ଦୁବାଇ: ‘ବ୍ଲାକ୍ ଲାଇଫ୍ ମ୍ୟାଟର୍’ ଅଭିଯାନକୁ ପୂର୍ବତନ ଅଧିନାୟକ କ୍ବିଣ୍ଟନ୍ ଡି’ କକ୍ ବିରୋଧ କରିବାର ଝଡ଼ ଭିତରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଛି ଦକ୍ଷିଣ ଆଫ୍ରିକା। ତା ସହ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଥମ ବିଜୟ ହାସଲ କରିଛି। ନିଜ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ଅଷ୍ଟ୍ରେଲିଆଠାରୁ ୫ ୱିକେଟ୍ରେ ପରାଜିତ ହୋଇଥିଲା।
ମଙ୍ଗଳବାର କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ନିଲ ଡାଉନ୍ ନିର୍ଦ୍ଦେଶକୁ ବିରୋଧ କରି ଡି’କକ୍ ମ୍ୟାଚ୍ରୁ ଓହରିଯିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ମ୍ୟାଚ୍ରେ ମନୋନିବେଶ କରିପାରିବେନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଏହାର ବିପରୀତ ଏହି ଘଟଣା ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ପୂରା ଏକାଠି କରିଦେଇଥିଲା। ସେମାନେ ବଳିଷ୍ଠ ପ୍ରଦର୍ଶନ ଦେଇ ମ୍ୟାଚ୍କୁ ୧୦ ବଲ୍ ପୂର୍ବରୁ ଜିତି ନେଇଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ମାତ୍ର ୫୫ ରନ୍ରେ ଅଲରାଉଟ୍ ହେବାର ଲଜ୍ଜା ପାଇଥିବା ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପରାଜୟ ବରଣ କରିଥିଲା। ଇଂଲଣ୍ଡ ବିପକ୍ଷ ନିଜର ଏହି ପ୍ରଥମ ମ୍ୟାଚ୍କୁ ତାରକା ଖଚିତ ଏବଂ ଗତଥର ବିଜେତା ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍ରେ ହାରିଯାଇଥିଲା। ମଙ୍ଗଳବାରର ଆଉ ଏକ ବଡ଼ ପରାଜୟ ପରେ ବିଶ୍ବକପ୍ ଅଭିଯାନ ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସଫଳତମ ଦଳ ଇଣ୍ଡିଜ୍ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଯାଇଛି।
ଆଜିର ଏହି ଲୋ ସ୍କୋରିଂ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଆଶାଜନକ ଭାବେ ଇଣ୍ଡିଜ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କ୍ରିସ୍ ଗେଲ୍, ଆନ୍ଦ୍ରେ ରସେଲ, ସିମରନ୍ ହେଟମେୟରଙ୍କ ଭଳି ଖେଳାଳି ବିଫଳ ହେବା ପରେ ଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୩ ରନ୍ କରି ପାରିଥିଲା। ଏଭିନ ଲୁଇସ୍ (୫୬)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ହିଁ ୱେଷ୍ଟଇଣ୍ଡିଜ୍ ଆଉ ଥରେ ୧୦୦ ରନ୍ ତଳେ ଅଟକିଯିବାର ଅପଯଶକୁ ଦୂରେଇ ଥିଲା। ୧୪୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୪ ରନ୍ରେ ଅଧିନାୟକ ତେମ୍ବା ବଭୁମାଙ୍କୁ ହରାଇଥିଲା। ରସେଲ ତାଙ୍କୁ ଏକ ସିଧା ଥ୍ରୋ’ରେ ରନ୍ଆଉଟ୍ କରିଦେଇଥିଲେ। ତେବେ ରିଜା ହେଣ୍ଡ୍ରିକ୍ସଙ୍କ ୩୯ ରନ୍ ପରେ ରଶି ଭାନଡର ଦୁସେନ (୪୩*) ଓ ଏଦେନ ମର୍କରାମ (୫୧*)ଙ୍କ ଅବିଭାଜିତ ୮୩ ରନ୍ର ତୃତୀୟ ୱିକେଟ୍ ଭାଗୀଦାରି ବଳରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୪ ଓଭରରେ ମାତ୍ର ୧୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିବା ଦ୍ରୁତ ବୋଲର ଅନରିକ ନର୍ଖିୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/sf54h64sf654fhs65sfhsfhsfhsfhsfhsfhsfhsfhsfhsfhsfhsfh.jpg)