ମୁଷ୍ଟିଯୁଦ୍ଧ ଓ ଦୌଡ଼କୁଦରେ ସଂଖ୍ୟା ବୃଦ୍ଧି, ଜିମ୍ନାଷ୍ଟିକ୍‌ସରେ ହ୍ରାସ

ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଯିବେ ଭାରତର ୨୨୫ ଆଥ୍‌ଲେଟ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ୨୨୫ ଜଣ ଆଥ୍‌ଲେଟ୍‌ଙ୍କୁ ପଠାଇବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ୍‌) ଇତି ମଧ୍ୟରେ ଦୁଇଟି ଶୃଙ୍ଖଳରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ପାଇଁ କୋଟା ସ୍ଥାନ ସଂଖ୍ୟାରେ ବୃଦ୍ଧି ଘଟାଇଥିବାରୁ ଭାରତ ଅଧିକ ପ୍ରତିଯୋଗୀ ପଠାଉଛି। ସିଜିଏଫ୍‌ ଭାରତ ପାଇଁ ମୁଷ୍ଟିଯୁଦ୍ଧ ଓ ଦୌଡ଼କୁଦ ଶୃଙ୍ଖଳରେ ସଂଖ୍ୟା ବଢ଼ାଇଥିବାରୁ ଭାରତ ଅଧିକ ପଦକ ଜିତିବାର ଆଶା ସଞ୍ଚାର ହୋଇଛି। ପ୍ରଥମେ ସିଜିଏଫ୍‌ ମୁଷ୍ଟିଯୁଦ୍ଧରେ ୩ ସଂଖ୍ୟା ହ୍ରାସ କରିଥିଲା। ତେବେ ଏହି ଶୃଙ୍ଖଳରେ ଦେଶ ଅତୀତରେ ଅଧିକ ପଦକ ଜିତିଥିବାରୁ ଭାରତୀୟ ଅଲିମ୍ପିକ୍‌ ସଂଘ ଓ ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ସଂଖ୍ୟା ବୃଦ୍ଧି କରିବାକୁ ସିଜିଏଫ୍‌ ନିକଟରେ ଅନୁରୋଧ କରିଥିଲେ। ଏହାକୁ ରକ୍ଷା କରିଥିବା ସିଜିଏଫ୍‌ ଶେଷରେ ମୁଷ୍ଟିଯୁଦ୍ଧରେ ଅଂଶଗ୍ରହଣ ପାଇଁ ୧୨ ଭାରତୀୟଙ୍କୁ ଅନୁମତି ଦେଇଛି। ସେହିଭଳି ଦୌଡ଼କୁଦରେ ୩୭ ପ୍ରତିଯୋଗୀଙ୍କୁ ସାମିଲ ପାଇଁ ଅନୁମତି ମିଳିଛି। ୨୦୧୪ ଗ୍ଲାସ୍‌ଗୋ କ୍ରୀଡ଼ାରେ ମୁଷ୍ଟିଯୁଦ୍ଧରେ ୧୧ ଏବଂ ଦୌଡ଼କୁଦରେ ୩୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥର ଦୌଡ଼କୁଦରେ ଆରମ୍ଭରୁ ୩୦ ସଂଖ୍ୟା ରଖିଥିବା ସିଜିଏଫ୍‌ ଶେଷରେ ଏହାକୁ ୩୭କୁ ବୃଦ୍ଧି କରିଛି। ଅନ୍ୟପକ୍ଷରେ ଜିମ୍ନାଷ୍ଟିକ୍‌ସ, ବନ୍ଧୁକ ଚାଳନା ଓ ସାଇକେଲ ଚାଳନା ଭଳି ଶୃଙ୍ଖଳରେ ଭାରତର କୋଟା ସଂଖ୍ୟା ହ୍ରାସ ପାଇଛି। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ତୁଳନାରେ ଏଥର ଜିମ୍ନାଷ୍ଟିକ୍‌ସରେ ୩ (୧୦ରୁ ୭) ସଂଖ୍ୟା ହ୍ରାସ କରାଯାଇଛି। ଫଳରେ ଭାରତ ମୋଟ ୧୫ ଶୃଙ୍ଖଳରେ ୨୨୫ ପ୍ରତିଯୋଗୀଙ୍କୁ ଗୋଲ୍‌ଡକୋଷ୍ଟ ପଠାଇବା ନିଷ୍ପତ୍ତି ନେଇଛି। ଗତ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ ସଂଖ୍ୟା ୨୧୫ ଥିଲା। ତେଣୁ ଏଥର ଅଧିକ ୧୦ ପ୍ରତିଯୋଗୀ ଅଷ୍ଟ୍ରେଲିଆ ଯିବେ।

ଭାରତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ୧୫ ଶୃଙ୍ଖଳ ମଧ୍ୟରୁ ଜଳକ୍ରୀଡ଼ାରେ ୩ (କେବଳ ପୁରୁଷ), ଦୌଡ଼କୁଦରେ ୩୭ (୨୩ ପୁରୁଷ, ୧୪ ମହିଳା), ବ୍ୟାଡ୍‌ମିଣ୍ଟନରେ ୯ (୪ ପୁରୁଷ, ୫ ମହିଳା), ବାସ୍କେଟ୍‌ବଲ୍‌ରେ ୨୪ (୧୨ ପୁରୁଷ, ୧୨ ମହିଳା), ମୁଷ୍ଟିଯୁଦ୍ଧରେ ୧୨ (୮ ପୁରୁଷ, ୪ ମହିଳା), ସାଇକେଲ ଚାଳନାରେ ୯ (୬ ପୁରୁଷ, ୩ ମହିଳା), ଜିମ୍ନାଷ୍ଟିକ୍ସରେ ୭ (୨ ପୁରୁଷ, ୫ ମହିଳା), ହକିରେ ୩୬ (ପୁରୁଷ ୧୮, ମହିଳା ୧୮), ଲନ୍‌ ବାଉଲ୍‌ସରେ ୧୦ (ପୁରୁଷ ୫, ମହିଳା ୫), ବନ୍ଧୁକ ଚାଳନାରେ ୨୭ (ପୁରୁଷ ୧୫, ୧୨ ମହିଳା), ସ୍କ୍ଵାସ୍‌ରେ ୭ (୫ ପୁରୁଷ, ୨ ମହିଳା), ଟେବୁଲ୍‌ ଟେନିସ୍‌ରେ ୧୦ (୫ ପୁରୁଷ, ୫ ମହିଳା), ଭାରୋତ୍ତୋଳନରେ ୧୬ (୮ ପୁରୁଷ, ୮ ମହିଳା), କୁସ୍ତିରେ ୧୨ (୬ ପୁରୁଷ, ୬ ମହିଳା), ପାରା କ୍ରୀଡ଼ାରେ ୬ (୩ ପୁରୁଷ, ୩ ମହିଳା) ପ୍ରତିଯୋଗୀ ଗୋଲ୍‌ଡକୋଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର