ବକ୍ସିଂ ଡେ’ ଟେଷ୍ଟ୍‌ ଦର୍ଶକ ଦେଖିବା ସମ୍ଭାବନା

ମେଲବର୍ନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍‌ ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ମିଳିବା ସମ୍ଭାବନା ଦେଖା ଦେଇଛି। ମେଲବର୍ନରେ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ନ ବାହାରିବା ଏବଂ ମୃତ୍ୟୁ ନ ଘଟିବା ପରେ ପ୍ରଶାସନ ପକ୍ଷରୁ କଟକଣାରରେ କୋହଳ କରାଯାଇଛି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ମେଲବର୍ନ କପ୍‌ ଘୋଡ଼ା ଦୌଡ଼ ପ୍ରତିଯୋଗିତାକୁ ଦର୍ଶକବିହୀନ କରାଯାଇଥିଲେ ମଧ୍ୟ ବକ୍ସିଂ ‌ଡେ’ ଟେଷ୍ଟ୍ ବେଳକୁ କ୍ରିକେଟ୍ ପ୍ରଶଂସକଙ୍କୁ ଅନୁମତି ମିଳିଯିବ ବୋଲି ଆଶା ଉଦ୍ରେକ ହୋଇଛି। ଏହା କ୍ରିକେଟପ୍ରେମୀମାନଙ୍କ ପାଇଁ ଭଲ ଖବର ହୋଇଛି। ‘ବକ୍ସିଂ ଡେ’ ଟେଷ୍ଟ ମେଲବର୍ନ କପ୍‌ ଠାରୁ ଭିନ୍ନ, ଏଥି ପାଇଁ ଆହୁରି ୨ ମାସ ମଧ୍ୟ ରହିଛି। ମୁଁ ଆତ୍ମବିଶ୍ବାସରେ ରହିଛି ଏମ୍‌ସିଜିରେ ଦର୍ଶକ ରହିବେ। କିନ୍ତୁ କେତେ ଦର୍ଶକ ହେବେ ମୁଁ ନିଶ୍ଚିତ ହୋଇପାରୁନି। ଆମେ ସେ ଦିଗରେ କାମ କରୁଛୁ’ ବୋଲି କହିଛନ୍ତି କହିଛନ୍ତି ଭିକ୍ଟୋରିଆ ପ୍ରଧାନମନ୍ତ୍ରୀ ଡାନିଏଲ୍‌ ଆଣ୍ଡ୍ରିଉସ୍‌। ସୂଚନାଯୋଗ୍ୟ, ଗତବର୍ଷ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍ ବକ୍ସିଂ ଡେ’ ଟେଷ୍ଟ୍‌କୁ ୮୦,୦୦୦ରୁ ଊର୍ଧ୍ବ ଦର୍ଶକ ଦେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୂଚନା ମଧ୍ୟ ୨୦୨୧ ମସିହାର ଅଷ୍ଟ୍ରଲିଆନ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍‌ ଟେନିସ୍ ପ୍ରତିଯୋଗିତା (ଜାନୁଆରି ୧୮-୩୧) ଲାଗି ଆଶା ଦେଖାଇଛି। ସୂଚନାଯୋଗ୍ୟ, ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ଗତ ମାର୍ଚ ମାସରୁ କୌଣସି ବଡ଼ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାରିନାହିଁ। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ମଧ୍ୟ ଆର୍ଥିକ ସଂକଟରୁ ବାହାରିବା ଲାଗି ଭାରତ-ଅଷ୍ଟ୍ରେଲିଆ ‌ସମ୍ପୂର୍ଣ୍ଣ କ୍ରିକେଟ୍ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର