେଳେ ସାଥୀ ଖେଳାଳିଙ୍କ ସହ ମଜାଗପ କରିଥିଲେ। ସେହିଭଳି ଭାରତୀୟ ଦଳ ସହ ଯାତ୍ରା କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଧ୍ୟ କେବେ କେବେ କଥାବାର୍ତ୍ତା ହେଉଥିଲେ। ଯାହାର ପ୍ରତିଫଳନ ନେଟ୍‌ସରେ ଦେଖିବାକୁ ମିଳିଥିଲା। ବୁମ୍‌ରା ପୂରା ଆତ୍ମବିଶ୍ବାସର ସହ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ବୁମ୍‌ରା ଖେଳିଥିଲେ। ତେବେ କାର୍ଯ୍ୟଭାର କମାଇବା ଲାଗି ତାଙ୍କୁ ବର୍ମିଂହାମ ଟେଷ୍ଟ୍‌ରୁ ବିଶ୍ରାମ ଦିଆଯାଇଥିଲା। ଲର୍ଡସରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍‌ରେ ସେ ଫେରିବେ ବୋଲି ଅଧିନାୟକ ଗିଲ୍ ସୂଚନା ଦେଇ ସାରିଛନ୍ତି। ଏହା ହେଲେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନ ନେ‌ବେ ବୁମ୍‌ରା। ତେବେ ଭାରତ ଅଲରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ ଓ ୱାସିଂଟନ୍ ସୁନ୍ଦରଙ୍କୁ ଖେଳାଇବ କି ନାହିଁ, ତାହା ଏବେ ରହସ୍ୟ ଘେରରେ ରହିଛି।