ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ମୁଷ୍ଟିଯୁଦ୍ଧର ଭବିଷ୍ୟତ ନେଇ ଘୋର ଅନିଶ୍ଚିତତା‌ ସୃଷ୍ଟି ହୋଇଛି। ବିଶ୍ବ ବକ୍ସିଂ (ଡବ୍ଲ୍ୟୁବି) ନାମରେ ଗଠିତ ବିଦ୍ରୋହୀ ସଂଘକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ଦୃଢ଼ ସମର୍ଥନ ଦେଉଥିଲା ବେଳେ ସଦସ୍ୟରାଷ୍ଟ୍ର ପୁରୁଣା ମହାସଂଘ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ)କୁ ସମର୍ଥନ କରୁଛନ୍ତି। ଫଳରେ ମୁଷ୍ଟିଯୁଦ୍ଧ ଦୁନିଆ ଏକପ୍ରକାର ଦୁଇ ଫାଳ ହୋଇଛି। ଏସିଆ ମୁଷ୍ଟିଯୁଦ୍ଧ ସଂଘ ଡବ୍ଲ୍ୟୁବିରେ ଯୋଗଦେବା ବିପକ୍ଷରେ ଭୋଟ ଦେବା ପରେ ଏହି ସଙ୍କଟ ଆହୁରି ଘନିଭୂତ ହୋଇଛି। ଶନିବାର ଅନୁଷ୍ଠିତ ଗୁପ୍ତ ଭୋଟରେ ୨୧ ଦେଶ ଡବ୍ଲ୍ୟୁବିରେ ଯୋଗଦେବା ବିପକ୍ଷରେ ମତ ଦେଇଥିଲା ବେଳେ ୧୪ ଦେଶ ସପକ୍ଷରେ ମତ ଦେଇଛନ୍ତି।

Advertisment

ଗୋଟିଏ ଭୋଟ ନାକଚ ହୋଇଯାଇଥିଲା। ଫଳରେ ଡବ୍ଲ୍ୟୁବି ସହ ଆଇଓସିର ଅଡ଼ୁଆ ମଧ୍ୟ ବଢ଼ିଛି। ଅନ୍ୟପକ୍ଷରେ ଅଧିକ ସଦସ୍ୟଙ୍କ ସମର୍ଥନ ଦୃଷ୍ଟିରୁ ଆଇବିଏ ନିଜକୁ ମୁଷ୍ଟିଯୁଦ୍ଧର ଏକମାତ୍ର ସ୍ବୀକୃତିପ୍ରାପ୍ତ ବିଶ୍ବ ସଂଘ ଭାବେ ଦାବି କରିବା ଆରମ୍ଭ କରିଛି। ତେବେ ଆଇଓସିର ଦୃଢ଼ ସମର୍ଥନ ଦୃଷ୍ଟିରୁ ଏବେବି  ଡବ୍ଲ୍ୟୁବିର ପଲା ଭାରି ରହିଛି। ଏପରିକି ଜାତୀୟ ସଂଘଗୁଡ଼ିକ ଆଇବିଏକୁ ସମର୍ଥନ ଦେବା ଜାରି ରଖିଲେ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରୁ ମୁଷ୍ଟିଯୁଦ୍ଧକୁ ବାଦ୍ ଦେବାକୁ ଆଇଓସି ପୁନର୍ବାର ଧମକ ଦେଇଛି। ସୂଚନା ଅନୁସାରେ ଡବ୍ଲ୍ୟୁବିକୁ ୪୨ ସଦସ୍ୟ ଦେଶ ସମର୍ଥନ ଦେଉଥିଲା ବେଳେ ଆଇବିଏକୁ ୧୦୦ରୁ ଅଧିକ ସଦସ୍ୟ ଦେଶ ସମର୍ଥନ କରୁଛନ୍ତି। ଭାରତ ଡବ୍ଲ୍ୟୁବିକୁ ସମର୍ଥନ କରୁଥିବାରୁ ଆଇବିଏର କୋପ ଦୃଷ୍ଟିରେ ରହିଛି। 

ଏସୀୟ ମୁଷ୍ଟିଯୁଦ୍ଧ ମହାସଂଘ (ଏଏସ୍‌ବିସି) ଡବ୍ଲ୍ୟୁବିରେ ଯୋଗଦେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍‌ଆଇ) ଏହାକୁ ସମର୍ଥନ କରୁଛି। ଖୁବ୍‌ଶୀଘ୍ର ଡବ୍ଲ୍ୟୁବି ୫୦ ସଦସ୍ୟଙ୍କ ସମର୍ଥନ ହାସଲ କରି ଆଇଓସି ଦ୍ବାରା ସ୍ବୀକୃତି ଲାଭ କରିବ ବୋଲି ବିଏଫ୍‌ଆଇ ସଭାପତି ଅଜୟ ସିଂହ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଷ୍ଟିଯୁଦ୍ଧ ଯେଭଳି ଅଲିମ୍ପିକ୍ସ ଅଭିଯାନରେ ସାମିଲ ରହିବ, ସେନେଇ ସବୁପ୍ରକାର ପଦକ୍ଷେପ ବିଏଫ୍‌ଆଇ ନେଉଛି। ଏହା ମଧ୍ୟ ସ୍ପଷ୍ଟ ଯେ ଆଇବିଏକୁ ବିଶ୍ବସଂଘ ଭାବେ ଆଇଓସି ଆଉ ଗ୍ରହଣ କରିବନି। ଏଣୁ ଏକ ସମୟପୋଯୋଗୀ ବିକଳ୍ପ ଭାବେ ଭାରତ ଡବ୍ଲ୍ୟୁବିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଭୋଟିଂରୁ ଜଣାପଡ଼ିଯାଇଛି ଯେ ୧୪ ସଦସ୍ୟରାଷ୍ଟ୍ର ଡବ୍ଲ୍ୟୁବିରେ ଯୋଗଦେବାକୁ ରାଜି ଅଛନ୍ତି। ଆମେ ସ୍ଥିର ନିଶ୍ଚିତ ଯେ ଡବ୍ଲ୍ୟୁବି ଅତିଶୀଘ୍ର ଆଇଓସିର ସ୍ବୀକୃତି ପାଇଁ ଆବଶ୍ୟକ ସର୍ବନିମ୍ନ ସଦସ୍ୟଙ୍କ ସମର୍ଥନ ହାସଲ କରିବ।

ଡବ୍ଲ୍ୟୁବିକୁ ସମର୍ଥନ କରୁଥିବା ୧୪ ଦେଶ ଏଥିରେ ଯୋଗଦେବା ଲାଗି ଖୁବଶୀଘ୍ର ଲିଖିତ ଆବେଦନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ସେ। ଭାରତ ବହୁ ପୂର୍ବରୁ ଡବ୍ଲ୍ୟୁବିର ସଦସ୍ୟ ହେବା ପାଇଁ ଆବେଦନ ପତ୍ର ଦାଖଲ କରିସାରିଛି। ବିଏଫ୍‌ଆଇର ସାଧାରଣ ପରିଷଦ ବୈଠକରେ ମଧ୍ୟ ଏହାକୁ ମଞ୍ଜୁରି ମିଳି ସାରିଛି। ମହାସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଡବ୍ଲ୍ୟୁବିର ସଭାପତି ଓ ମହାସଚିବଙ୍କୁ ଭେଟି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ହେଲେ ଆଇବିଏକୁ ଅଧିକାଂଶ ଏସୀୟ ରାଷ୍ଟ୍ର ସମର୍ଥନ କରୁଥିବାରୁ ଭାରତର ସ୍ଥିତି ଏବେ ତ୍ରିଶଙ୍କୁ ଅବସ୍ଥାରେ ରହିଛି।