ମୁଷ୍ଟିଯୁଦ୍ଧ ବିଶ୍ବକପ୍‌: ସିମ୍ରନଜିତ୍‌, ମନୀଷାଙ୍କୁ ସ୍ବର୍ଣ୍ଣ, ୯ ପଦକ ସହ ଭାରତର ଅଭିଯାନ ‌ଶେଷ

କୋଲୋନ୍‌ : ଦୁଇ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସିମ୍ରନଜିତ କୌର (୬୦ କେଜି) ଓ ମନୀଷା ମାଉଁ (୫୭ କେଜି) ଜର୍ମାନିରେ ଆୟୋଜିତ କୋଲୋନ୍‌ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ଫାଇନାଲ୍‌ରେ ମନୀଷା ୩-୨ରେ ନିଜ ଦେଶର ସାକ୍ଷୀ ଚୌଧୁରୀଙ୍କୁ ଏବଂ ସିମ୍ରନଜିତ ୪-୧ରେ ଜର୍ମାନିର ମାୟା କ୍ଲେଇନହଂସଙ୍କୁ ପରାସ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ଭାରତ ୩ ସ୍ବର୍ଣ୍ଣ, ୨ ‌ରୌପ୍ୟ ଓ ୪ କାଂସ୍ୟ ପାଇ ମୋଟ ୯ ପଦକ ସହ ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଛି। ଶନିବାର ଏସୀୟ କ୍ରୀଡ଼ା ବିଜେତା ଅମିତ ‌ପଙ୍ଗଲ (୫୨ କେଜି) ଫାଇନାଲ୍‌ରେ ୱାକ୍‌ଓଭର ପାଇ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଭେଟେରାନ ସତୀଶ କୁମାର (+୯୧ କେଜି) ଆହତ ଯୋଗୁଁ ଫାଇନାଲ୍‌ରୁ ଓହରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ସୋନିଆ ଲାଥର (୫୭ କେଜି), ପୂଜା ରାଣୀ (୭୫ କେଜି), ଗୌରବ ସୋଲାଙ୍କି ଓ ମହମ୍ମଦ ହୁସାମୁଦ୍ଦିନ (୫୭ କେଜି) କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର