ଗ୍ବାଲିୟର୍: ବୋଲିଂ ବାହିନୀର ମିଳିତ ତଥା ଫଳପ୍ରଦ ପ୍ରୟାସ ପାଇଁ ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍ର ବଡ଼ ବିଜୟ ପାଇଛି। ତା’ସହିତ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ବିଜୟ ଦିଗରେ ଆତ୍ମବିଶ୍ବାସର ସହ ଅଗ୍ରସର ହୋଇଛି। ସେହିଭଳି ପଦାର୍ପଣରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ତାରକା ମୟଙ୍କ ଅଗ୍ରୱାଲ୍ ଓ ନୀତୀଶ କୁମାର ରେଡ୍ଡୀ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ସ୍ମରଣୀୟ ଅନୁଭୂତି ପାଇଛନ୍ତି।
ଗ୍ବାଲିୟରର ନବନିର୍ମିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତୀୟ ବୋଲରମାନେ ମଧ୍ୟ ନିଜ ନେତାଙ୍କ ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଥିଲେ। ପାଗ ଓ ପରିବେଶର ପୂରା ଫାଇଦା ଉଠାଇ ପାୱାର ପ୍ଲେ ଭିତରେ ବାଂଲାଦେଶର ଦୁଇ ଓପନର୍ ପରଭେଜ୍ ହୁସେନ ଇମନ ଓ ଲିଟନ ଦାସଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଫଳରେ ଆରମ୍ଭରୁ ହିଁ ବାଂଲାଦେଶର ରଣନୀତି ବିଗିଡ଼ି ଯାଇଥିଲା। ବିଶେଷ କରି ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ବିସ୍ମୟ ସ୍ପିନର ତଥା ୩ ବର୍ଷର ଲମ୍ବା ଅପେକ୍ଷା ପରେ ଜାତୀୟ ଦଳକୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୂହ ବାହାରକୁ ଆସି ନପାରି ବାଂଲାଦେଶ ୧୯.୫ ଓଭରରେ ମାତ୍ର ୧୨୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଦୁଇ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦରଙ୍କ ସହ ପଦାର୍ପଣକାରୀ ମୟଙ୍କ ୟାଦବ ମଧ୍ୟ୍ୟ ନିଜ ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଇ ବାଂଲାଦେଶକୁ ବଡ଼ ସ୍କୋର୍ କରିବାର କୌଣସି ସୁଯୋଗ ଦେଇ ନଥିଲେ। ପଦାର୍ପଣର ପ୍ରଥମ ଓଭରରେ ମେଡେନ୍ ଓ ଦ୍ବିତୀୟ ଓଭରରେ ୱିକେଟ୍ (ମହମ୍ମଦୁଲ୍ଲା) ନେଇଥିବା ମୟଙ୍କ ୟାଦବ ଚର୍ଚ୍ଚାରେ ରହିଥିଲେ।
ବାଂଲାଦେଶ ୭ ୱିକେଟ୍ରେ ପରାସ୍ତ
ଭାରତ ୧-୦ରେ ଆଗୁଆ
ମୟଙ୍କ ଓ ନୀତୀଶଙ୍କ ପଦାର୍ପଣ
ଜବାବରେ ଭାରତର ଦୁଇ ଓପନର ସଂଜୁ ସାମସନ ଓ ଅଭିଷେକ ଶର୍ମା ଧମାକାଦାର ଆରମ୍ଭ କରିଥିଲେ। ୨୦୦ରୁ ଅଧିକ ହାରରେ ରନ୍ କରୁଥିବା ଅଭିଷେକ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଓ ସଂଜୁ ୨୯ ରନ୍ ଲେଖାଏଁ କରି ଦଳକୁ ବିଜୟର ନିକଟତର କରିଥିଲେ। ଅନ୍ୟତମ ପଦାର୍ପଣକାରୀ ନୀତୀଶ କୁମାର ଏବଂ ଅଭିଜ୍ଞ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଚତୁର୍ଥ ୱିକେଟ୍ରେ ଦ୍ରୁତ ୫୨ ରନ୍ ଯୋଡ଼ି ବିଜୟ ମୁଣ୍ଡି ମାରିଥିଲେ। ହାର୍ଦିକ ନିଜ ଶ୍ରେଷ୍ଠ ଫର୍ମର ବଳିଷ୍ଠ ନମୁନା ଦେଖାଇ ମାତ୍ର ୧୬ ବଲ୍ରୁ ୩୯* ରନ୍ କରି ଭାରତକୁ ୮.୧ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ଅନଭିଜ୍ଞ ନୀତୀଶ ମଧ୍ୟ ପରିପକ୍ବ ପାଳି ଖେଳି ୧୫ ବଲ୍ରୁ ୧୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ପ୍ରାରମ୍ଭିକ ଯୋଡ଼ିଙ୍କ ସହ ୩ ୱିକେଟ୍ ଦଖଲ କରିଥିବା ଅର୍ଶଦୀପ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍: ବାଂଲାଦେଶ ୧୯.୫ ଓଭରରେ ୧୨୭/୧୦ (ମେହିଦି ହାସନ ମିରାଜ ୩୫*, ନଜମୁଲ ହାସନ ସାଣ୍ଟୋ ୨୭, ଅର୍ଶଦୀପ ସିଂହ ୩/୧୪, ବରୁଣ ଚକ୍ରବର୍ତ୍ତୀ ୩/୩୧)। ଭାରତ ୧୧.୫ ଓଭରରେ ୧୩୨/୩ (ହାର୍ଦିକ ପାଣ୍ଡ୍ୟା ୩୯*, ସୂର୍ଯ୍ୟକୁମାର ୟାଦବ ୨୯, ସଂଜୁ ସାମସନ ୨୯, ମେହିଦି ହାସନ ମିରାଜ-୧/୭, ମୁସ୍ତାଫିଜୁର ରହମାନ-୧/୩୬)।