ବକ୍ସିଂ ଡେ’‌ ଟେଷ୍ଟ୍‌ରେ ଭାରତକୁ ସ୍ପିନର୍ ଚିନ୍ତା

ମେଲବର୍ନ: ବୁଧବାରଠାରୁ ଖେଳାଯିବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍‌ରେ ଭାରତ ପକ୍ଷରୁ କେଉଁ ସ୍ପିନର୍ ଖେଳିବେ ଦଳ ଏବେ ଚୂଡାନ୍ତ କରିପାରିନାହିଁ। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଦଳର ଦୁଇ ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏବଂ ରବୀନ୍ଦ୍ର ଜାଦେଜା ଆହତ ତାଲିକାରେ ରହିଛନ୍ତି। ଯାହା ଭାରତକୁ ମଧ୍ୟ ଚୂଡାନ୍ତ ଦଳ ଚୟନ ପାଇଁ ଦ୍ବନ୍ଦ୍ବରେ ପକାଇ ଦେଇଛି। ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କହିବା ଅନୁସାରେ ଅଫସ୍ପିନର୍‌ ଅଶ୍ବିନ ଏବେ ବି ତାଙ୍କ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇନାହାନ୍ତି। ଏହି କାରଣରୁ ସେ ପର୍ଥରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ୍‌ରେ ଖେଳିପାରିନଥିଲେ। ଅନ୍ୟପକ୍ଷରେ ବାମହାତୀ ସ୍ପିନର ରବୀନ୍ଦ୍ର ଜାଦେଜା ମଧ୍ୟ କାନ୍ଧ ସମସ୍ୟାରେ ରହିଛନ୍ତି। ଜାଦେଜା ମଧ୍ୟ ସମାନ କାରଣରୁ ପର୍ଥରେ ଖେଳିବାକୁ ସମର୍ଥ ହୋଇନଥିଲେ ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ‘ଅଷ୍ଟ୍ରେଲିଆ ଗସ୍ତର ୪ ଦିନ ପୂର୍ବରୁ ଜାଦୁ (ରବୀନ୍ଦ୍ର ଜାଦେଜା) ନେଇଥିବା ଏକ ଇଞ୍ଜେକ୍ସନ୍‌ରୁ ତାଙ୍କ କାନ୍ଧ ସମସ୍ୟା ଦେଖାଦେଇଛି ଏବଂ ଠିକ୍ ହେବାକୁ ସମୟ ଲାଗୁଛି’ ବୋଲି ଶାସ୍ତ୍ରୀ ରବିବାର ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍‌ (ଏମସିଜି)ରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ପ୍ରକାଶ କରିଥିଲେ। ପର୍ଥରେ ସେ ୬୦/୭୦ ପ୍ରତିଶତ ଫିଟ୍ ଥିବାରୁ ଆମେ ରିକ୍ସ ନେବାକୁ ଚାହିଁ ନ ଥିଲୁ, ଏଠାରେ (ମେଲବର୍ନ)ରେ ସେ ୮୦ ପ୍ରତିଶତ ଫିଟ୍ ରହିଲେ ନିଶ୍ଚିତ‌ ଖେଳିବେ’‌ ବୋଲି କହିଛନ୍ତି ଶାସ୍ତ୍ରୀ। ଅନ୍ୟପକ୍ଷରେ ଅଶ୍ବିନଙ୍କ ସମ୍ପର୍କରେ ଆସନ୍ତା ୪୮ ଘଣ୍ଟା ପରେ ପରିସ୍ଥିତି ପରଖାଯିବ ବୋଲି ଶାସ୍ତ୍ରୀ ସୂଚନା ଦେଇଛନ୍ତି। ଉଭୟ ସ୍ପିନରଙ୍କ ଆହତ ସମସ୍ୟା ମଧ୍ୟ ଭାରତର ତୃତୀୟ ସ୍ପିନର କୁଲଦୀପ ଯାଦବଙ୍କ ଉପରେ ନଜର ପକାଇଛି। ଏହି ବାମହ‌ାତୀ କଚଟି ସ୍ପିନର୍‌ ନିଜର ୫ ଟେଷ୍ଟ୍ ଜୀବନରେ ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାଇଦ୍ରାବାଦରେ ଖେଳିଥିଲେ। ଶେଷ ଥର ପାଇଁ ୪ ଜଣିଆ ପେସ୍ ଆକ୍ରମଣରେ‌ ଖେଳିଥିବା ଅଷ୍ଟ୍ରେଲିଆ ମଧ୍ୟ ଇଂଲଣ୍ଡ ନିକଟରୁ ପାଳି ପରାଜୟ ବ୍ୟବଧାନରେ ହାରି ଆସେସ୍ ହାତଛଡ଼ା କରିଥିଲା।

ଅନ୍ୟପକ୍ଷରେ ଆଡିଲେଡ୍‌ରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଭାବେ ଖେଳିଥିବା ରୋହିତ ଶର୍ମା ଆହତ ସମସ୍ୟାରୁ ସୁଧୁରିଥିବା ଭାରତ ପାଇଁ ଭଲ ଖବର ହୋଇଛି। ତଥାପି ମେଲବର୍ନ ଟେଷ୍ଟ୍ ଆରମ୍ଭର ୨ ଦିନ ପୂର୍ବରୁ ସୋମବାର ରୋହିତଙ୍କ ଶେଷ ପରୀକ୍ଷା ହେବ। ପର୍ଥରେ ରୋହିତଙ୍କ ମଦଳରେ ବୋଲିଂ ଅଲରାଉଣ୍ଡର୍ ରୂପରେ ହନୁମା ବିହାରୀ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ। ଭାରତୀୟ ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ ଏବଂ ଲୋକେଶ ରାହୁଲ ବିଫଳ ହେଉଥିବାରୁ ରୋହିତ ପୁଣି ଫେରିବା ଆଶା ରହିଛି। ବିଜୟ ଏବଂ ରାହୁଲ ୪ଟି ‌ଲେଖାଏଁ ପାଳି ଶେଷରେ ଯଥାକ୍ରମେ ୪୮ ଓ ୪୯ ରନ୍ କରିଛନ୍ତି। ଅଧିକ ଅଭିଜ୍ଞ ବିଜୟ ଭାରତର ଇଂଲଣ୍ଡ ଗସ୍ତରେ ବିଫଳ ହେବାରୁ ଦଳରୁ ବାଦ୍ ପଡ଼ିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରୁ ବଞ୍ଚିତ ହୋଇଥିଲେ। ସେହିଭଳି ସିମ୍ ବୋଲିଂ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଏସିଆ କପ୍ ଆହତ ସମସ୍ୟାରୁ ବାହାରି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ଖେଳିବା ସମ୍ଭାବନା ଥିବାରୁ ମେଲବର୍ନରେ ଭାରତ ନିଶ୍ଚିତ ଏକାଧିକ ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇବା ନିଶ୍ଚିତ ରହିଛି।

ଭାରତୀୟ ଅପେକ୍ଷା କୋହଲି ଅଧିକ ଅଷ୍ଟ୍ରେଲୀୟ: ହେଡେନ୍‌
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର୍‌ ଭାବେ ଭାରତୀୟଙ୍କ ତୁଳନାରେ ଅଧିକ ଅଷ୍ଟ୍ରେଲୀୟ ବୋଲି ଅଭିହିତ କରିଛନ୍ତି ଅଷ୍ଟ୍ରେଲିଆ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମାଥ୍ୟୁ ହେଡେନ୍‌। ଏକଥା କହି ଡେଡେନ୍‌ ପ୍ରମାଣ କରିବାକୁ ଚାହିଁଛନ୍ତି ‌ଯେ କୋହଲି ଯେପରି ଭାବେ ସ୍ଥିର ପ୍ରଦର୍ଶନ ଓ ଆକ୍ରମଣାତ୍ମ ଆଭିମୁଖ୍ୟ ଆପଣାଉଛନ୍ତି, ତାହା ଅଧିକାଂଶ ଭାରତୀୟଙ୍କ ପାଖରେ ଦେଖିବାକୁ ମିଳେନାହିଁ। ବରଂ ପଡ଼ିଆରେ କୋହଲିଙ୍କ ଭାଷା ଏବଂ ସେ ଯେଭଳି ଖେଳୁଛନ୍ତି ତାହା କେବଳ ଅଷ୍ଟ୍ରେଲିୟଙ୍କ ନିକଟରେ ଦେଖିବାକୁ ମିଳିଥାଏ। ସେ ଖୁବ୍‌ ପ୍ରତିଦ୍ବନ୍ଦ୍ବିତା ମନୋଭାବ ନେଇ ଖେଳୁଛନ୍ତି। ତାଙ୍କ ଖେଳରେ ଜୋସ୍‌, ଆବେଗ, କ୍ରୋଧ ଓ ‌ଭାବପୂର୍ଣ୍ଣ ଭରି ରହିଥାଏ। ଯାହାକି ଅଷ୍ଟ୍ରେଲୀୟ ଖେଳାଳିଙ୍କ ନିକଟରେ ଥାଏ। ତେଣୁ କୋହଲି ଯେ ଜଣେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସ୍ତରର ଖେଳାଳି ବୋଲି ହେଡେନ୍‌ ମନ୍ତବ୍ୟ ଦେଇଛନ୍ତି। ଅଷ୍ଟ୍ରେଲୀୟମାନେ ହିଁ ଖୁବ୍‌ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ। ସେମାନେ ଖେଳର ଗରମାଗରମ ପରିବେଶକୁ ଉପଭୋଗ କରିଥାନ୍ତି। ସେହି ଦୃଷ୍ଟିରୁ କୋହଲି ଯେ କୌଣସିମତେ ସୀମା ଲଂଘନ କରିନାହାନ୍ତି, ତାହା ମୁଁ ଜୋର୍‌ ଦେଇ କହିବି ବୋଲି ହେଡେନ୍‌ ମତବ୍ୟକ୍ତ କରିଛନ୍ତି।

ବୁମ୍‌ରାଙ୍କୁ ସାମ୍‌ନା କରିବା ପୂର୍ବରୁ କୌଣସି ବି ବ୍ୟାଟ୍‌ମସ୍ୟାନ୍‌ ଦୁଇ ଥର ଚିନ୍ତା କରିବା ଉଚିତ୍‌: ଜନ୍‌ସନ୍‌
ଏକଦା ଅଷ୍ଟ୍ରେଲିଆର ଜଣେ ପ୍ରମୁ୍ଖ ଦ୍ରୁତ ବୋଲର ଭାବେ ଖ୍ୟାତି ବହନ କରିଥିବା ବାମହାତୀ ମିଚେଲ ଜନ୍‌ସନ୍‌ ଏବର ଭାରତୀୟ ଦଳରେ ରହିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ପ୍ରଶଂସାରେ ସତମୁଖ ହୋଇଛନ୍ତି। ବୁମ୍‌ରା ଜଣେ ଘାତକ ବୋଲର। ତାଙ୍କ ବୋଲିଂକୁ ସାମ୍‌ନା କରିବା ବେଳେ କୌଣସି ବି ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦୁଇ ଥର ଚିନ୍ତା କରିବାକୁ ପଡ଼ିବ ବୋଲି ଜନ୍‌ସନ୍‌ କହିଛନ୍ତି। ଏବର ଭାରତୀୟ ଦଳରେ ଈଶାନ୍ତ ଶର୍ମା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଭଳି ଦ୍ରୁତ ବୋଲର ରହିଥିଲା ବେଳେ ବିଶେଷକରି ବୁମ୍‌ରାଙ୍କର ସ୍ବତନ୍ତ୍ର ଶୈଳୀ ରହିଛି। ଭାରତୀୟ ଦ୍ରୁତ ବୋଲରମାନେ ଏବେ ଟେଷ୍ଟ୍‌ରେ ପ୍ରତିପକ୍ଷର ୨୦ ୱିକେଟ୍‌ ଦଖଲ କରିବାର ସାମର୍ଥ୍ୟ ରଖିଛନ୍ତି। ମାତ୍ର ଲାଇନ୍‌ ଓ ଲେନ୍ଥ୍‌ ବୋଲିଂ କରିବାରେ ବୁମ୍‌ରା ସ୍ଥିର ପ୍ରଦର୍ଶନ ଦେଇଚାଲିଛନ୍ତି। ସେ ଖୁବ୍‌ କମ୍‌ ଖରାପ ବଲ୍‌ ପକାଇଥାନ୍ତି। ଯାହା ଫଳରେ ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ପ୍ରବଳ ଚାପ ପକାଇବା ସାଙ୍ଗକୁ ୱିକେଟ୍‌ ମଧ୍ୟ କାଢିଥାନ୍ତି। ତେଣୁ ତାଙ୍କୁ ସାମ୍‌ନା କରିବା ପୂର୍ବରୁ କୌଣସି ବି ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦୁଇ ଥର ଚିନ୍ତା କରିବାକୁ ପଡ଼ିବ ବୋଲି ଜନ୍‌ସନ୍‌ କହିଛନ୍ତି।

ସମାଲୋଚକଙ୍କୁ ଶାସ୍ତ୍ରୀଙ୍କ ମାଲିକ ଭଳି ଜବାବ
ପର୍ଥ ପରାଜୟ ପରେ ଭାରତୀୟ ଦଳକୁ ସମାଲୋଚନା କରିଥିବା ବ୍ୟକ୍ତିବିଶେଷଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମାଲିକଙ୍କ ଭଳି ଉତ୍ତର ଦେଇଛନ୍ତି। ‘‘ଲକ୍ଷ ଲକ୍ଷ ମାଇଲ୍ ଦୂରରୁ ଥାଇ ଫାଙ୍କା‌ ଗୁଳି ଫୁଟାଇବା ସହଜ କାମ। ସେମାନଙ୍କ ମନ୍ତବ୍ୟ ଆମଠାରୁ ଢେର ଦୂରରେ, ଆମେ ଆସି ଏବେ ଦକ୍ଷିଣ ଗୋଲାର୍ଧରେ। ଦଳ ପାଇଁ ଯାହା ଭଲ ତାହା ଆମେ କରିବୁ, ଏହା ଅତି ସାଧାରଣ କଥା’’ ବୋଲି କିଛି ପୂର୍ବତନ କ୍ରିକେଟରଙ୍କ ସମାଲୋଚନା ପ୍ରସଙ୍ଗରେ ମତ ଦେଇ ଶାସ୍ତ୍ରୀ ଏହା କହିଛନ୍ତି। ରବୀନ୍ଦ୍ର ଜାଦେଜାଙ୍କୁ ଖେଳାଇବା ନ ଖେଳାଇବା ପ୍ରସଙ୍ଗକୁ ଛାଡ଼ିଦେଲେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ନ ଥିଲା ବୋଲି ଶାସ୍ତ୍ରୀ କହିଛନ୍ତି। ଏବେ କିଛି ଚୟନ ଦ୍ବନ୍ଦ୍ବ ନାହିଁ, ଥିଲେ ବି ଏହା ମୋ ସମସ୍ୟା ନୁହେଁ ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ। ଜାଦେଜା-ଈଶାନ୍ତ ଝଗଡ଼ା ସମ୍ପର୍କରେ ଶାସ୍ତ୍ରୀ କହିଥିଲେ ଏଥିରେ ଆଶର୍ଯ୍ୟ ହେବାର କିଛି ନାହିଁ। ଦଳକୁ ଏହା ଏକାଠି କରିବାରେ ସହାୟକ ହେବ। ବିରାଟ କୋହଲିଙ୍କ ପଡ଼ିଆ ଭିତର ଆଚରଣକୁ‌ ନେଇ ମଧ୍ୟ ଶାସ୍ତ୍ରୀ ସମର୍ଥନ କରିଥିଲେ। ଏଥିରେ କିଛି ଭୁଲ ନାହିଁ, ସ‌େ ଜଣେ ଅତି ଭଦ୍ର ଲୋକ। ପ୍ରାରମ୍ଭିକ ଯୋଡ଼ି ବିଫଳତା ପ୍ରସଙ୍ଗ ଚିନ୍ତାଜନକ ବୋଲି ଶାସ୍ତ୍ରୀ କିନ୍ତୁ ସ୍ବୀକାର କରିଥିଲେ। ଏହା ନିଶ୍ଚିତ ଚିନ୍ତାର କାରଣ, ଶୀର୍ଷକ୍ରମକୁ ଦାୟିତ୍ବ ଏବଂ ଉତ୍ତରଦାୟିତ୍ବ ନେବାକୁ ପଡ଼ିବ। ଅଭିଜ୍ଞତା ଦୃଷ୍ଟିରୁ ସେମାନେ ନିଶ୍ଚିତ ଭଲ କରିବେ ବୋଲି ବିଜୟ-ରାହୁଲଙ୍କୁ ସମର୍ଥନ କରି ଶାସ୍ତ୍ରୀ କହିଥିଲେ। କିନ୍ତୁ ଦଳ ମୟଙ୍କ ଅଗ୍ରୱାଲଙ୍କ ବିକଳ୍ପକୁ ଗମ୍ଭୀରତାର ସହ ବିଚାର କରୁଛି ବୋଲି ପ୍ରକାଶ କରିଥିଲେ। ମୟଙ୍କ ଜଣେ ଭଲ ଯୁବ ଖେଳାଳି। ଭାରତ ‘ଏ’ ପାଇଁ ପ୍ରଚୁର ରନ୍ କରିଛନ୍ତି। ତାଙ୍କ ଘରୋଇ ପ୍ରଦର୍ଶନ ଦେଖିଲେ ସେ ଅନ୍ୟମାନଙ୍କ ଭଳି ଭଲ। ଏ ସମ୍ପର୍କରେ ଆମେ ନିଷ୍ପତ୍ତି ନେବୁ ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ। ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ କେବେ ବି ୧-୧ ସ୍ଥିତି ନ ଥିଲା। ଦୁଇ ଟେଷ୍ଟ୍ ବାକି ଥିବାରୁ ଖେଳାଳିମାନଙ୍କୁ କଣ କରିବାକୁ ହେବ ଜଣା, ଦଳ ତୃତୀୟ ଥର ଭାଗ୍ୟବାନ ସାବ୍ୟସ୍ତ ହେବ ବୋଲି ଶେଷରେ କହିଥିଲେ।

ସମ୍ବନ୍ଧିତ ଖବର