ବକ୍ସିଂ ଡେ’ଟେଷ୍ଟ୍‌ ଆଜିଠାରୁ, ଭାରତ-ଅଷ୍ଟ୍ରେଲିଆ ଶତକୀୟ ଲଢ଼େଇ

ପଦାର୍ପଣ କରିବେ ଗିଲ୍‌ ଓ ସିରାଜ: ୪ ପରିବର୍ତନ

ମେଲବର୍ନ: ଆଡିଲେଡ୍‌ରେ ଖେଳାଯାଇଥିବା ଗୋଲାପି ବଲ୍ ଲଢ଼େଇରେ ପାଳି ଅଗ୍ରଣୀ ନେଇଥିଲେ ମଧ୍ୟ ଭାରତୀୟ ଦଳ ଦ୍ବିତୀୟ ପାଳିରେ ଆତ୍ମସମର୍ପଣ କରି (୩୬ ଅଲ୍ ଆଉଟ୍‌) ଲଜ୍ଜାଜନକ ପରାଜୟ ବରଣ କରିଥିଲା। ଏବେ ଶନିବାରଠାରୁ ଆରମ୍ଭ ହେଉଥିବା ବକ୍ସିଂ ଡେ’ ଟେଷ୍ଟ୍‌ ନୂଆ ସମ୍ଭାବନା ଓ ନୂଆ ଆଶା ‌ନେଇ ଆସିଛି। ବିରାଟ‌ କୋହଲିଙ୍କ ବିନା ଖେଳିବ ଭାରତୀୟ ଦଳ। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ମଧ୍ୟ ନୂଆ ସମନ୍ବୟରେ ପଡିଆକୁ ଓହ୍ଲାଇବ ବୋଲି ଶୁକ୍ରବାର ଘୋଷିତ ଚୂଡାନ୍ତ ଏକାଦଶରୁ ସ୍ପଷ୍ଟ ହୋଇଛି। ବିରାଟଙ୍କ ଅନୁପସ୍ଥିତିରେ ଅନ୍ୟୁନ ୪ଟି ପରିବର୍ତନ କରିଛି ଭ୍ରମଣକାରୀ ଦଳ। ଭାରତ ପ୍ରତ୍ୟାବର୍ତନ କରିବା ଲକ୍ଷ୍ୟରେ ରହିଥିବା ବେଳେ ‌ଅଷ୍ଟ୍ରେଲିଆ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବାକୁ ଆଶା ବାନ୍ଧିଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଭାରତ ଏବଂ ଅଷ୍ଟ୍ରେଲିଆା ମଧ୍ୟରେ ଏହା ହେବ ୧୦୦ତମ ଟେଷ୍ଟ୍ ମ୍ୟାଚ୍‌। ଇଂଲଣ୍ଡ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ନିଜ ଶତକୀୟ ଟେଷ୍ଟ୍ ମ୍ୟାଚ୍‌ ଖେଳିବ।

ଆଡିଲେଡ୍‌ରେ ଭାରତୀୟ ବୋଲର ଚମତ୍କାର କରିଥିଲେ ମଧ୍ୟ ତୃତୀୟ ଦିନ ସକାଳେ ବ୍ୟାଟ୍ସମ୍ୟାନମାନେ ଘଣ୍ଟାକ ଭିତରେ ଆତ୍ମସମର୍ପଣ କରିବାରୁ ଦଳ ହାରିଥିଲା। ନ ହେଲେ ଅସ୍ଥିର ବ୍ୟାଟିଂ ଲାଇନ୍ ରଖିଥିବା ଅଷ୍ଟ୍ରେଲିଆ ବିଜୟ କଥା ଭାବିନଥିଲା। ଭାରତ ଏବେ ଘରୋଇ ଦଳର ସେହି ଦୁର୍ବଳ ବ୍ୟାଟିଂ ଦିଗରୁ ଫାଇଦା ଉଠାଇ ପ୍ରତ୍ୟାବର୍ତନ କରିବା ଆଶାରେ ରହିଛି। ଅଷ୍ଟ୍ରେଲିଆ କିନ୍ତୁ ୱାର୍ନରଙ୍କ ଅନୁପସ୍ଥିତି ଏବଂ ସ୍ମିଥ୍‌ଙ୍କ ସହାୟତା ବିନା ଜିତିଥିବାରୁ ଆତ୍ମବିଶ୍ବାସରେ ରହିଛି। ଭାରତ ବିପକ୍ଷରେ ସ୍ମିଥ୍ ସର୍ବଦା ଭଲ ଖେଳୁଥିବାରୁ ସେ ଫର୍ମକୁ ଆସିଲେ ନିଶ୍ଚିତ ରାହ‌ାଣେଙ୍କ ଦଳ ଚାପରେ ପଡ଼ିବ। ଆଡିଲେଡ୍‌ରେ ୧ ଓ ୧* ରନ୍ କରିଥିଲେ ମଧ୍ୟ ଭାରତ ବିପକ୍ଷରେ ସ୍ମିଥ୍‌ଙ୍କ ହାରାହାରି ପ୍ରଶଂସନୀୟ ଭାବେ ୭୯.୫ ରେ ରହିଛି। ଭାରତ ପାଇଁ ଯଶପ୍ରୀତ୍ ବୁମରାଙ୍କ ଭଳି ସବୁଠୁ କୁଶଳୀ ବୋଲର ହିଁ ଭାଗ୍ୟ ନିର୍ଣ୍ଣାୟକ ହେବେ। ସାମିଙ୍କ ଅନୁପସ୍ଥିତିରେ ତାଙ୍କ ଉପରେ ମଧ୍ୟ ଗୁରୁ ଦାୟିତ୍ବ ରହିବ। ବ୍ୟାଟିଂରେ ଶୁବମନ ଗିଲ୍ ଓ ବୋଲିଂରେ ମହମ୍ମଦ ସିରାଜଙ୍କଠାରୁ ମଧ୍ୟ ସ୍ମରଣୀୟ ପଦାର୍ପଣ ଆଶା ରଖିବ ଭାରତ।

ପିଚ୍ ଓ ପାଗ: ମେଲବର୍ନରେ ବକ୍ସିଂ ଡେ’ ଅର୍ଥାତ୍ ପ୍ରଥମ ଦିନ ଭଲ ପାଗ ରହିବ, କିନ୍ତୁ ମ୍ୟାଚ୍‌ ସାରା ଏହା ଅସ୍ଥିର ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଦ୍ବିତୀୟ ଦିବସରେ ତାପମାତ୍ରା ସର୍ବୋଚ୍ଚ ୩୩ ଡିଗ୍ରିରେ ପହଞ୍ଚିବ ବୋଲି କୁହାଯାଇଛି। ସେହି ଏକମାତ୍ର ଦିବସରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ଅବଶିଷ୍ଟ ୩ ଦିନ କିନ୍ତୁ ଅପେକ୍ଷାକୃତ ଥଣ୍ଡା ପାଗ ରହିବ।

ଅଜ୍ଞାତ ତଥ୍ୟ: ଗତବର୍ଷ ଆସେସ୍‌ ଶେଷ ପରଠାରୁ ଅଷ୍ଟ୍ରେଲିଆ ଖେଳିଥିବା ସମସ୍ତ ୬ ଟେଷ୍ଟ୍ ଜିତିଛି। ଅଧିନାୟକ ଦାୟିତ୍ବ ନେବା ପରଠାରୁ ଟିମ୍ ପେନ୍‌ଙ୍କ ଏହା ସବୁଠାରୁ ଲମ୍ବା ଅପରାଜେୟ ଧାରା। ଅନ୍ୟପକ୍ଷରେ ଭାରତ ପକ୍ଷରୁ ୨୦୦୧ ମସିହା ପରେ ତୃତୀୟ ଥର ପାଇଁ ବିଦେଶରେ ଦୁଇ ଜଣ ଏକକାଳୀନ ପଦାର୍ପଣ କରିବେ। ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୀରେନ୍ଦ୍ର ସେହବାଗ ଏବଂ ଦୀପ ଦାସଗୁପ୍ତା ପଦାର୍ପଣ କରିଥିଲେ। ୨୦୧୧ରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ବିରାଟ କୋହଲି, ଅଭିନବ ମୁକୁନ୍ଦ ଏବଂ ପ୍ରବୀଣ କୁମାରଙ୍କ ଟେଷ୍ଟ୍ କ୍ରିକେଟ୍‌ ଜୀବନ ଏକକାଳୀନ ଆରମ୍ଭ ହୋଇଥିଲା।

ପୃଥ୍ବୀ ସ’ ବାଦ୍‌: କୋହଲି ଓ ଋଦ୍ଧିମାନଙ୍କ ସ୍ଥାନରେ ଜା‌ଦେଜା ଓ ପନ୍ତ୍‌
ମେଲ୍‌ବର୍ନ: ଦୁଇ ଉଦୀୟମାନ ଭାରତୀୟ ଯୁବ ତାରକା ଶୁବମନ ଗିଲ୍‌ ଏବଂ ମହମ୍ମଦ ସିରାଜ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ୍‌ରେ ପଦାର୍ପଣ କରିବେ। ଏହି ଦୁଇ ଜଣ ଯଥାକ୍ରମେ ଫର୍ମ ସହ ସଂଘର୍ଷ କରୁଥିବା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ବୀ ସ’ ଏବଂ ଆହତ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସ୍ଥାନ ନେବେ। ଆଡିଲେଡ୍‌ ଟେଷ୍ଟ୍‌ରେ ସ’ ଉଭୟ ପାଳିରେ ଯଥାକ୍ରମେ ପ୍ରଥମ ଓ ଚତୁର୍ଥ ଓଭରରେ ଆଉଟ୍‌ ହୋଇଥିଲେ। ମାତ୍ର ୫ ଟେଷ୍ଟ୍‌ ଖେଳିଥିବା ସ’ଙ୍କ ହାରାହାରି ୪୨ ରହିଥିଲା ବେଳେ ତାଙ୍କ ସ୍ଥାନ ନେଇଥିବା ଗିଲ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୭୪ ଷ୍ଟ୍ରାଇକ୍‌ ରେଟ୍‌ ଏବଂ ୬୯ ହାରାହାରି ରଖିଛନ୍ତି। ସେ ମଧ୍ୟ ପଞ୍ଜାବ ରଣଜୀ ଦଳ ପକ୍ଷରୁ ପାଳି ଆରମ୍ଭ କରନ୍ତି। ଅନ୍ୟପକ୍ଷରେ ସିରାଜ୍‌ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ସିରାଜ୍‌ ୩୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ‌ଖେଳି ୨୧.୮୮ ହାରରେ ୭୦ ୱିକେଟ୍‌ ଦଖଲ କରିଛନ୍ତି। ଏହିସବୁ ମ୍ୟାଚ୍‌ ମଧ୍ୟରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍‌ରେ ୧୨ ମ୍ୟାଚ୍‌ ଖେଳି ସେ ୨୭.୬୩ ହାରରେ ୪୪ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଏହା ପୂର୍ବରୁ ଭାରତ ଶେଷ ଥର ପାଇଁ ୨୦୧୧ରେ ଦୁଇ ଜଣ ଖେଳାଳିଙ୍କୁ କୌଣସି ଗୋଟିଏ ଟେଷ୍ଟ୍‌ରେ ପଦାର୍ପଣ ସୁଯୋଗ ଦେଇଥିଲା। ୨୦୧୧ରେ ବିରାଟ କୋହଲି, ପ୍ରବୀଣ କୁମାର ଏବଂ ଅଭିନବ ମୁକୁନ୍ଦ ୱେଷ୍ଟଇଣ୍ଡିଜ୍‌ରେ ହିଁ ଏକାବେଳକେ ପଦାର୍ପଣ କରିଥିଲେ। ପୁଣି ଶେଷ ଥର ପାଇଁ ଅଷ୍ଟ୍ରେଲିଆରେ ଶୃଙ୍ଖଳା ମଝିରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଚାନକ ଅବସର ଘୋଷଣା ପରେ ଭାରତ ଦଳରେ ୪ ପରିବର୍ତନ କରିଥିଲା। ଏବେ ପୁଣି ୪ ଜଣ ପରିବର୍ତନ ସହ ଭାରତ ପଡ଼ିଆକୁ ଓହ୍ଲାଇବ। ଗିଲ୍‌ ଓ ସିରାଜ୍‌ଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଏବଂ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ଏହି ଦୁଇ ଜଣ ଅନୁପସ୍ଥିତ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ୍‌ରକ୍ଷକ ଋଦ୍ଧିମାନ ଶାହଙ୍କ ସ୍ଥାନ ନେବେ। ପନ୍ତ୍‌ ମଧ୍ୟ ଚଳିତ ଗସ୍ତରେ ଖେଳାଯାଇଥିବା ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ରେ ଶତକ ଜମାଇଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳରେ ୪ ପରିବର୍ତନର ମାନେ ପଞ୍ଚମ ବୋଲର ସ୍ଥାନ ପୂରଣ ହୋଇପାରିଛି। ଏହି ସ୍ଥାନ ନେଇଥିବା ଜାଦେଜା ହିଁ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ପଛକୁ ଦ୍ବିତୀୟ ଆଗଧାଡ଼ିର ସ୍ପିନର ଭାବେ ଉଭା ହେବେ। ଉଭୟ ଅଶ୍ବିନ୍‌ ଓ ଜାଦେଜା ୬ ବର୍ଷ ପରେ ଏସିଆ ଏବଂ ୱେଷ୍ଟଇଣ୍ଡିଜ୍‌ ବାହାରେ ଏକାଠି ଖେଳିବେ। ଦୁହେଁ ଶେଷ ଥର ପାଇଁ ୨୦୧୪ରେ ଓଲ୍‌ଡ ଟ୍ରାଫୋର୍ଡରେ ୫ ଜଣିଆ ବୋଲିଂ ବାହୀନିରେ ସାମିଲ ଥିଲେ। ପୁଣି ଅଷ୍ଟ୍ରେଲିଆ ମାଟିରେ ଶେଷ ଥର ପାଇଁ କୌଣସି ଦଳ ଭାବେ ଭାରତ ଦୁଇ ଜଣ ଆଗଧାଡ଼ିର ସ୍ପିନରଙ୍କୁ ଖେଳାଇଥିଲା। ୨୦୦୭-୦୮ରେ ମେଲ୍‌ବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ‌ରେ ଅନିଲ କୁମ୍ବଲେ ଓ ହରଭଜନ ସିଂହ ଏହାର ଉଦାହରଣ ଥିଲେ। ସେତେବେଳେ ଏହି ଦୁଇ ସ୍ପିନର ଦ୍ରୁତ ବୋଲର ଜାହିର ଖାନ୍‌ ଓ ରୁଦ୍ରପ୍ରତାପ ସିଂହଙ୍କ ସାଥୀ ଥିଲେ। ତେବେ ୨୦୦୦ ପରଠାରୁ ମେଲ୍‌ବର୍ନରେ ଦ୍ରୁତ ବୋଲରମାନେ ୩୧ ଏବଂ ସ୍ପିନରମାନେ ୪୪ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏହାସତ୍ତ୍ବେ ଭାରତ ସେବେଠାରୁ ଜଣେ ଦ୍ରୁତ ବୋଲର ସ୍ଥାନରେ ସ୍ପିନରକୁ ବାଛିନଥିବା ଦେଖାଯାଇଛି। ଏବେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କ ଅନୁପସ୍ଥିତି ଦୁଇ ଜଣ ସ୍ପିନରଙ୍କୁ ଖେଳାଇବାକୁ ବାଧ୍ୟ କରିଛି।

ଭାରତୀୟ ଚୂଡାନ୍ତ ଏକାଦଶ: ମୟଙ୍କ ଅଗ୍ରୱାଲ, ଶୁବମନ୍ ଗିଲ୍‌, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଉମେଶ ଯାଦବ, ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ୍‌।

ସମ୍ବନ୍ଧିତ ଖବର