ତାସକେଣ୍ଟ : ଏଠାରେ ଚାଲିଥିବା ପୁରୁଷ ମୁଷ୍ଟିଯୁଦ୍ଧ ବିଶ୍ବ ଚାମ୍ପିଅନ୍ସିପ୍ରେ ଭାରତ ୩ ପଦକ ସହ ଅଭିଯାନ ଶେଷ କରିଛି। ନିଶାନ୍ତ ଦେବ (୭୧ କେଜି), ଦୀପକ ଭୋରିଆ (୫୧ କେଜି) ଏବଂ ମହମ୍ମଦ ହୁସାମୁଦିନ (୫୭ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଏହା ମଧ୍ୟ ପ୍ରଥମ ଥର ଲାଗି ବିଶ୍ବ ପ୍ରତିଯୋଗିତାର ଗୋଟିଏ ସଂସ୍କରଣରେ ଭାରତ ସର୍ବାଧିକ ୩ ପଦକ ଜିତିବାର ଇତିହାସ ରଚିଛି।
ଏଥି ସହିତ ଭାରତ ମଧ୍ୟ ପଦକ ତାଲିକାରେ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛି। ଆୟୋଜକ ଉଜ୍ବେକିସ୍ତାନ (୯), କ୍ୟୁବା ଓ ରୁଷିଆ (ପ୍ରତ୍ୟେକ ୬ ଲେଖାଏଁ) ଏବଂ କାଜାକସ୍ତାନ (୫) ଯଥାକ୍ରମେ ଶୀର୍ଷ-୩ ସ୍ଥାନ ଅକ୍ତିଆର କରିଛନ୍ତି।
ଗୁରୁବାର କ୍ବାର୍ଟର ଫାଇନାଲ୍ ବେଳେ ଆଣ୍ଠୁ ଜନିତ ଆଘାତ ଯୋଗୁଁ ହୁସାମୁଦ୍ଦିନ ଶୁକ୍ରବାର ସେମିଫାଇନାଲ୍ରୁ ଓହରିଯାଇଥିଲେ। ଫଳରେ ତାଙ୍କ କ୍ୟୁବା ପ୍ରତିଦ୍ବନ୍ଦ୍ବୀ ସାଇଡେଲ ହୋର୍ତାଙ୍କୁ ୱାକ୍ଓଭର ମିଳିଯିବାରୁ ହୁସାମୁଦ୍ଦିନ କାଂସ୍ୟରେ ଅଟକି ଯାଇଥିଲେ।
ଅନ୍ୟପକ୍ଷରେ ଭୋରିଆ ସେମିଫାଇନାଲ୍ ଲଢ଼େଇରେ ଦୁଇଥର ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ଫ୍ରାନ୍ସର ବିଲାଲ ବେନ୍ନାମାଙ୍କ ନିକଟରୁ ୩-୪ରେ ହାରିଯାଇଥିଲେ। ସେହିପରି ନିଶାନ୍ତ ଦେବ ସେମିଫାଇନାଲ୍ରେ ଏସୀୟ ବିଜେତା କାଜାକସ୍ତାନ ଯୋଦ୍ଧା ଅସ୍ଲାନବେକ୍ ସିମବରଜେନୋଭ୍ଙ୍କ ନିକଟରୁ ୨-୫ରେ ପରାସ୍ତ ହୋଇଥିଲେ। କାଂସ୍ୟ ପଦକ ବିଜେତାଙ୍କୁ ୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି।