ନୂଆଦିଲ୍ଲୀ: ରାଜନୈତିକ କାରଣ ପାଇଁ କିଛି ରାଜ୍ୟସଂଘ ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟଠାରେ ଚଳିତମାସ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଅଷ୍ଟମ ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ୍ରେ ନିଜ ଖେଳାଳିଙ୍କ ଅଂଶଗ୍ରହଣ ଉପରେ ଅଙ୍କୁଶ ଜାରି କରିଛନ୍ତି। ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି କରି ସେମାନଙ୍କୁ ଏହି ପ୍ରତିଯୋଗିତାରୁ ରୋକୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସର୍ବଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ) ଆଗେଇ ଆସିଛି। ଯେଉଁ ରାଜ୍ୟ ସଂଘ ନିଜ ରାଜ୍ୟର ଖେଳାଳିଙ୍କୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଆର୍ଥିକ ସହଯୋଗ କରୁନାହାନ୍ତି, ସେଭଳି ସଂଘର ଖେଳାଳିଙ୍କ ଲାଗି ସମସ୍ତ ବ୍ୟବସ୍ଥା ବିଏଫ୍ଆଇ କରିବ ବୋଲି ସଭାପତି ଅଜୟ ସିଂହ ବୁଧବାର ସାମ୍ବାଦିକ ସମ୍ମିଳନୀ ଡାକି ଘୋଷଣା କରିଛନ୍ତି। ସେମାନଙ୍କ ରହିବା, ଯାତାୟାତ ଓ ଖାଇବା ବ୍ୟବସ୍ଥା ମଧ୍ୟ ମହାସଂଘ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିଲାଗି ବିଏଫ୍ଆଇ ପକ୍ଷରୁ ଏକ ମୋବାଇଲ୍ ନମ୍ବର (୭୦୦୩୧ ୦୧୫୫୩) ଜାରି କରାଯାଇଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଥିବା ବକ୍ସରମାନେ ଏହି ନମ୍ବରରେ ଯୋଗାଯୋଗ କଲେ ସେମାନଙ୍କର ସବୁ ବ୍ୟବସ୍ଥା ବିଏଫ୍ଆଇ କରିବ ବୋଲି କୁହାଯାଇଛି। ଶ୍ରୀ ସିଂହ ମଧ୍ୟ ଆସାମ ବକ୍ସିଂ ସଂଘ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅଲିମ୍ପିଆନ୍ ଲଭଲିନା ବଡ଼ଗୋହାଇଁଙ୍କୁ ଏ ପର୍ଯ୍ୟନ୍ତ ଅନୁମତି ଦେଇ ନଥିବା ଅଭିଯୋଗ କରିଛନ୍ତି। ଦୁର୍ନୀତିରେ ଲିପ୍ତ ମହାସଚିବ ହେମନ୍ତ କଳିତାଙ୍କ ଇଙ୍ଗିତରେ ଏସବୁ ହେଉଥିବା କହିଛନ୍ତି ସେ।
ମହାସଚିବ, କୋଷାଧ୍ୟକ୍ଷଙ୍କୁ ନିଲମ୍ବନ କଲେ ସଭାପତି ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ବିଏଫ୍ଆଇ ସଭାପତି ଅଜୟ ସିଂହ ବୁଧବାର ମହାସଚିବ ହେମନ୍ତ କଳିତା ଏବଂ କୋଷାଧ୍ୟକ୍ଷ ଦିଗ୍ବିଜୟ ସିଂହଙ୍କୁ ନିଲମ୍ବନ କରିଛନ୍ତି। ଉଭୟ ବିଏଫ୍ଆଇ ପାଣ୍ଠିକୁ ବ୍ୟକ୍ତିଗତ ଗସ୍ତରେ ବିନିଯୋଗ କରିଥିବା ଅଭିଯୋଗ ଆସିଥିବାରୁ ଏଭଳି ପଦକ୍ଷେପ ନେବାକୁ ସେ ବାଧ୍ୟ ହେଲେ ବୋଲି ଶ୍ରୀ ସିଂହ ନିଜ ପ୍ରେସ୍ ବାର୍ତ୍ତାରେ କହିଛନ୍ତି। ଦୁର୍ନୀତି ଅଭିଯୋଗ ଆସିବା ପରେ ବିଏଫ୍ଆଇ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ସୁଧୀର ଜୈନଙ୍କ ଅଧ୍ୟକ୍ଷତାରେ ଜଣିକିଆ ତଦନ୍ତ କମିଟି ଗଠନ କରିଥିଲା। ଶ୍ରୀ ଜୈନଙ୍କ ତାଙ୍କ ରିପୋର୍ଟରେ ବିଏଫ୍ଆଇରେ ଜାଲ୍ ହୋଟେଲ ବିଲ୍, ଟେଣ୍ଡର୍ ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଭଳି କାର୍ଯ୍ୟ ଚାଲିଥିବା ଦର୍ଶାଇଥିଲେ। କଳିତ ଓ ଦିଗ୍ବିଜୟ ଏଥିରେ ଜଡ଼ିତ ବୋଲି ମଧ୍ୟ ଜଣାଇଥିଲେ। ତାଙ୍କ ରିପୋର୍ଟ ଆଧାରରେ ଶ୍ରୀ ସିଂହ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।
କ୍ରୀଡ଼ାମନ୍ତ୍ରୀଙ୍କୁ ଫେରାଦ ହେଲେ ଓଡ଼ିଶା ଖେଳାଳି ବିଏଫ୍ଆଇ ବିବାଦରେ ମାତି ଓଡ଼ିଶା ଆମେଚର ବକ୍ସିଂ ସଂଘ (ଓଏବିଏ) ମଧ୍ୟ ରାଜ୍ୟର ପ୍ରତିଭାବାନ ଖେଳାଳିଙ୍କୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ଅଟକାଉଛି। ଦଳ ବାଛିଥିଲେ ମଧ୍ୟ ଖେଳାଳିଙ୍କୁ ନଏଡ଼ା ପଠାଉନି। ଏଥିନେଇ ଦୁଇ ଜଣ ଓଡ଼ିଆ ଖେଳାଳି ସୋମବାର ରାଜ୍ୟ କ୍ରୀଡ଼ା ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ମହାସଂଘ ଓ ରାଜ୍ୟ ସଂଘ ବିବାଦରେ କ୍ରୀଡ଼ା ବିଭାଗ ହସ୍ତକ୍ଷେପ କରିପାରିବ ନାହିଁ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ ଟେଲିଫୋନ୍ ଯୋଗ ସେମାନଙ୍କୁ ଜଣାଇ ଦିଆଯାଇଥିଲା। ଏଣୁ ଖେଳାଳିମାନେ ବାଧ୍ୟହୋଇ ପତ୍ର ମାଧ୍ୟମରେ ଏହି ମାମଲାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଧ୍ୟାନକୁ ଆଣିଛନ୍ତି। ବିଏଫ୍ଆଇ ସହ ଓଡ଼ିଶା ଅଲିମ୍ପିକ୍ସ ସଂଘକୁ ମଧ୍ୟ ରାଜ୍ୟ ସଂଘର ଅସହଯୋଗ ଓ ମନମୁଖୀ କାର୍ଯ୍ୟ ବିଷୟରେ ଜଣାଇଛନ୍ତି। ଖେଳାଳିମାନେ ଓଏବିଏ ସଂପାଦକ ଅନିଲ ବହିଦାରଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରୀଡ଼ାମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସଂପାଦକଙ୍କ ପାଇଁ ସେମାନେ ଜାତୀୟ ପ୍ରତିଯୋଗିତା ଖେଳିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି ବୋଲି ଦର୍ଶାଇଛନ୍ତି। ଏଣୁ ଏହି ମାମଲାରେ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟାୟ ଦେବା ଲାଗି ଅନୁରୋଧ କରିଛନ୍ତି। ସେହିଭଳି ଓଡ଼ିଶାରେ ଜାତୀୟ କ୍ରୀଡ଼ା ବିକାଶ ନୀତି, ୨୦୧୧ ଲାଗୁ କରିବାକୁ ଆହ୍ବାନ କରିଛନ୍ତି।