ଇଡେନ୍ ଗାର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ

କୋଲକାତା: ଗୋଟିଏ ପଟୁ ସାମାନ୍ୟ ଏବଂ ଅନ୍ୟପଟୁ ଭୀଷଣ ଟର୍ଣ୍ଣ ଓ ବାଉନ୍ସ ନେଉଥିବା ଇଡେନ୍ ଗାର୍ଡେନ୍ସର ଅତ୍ୟନ୍ତ କଷ୍ଟକର ପିଚ୍‌ରେ ବୋଲର୍‌ଙ୍କ ୱିକେଟ୍ ଭୋଜି ଜାରି ରହିଛି। ତା’ ସହିତ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍‌ର ଦୁଇ ଦିନର ଖେଳରେ ଅପ୍ରତ୍ୟାଶିତ ଭାବେ ୨୬ ୱିକେଟ୍‌ର ପତନ ହୋଇଛି। ଭାରତୀୟ ଅଧିନାୟକ ଶୁବମନ୍ ଗିଲ୍‌ଙ୍କ ଆହତ ଅବସରକୁ ମିଶାଇଲେ ଯାହା ୨୭ ହେବ। ଶୁକ୍ରବାର ପ୍ରଥମ ଦିନରେ ଉଭୟ ଦଳ ୧୧ ୱିକେଟ୍ ଝାଡ଼ିଥିଲେ। ଶନିବାର ଦ୍ବିତୀୟ ଦିନରେ ମୋଟ ୧୫ ବ୍ୟାଟର୍ ଆଉଟ୍ ହୋଇଛନ୍ତି। ଫଳରେ ଇଡେନ୍ ପିଚ୍‌ର ମାନ ଓ ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି କ୍ୟୁରେଟର୍ ସୁଜନ ମୁଖାର୍ଜୀ ହଠାତ୍ ବିବାଦୀୟ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ବେକ ମାଂସପେଶୀ ହଠାତ୍ ଟାଣିହୋଇଯିବାରୁ ଅବସର ଆହତ ହୋଇ ଅଧିନାୟକ ଶୁବମନ୍ ଗିଲ୍ ଷ୍ଟ୍ରେଚରରେ ବାହାରକୁ ଯିବାର ଦୃଶ୍ୟ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ବେକ ଏପଟ ସେପଟ କରି ପାରୁ ନଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଶନିବାରର ୱାସିଂଟନ୍ ସୁନ୍ଦରଙ୍କ ଆଉଟ୍ ପରେ ବ୍ୟାଟିଂକୁ ଆସି ଗିଲ୍ ସମ୍ମୁଖୀନ ହୋଇଥିବା ପ୍ରଥମ ଦୁଇ ବଲ୍‌ରୁ କୌଣସି ରନ୍ ନେଇ ନଥିଲେ। ତେବେ ସିମୋନ ହାର୍ମରଙ୍କ ଏହି ଓଭରର ତୃତୀୟ ବଲ୍‌କୁ ବ୍ୟାକ୍‌ୱାର୍ଡ ସ୍କୋୟାର୍‌ ବାଉଣ୍ଡରିକୁ ସ୍ଲଗ୍ ସୁଇପ୍ ମାରି ଚୌକା ଅମଳ କରିଥିଲେ। ଏହି ସଟ୍ ଖେଳିବା ପ୍ରୟାସରେ ତାଙ୍କ ବେକ ମୋଡ଼ି ହୋଇଯାଇଥିଲା। ଫିଜିଓ ତୁରନ୍ତ ପଡ଼ିଆ ଭିତରକୁ ଆସି ଚିକିତ୍ସା କରିଥିଲେ ମଧ୍ୟ ଫଳ କିଛି ହୋଇ ନଥିଲା। ଗିଲ୍ ବେକକୁ ଗୋଟିଏ ହାତରେ ଧରି ଧରି ମନଦୁଃଖରେ ପ୍ୟାଭିଲିୟନ୍‌ ଫେରିଥିଲେ। ଫିଜିଓ ତାଙ୍କ ପଛେପଛେ ବ୍ୟାଟ୍ ଧରି ଯାଇଥିଲେ। ୩ ବଲ୍‌ କରି ୪ ରନ୍ କରିଥିବା ଗିଲ୍ ଆଉ ବ୍ୟାଟିଂକୁ ଆସି ନଥିଲେ। ତାଙ୍କ ଅନୁପସ୍ଥିତିରେ ଉପଅଧିନାୟକ ଋଷଭ ପନ୍ତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ।

ଦୁଇ ଦିନରେ ୨୭ ୱିକେଟ୍‌ର ପତନ
ପ୍ରଥମ ପାଳିରେ ଭାରତକୁ ମାତ୍ର ୩୦ ରନ୍ ଅଗ୍ରଣୀ
ଷ୍ଟ୍ରେଚର୍‌ରେ ଡାକ୍ତରଖାନା ଗଲେ ଗିଲ୍

ବୋଲରଙ୍କ ବୋଲ୍‌ବାଲା ରହିଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନିଜ ପ୍ରଥମ ପାଳିରେ ମାତ୍ର ୧୫୯ ରନ୍ କରିଥିଲା। ଜବାବରେ ଭାରତୀୟ ଦଳ ୧୮୯ ରନ୍ କରି ୩୦ ରନ୍‌ର ଛୋଟିଆ ଅଗ୍ରଣୀ ଲାଭ କରିଥିଲା। ଶନିବାରର ଚା’ ପାନ ବିରତିର ମାତ୍ର କିଛି ମିନିଟ୍ ପୂର୍ବରୁ ଦ୍ବିତୀୟ ପାଳି ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ପୁଣି ଥରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭ ୱିକେଟ୍ ହରାଇ କେବଳ ୯୩ ରନ୍ କରିପାରିଛି। ଫଳରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ମାତ୍ର ୬୩ ରନ୍‌ରେ ଆଗୁଆ ରହିଛି। ଅଧିନାୟକ ତେମ୍ବା ବଭୁମା ଏକାକୀ କଠିନ ପିଚ୍ ଓ ଭାରତୀୟ ସ୍ପିନର୍‌ଙ୍କ କଠୋର ବୋଲିଂକୁ ସାହସର ସହ ସାମ୍ନା କରି ୨୯* ଓ କର୍ବିନ ବସ୍ ୧* ରନ୍ କରି ଅପରାଜିତ ରହିଛନ୍ତି। ଇଡେନ୍‌ରେ ବ୍ୟାଟିଂ କ୍ରମାଗତ ଭାବେ କଷ୍ଟକର ହୋଇ ଚାଲିଥିବାରୁ ଏହି ମ୍ୟାଚ୍ ତିନି ଦିନ ଭିତରେ ‌ଶେଷ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଥମ ଦିନରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଭାରତର ପ୍ରମୁଖ ଅସ୍ତ୍ର ପାଲଟିଥିଲେ। ଦ୍ବିତୀୟ ଦିନରେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ନିଜ ଚମକ ଛାଡ଼ିଛନ୍ତି। କୁଲଦୀପ ଯାଦବ (୨/୧୨) ଓ ଅକ୍ଷର ପଟେଲ (୧/୩୦)ଙ୍କ ପ୍ରଦର୍ଶନକୁ ମିଶାଇ ସେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିର ସମସ୍ତ ୭ ୱିକେଟ୍ ନେଇଛନ୍ତି। ଭାରତ ପୂର୍ବ ଦିନର ସ୍କୋର୍ ୩୭/୧ରୁ ଖେଳ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ସୁଦ୍ଧା ୧୩୮/୪ରେ ପହଞ୍ଚି ଯାଇଥିଲା। ତେବେ ହଠାତ୍ ଦିଶା ହରାଇ ପରବର୍ତ୍ତୀ ୫ ୱିକେଟ୍ ମାତ୍ର ୫୧ ରନ୍‌ରେ ହରାଇଥିଲା। କେଏଲ୍ ରାହୁଲ କରିଥିବା ୩୯ ରନ୍ ଭାରତୀୟ ପାଳିର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ଥିଲା।
ସଂକ୍ଷିପ୍ତ ସ୍କୋର୍: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି-୧୫୯। ଭାରତ ପ୍ରଥମ ପାଳି-୬୨.୨ ଓଭରରେ-୧୮୯ (କେଏଲ୍ ରାହୁଲ-୩୯, ୱାସିଂଟନ୍ ସୁନ୍ଦର-୨୯, ଋଷଭ ପନ୍ତ-୨୭, ରବୀନ୍ଦ୍ର ଜାଡ଼େଜା-୨୭, ସିମୋନ ହାର୍ମର-୪/୩୦, ମାର୍କୋ ୟାନ୍‌ସେନ୍‌-୩/୩୫)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି-୩୫ ଓଭରରେ ୯୩/୭ (ତେମ୍ବା ବଭୁମା‌ ୨୯*, ମାର୍କୋ ୟାନ୍‌ସେନ୍‌-୧୧, ରବୀନ୍ଦ୍ର ଜାଡ଼େଜା-୪/୨୯, କୁଲଦୀପ ଯାଦବ-୨/୧୨, ଅକ୍ଷର ପଟେଲ-୧/୩୦)

ପ୍ରଥମକୁ ବଳିଲା ଦ୍ବିତୀୟ ଦିନ
୬ବର୍ଷ ପରେ ଇଡେନ୍ ଗାର୍ଡେନ୍ସକୁ ଟେଷ୍ଟ୍ ଫେରୁଥିବାରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ର ପ୍ରଥମ ଦିନରେ ପାଖାପାଖି ୪୦,୦୦୦ ଦର୍ଶକ ଥିଲେ। ଦ୍ବିତୀୟ ଦିନରେ ଭାରତ ବ୍ୟାଟିଂ ଥିବାରୁ ଦର୍ଶକ ସଂଖ୍ୟାରେ ଆଶାତୀତ ବୃଦ୍ଧି ଦେଖିବାକୁ ମିଳିଥିଲା। ଶନିବାର ୫୦,୦୦୦ରୁ ଅଧିକ ଦର୍ଶକ ଇଡେନ୍ ମାହୋଲକୁ ଆହୁରି ମନ୍ତ୍ରମୁଗ୍ଧ କରିଥିଲା। ପ୍ରଥମ ଦିନରେ ଅଧିକାଂଶ ଯୁବ ସମର୍ଥକ ମ୍ୟାଚ୍ ଦେଖିବାକୁ ଆସିଥିଲେ। ଶନିବାର କିନ୍ତୁ ବୟସ୍କ ଦର୍ଶକ ବି ଉତ୍ସୁକତାର ସହ ମ୍ୟାଚ୍ ଦେଖୁଥିବା ନଜରକୁ ଆସିଥିଲା। ତେବେ ଗିଲ୍ ଆହତ ହେବା ଏବଂ ଭାରତ ୧୮୯ ରନ୍‌ରେ ଅଟକିବା ସେମାନଙ୍କୁ କିଛିଟା ନିରାଶ କରିଥିଲା। 

ଗାଙ୍ଗୁଲି ଷ୍ଟାଣ୍ଡ୍‌ରେ ଅଧିକ ଗହଳି
ଇଡେନ୍‌ର ବିଭିନ୍ନ ଷ୍ଟାଣ୍ଡ୍ ଯଥା ପଙ୍କଜ ରାୟ ଷ୍ଟାଣ୍ଡ୍, ହଙ୍ଗପନ ଦାଦା ଷ୍ଟାଣ୍ଡ୍, କର୍ଣ୍ଣେଲ ଏନ୍‌ଜେ ନାୟର ଷ୍ଟାଣ୍ଡ୍, ବିଶ୍ବନାଥ ଦତ୍ତ ଷ୍ଟାଣ୍ଡ୍, ଜଗମୋହନ ଡଲମିଆ ଷ୍ଟାଣ୍ଡ୍ ଓ ସୌରଭ ଗାଙ୍ଗୁଲି ଷ୍ଟାଣ୍ଡ୍ ମଧ୍ୟରୁ ସୌରଭ ଗାଙ୍ଗୁଲି ଓ ଜଗମୋହନ ଡାଲମିଆ ଷ୍ଟାଣ୍ଡ୍‌ରେ ସବୁଠୁ ଅଧିକ ଦର୍ଶକ ଥି‌ଲେ। ସେଠାରେ ପାଦ ଥାପିବାକୁ ମଧ୍ୟ ଜାଗା ନଥିଲା। ଅନ୍ୟ ଷ୍ଟାଣ୍ଡ୍‌ଗୁଡ଼ିକ ମଧ୍ୟରୁ ଅଧିକାଂଶ ପୂରା ଭର୍ତ୍ତି ଥିଲା ବେଳେ କେବଳ ଉପର ମହଲାର କିଛି ସିଟ୍ ଖାଲି ଥିଲା।

ରାହୁଲ ଓ ଜାଡ଼େଜାଙ୍କ ୪,୦୦୦ ରନ୍

ଇଡେନ୍‌ରେ ଭାରତର ପ୍ରଥମ ପାଳି ମାତ୍ର  ୧୮୯ ରନ୍‌ରେ ଅଟକି ଯାଇଥିଲେ ମଧ୍ୟ ଓପନର୍ କେଏଲ୍ ରାହୁଲ ଏବଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ତା’ଭିତରେ ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଶନିବାର ଖେଳ ଆରମ୍ଭରୁ ମାର୍କୋ ୟାନ୍‌ସେନ୍‌ଙ୍କ ପ୍ରଥମ ଦୁଇ ବଲ୍‌କୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିବା ରାହୁଲ ତୃତୀୟ ବଲ୍‌କୁ ସୀମାରେଖା ବାହାରକୁ ପଠାଇ ଟେଷ୍ଟ୍ କ୍ରିକେଟ୍‌ରେ ୪,୦୦୦ ରନ୍ ପୂରଣ କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ସେ ୬୫ ଟେଷ୍ଟ୍ ଖେଳି ୧୧ ଶତକ ଓ ୨୦ ଅର୍ଦ୍ଧଶତକ ସହ ୩୯୮୫ ରନ୍‌ରେ ଥିଲେ। ସେହିଭଳି ଭାରତ ପାଳିର ୪୪ତମ ଓଭରରେ କର୍ବିନ ବସ୍‌ଙ୍କ ବଲ୍‌ରୁ ସିଙ୍ଗଲ୍ ଚୋରାଇ ଜାଡ଼େଜା ମଧ୍ୟ ୪୦୦୦ ରନ୍ ଛୁଇଁଥିଲେ। ପୁଣି ୫୦ତମ ଓଭରରେ ସେହି କର୍ବିନ୍ ବସ୍‌ଙ୍କୁ ଚୌକା ମାରି ଭାରତକୁ ଆଗୁଆ କରିଥିବା ଜାଡ଼େଜା ଏହି ମ୍ୟାଚ୍ ପୂର୍ବରୁ ୮୭ ଟେଷ୍ଟ୍ ଖେଳି ୬ଶତକ ଓ ୨୭ ଅର୍ଦ୍ଧଶତକ ବଳରେ ୩୯୯୦ ରନ୍‌ରେ ଥିଲେ। ଜାଡ଼େଜା ମଧ୍ୟ ଏହି ମ୍ୟାଚ୍‌ ଅବସରରେ ଭାରତ ମାଟିରେ ୨୫୦ ୱିକେଟ୍‌ ଦଖଲ କ୍ଲବ୍‌ରେ ସାମିଲ ହୋଇଛନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ରେ ୧୫୦ ୱିକେଟ୍‌ ନେଇ ସାରିଥିବା ଜାଡ଼େଜା ମଧ୍ୟ ବିଶ୍ବର ଚତୁର୍ଥ ଖେଳାଳି ଭାବେ ୪୦୦୦+ ରନ୍ ଏବଂ ୩୦୦+ ୱିକେଟ୍‌ ଅକ୍ତିଆର କରିଛନ୍ତି। ତାଙ୍କ ମୋଟ ଟେଷ୍ଟ୍ ୱିକେଟ୍‌ ୩୪୨ରେ ପହଞ୍ଚିଛି।

ପନ୍ତଙ୍କ ଛକା ରେକର୍ଡ
ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟ୍‌ରେ ଖେଳିଥିବା ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ଟେଷ୍ଟ୍‌ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର ଭାରତୀୟ ରେକର୍ଡ କରିଥିଲେ। ଏହିକ୍ରମରେ ସେ ପୂର୍ବତନ ବିସ୍ଫୋରକ ଓପ୍‌ନର୍ ବୀରେନ୍ଦ୍ର ସେହବାଗଙ୍କୁ ଟପିଥିଲେ। ନିଜ ୨୪ ବଲ୍‌ରୁ ୨୭ ରନ୍ ପାଳିରେ ଦୁଇଟି ଲେଖାଏଁ ଛକା, ଚୌକା ମାରି ଏହି କୀର୍ତ୍ତିମାନ କରିଥିଲେ ସେ। ଗତ ଜୁଲାଇରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ରେ ଆହତ ହେବା ପରେ ଖେଳୁଥିବା ପ୍ରଥମ ଟେଷ୍ଟ୍ ପୂର୍ବରୁ ସେହବାଗଙ୍କ ୯୦ ଛକା ରେକର୍ଡର ସମକକ୍ଷ ହୋଇସାରିଥିଲେ ପନ୍ତ। ଏବେ ୯୨ ଛକାରେ ପହଞ୍ଚି ଯାଇଛନ୍ତି।