ମା‌ଞ୍ଚେଷ୍ଟର୍‌: ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ରେ ପରାଜୟ ମୁହଁରୁ ଫେରି ଭାରତ ଲଢ଼ୁଆ ଡ୍ର’ କରିବା ପରେ ଇଂଲଣ୍ଡର ଏକ ହୀନ ଆଭିମୁଖ୍ୟ ବିତର୍କରେ ରହିଛି। ଭାରତ ସୁରକ୍ଷିତ ହେବା ଦିଗରେ ଅଗ୍ରସର ହେବା ଦେଖି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ରବିବାର ଭାରତକୁ ଆଗୁଆ ଡ୍ର’ ଅଫର୍ ଦେଇଥିଲେ। ଯାହାକୁ ରବୀନ୍ଦ୍ର ଜାଡ଼େଜା ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ପଡ଼ିଆ ଭିତରେ ଏଭଳି ଆଚରଣ ଅନେକଙ୍କୁ ଚକିତ କରିଥିଲା। ପୂର୍ବତନ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ ଜିଓଫ ବୟକଟ୍‌ ଭାରତୀୟଙ୍କୁ ସମର୍ଥନ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଛି। ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ଯାହା କଲେ ମୁଁ ବ୍ୟାଟିଂ କରୁଥିଲେ ବି ସେଇଆ କରିଥାନ୍ତି ବୋଲି ବୟକଟ୍‌ ସ୍ପଷ୍ଟ ଭାବେ କହିଛନ୍ତି। ଇଂଲଣ୍ଡ ଏହି ପ୍ରସଙ୍ଗରେ ଭାରତକୁ ଦାୟୀ କରିବାର କିଛି କାରଣ ନାହିଁ। ଏତେ ପରିଶ୍ରମ କରି ଦଳକୁ ବଞ୍ଚାଇବା ପରେ ଶତକ ସୁଯୋଗ ଛାଡ଼ି ଚାଲିଯିବାକୁ କହିବା ଉଚିତ ନଥିଲା। ଇଂଲଣ୍ଡ ନିଜକୁ ସୁହାଉ ନାହିଁ ବୋଲି ଡ୍ର’ ଅଫର୍ ଦେଇ ଖେଳ ବନ୍ଦ କରିବାକୁ କହିବା ଗ୍ରହଣୀୟ ନଥିଲା।

Advertisment

ଜାଡ଼େଜା ଓ ସୁନ୍ଦରଙ୍କୁ କେବଳ ବେନ୍‌ ଷ୍ଟୋକ୍ସ ନୁହେଁ ହ୍ୟାରି ବ୍ରୁକ୍‌, ବେନ୍ ଡକେଟ୍‌, ଜ୍ୟାକ୍ କ୍ରଲି, ଜୋଫ୍ରା ଆର୍ଚର ପ୍ରମୁଖ ନିରୁତ୍ସାହିତ କରୁଥିବା ଷ୍ଟମ୍ପ୍‌ ମାଇକ୍ରୋଫୋନ୍‌ରୁ ଜଣାପଡୁଥିଲା। ଆଧୁନିକ କ୍ରିକେଟ୍‌ରଙ୍କ ଏଭଳି କୁହାଳିଆ ପଣକୁ ସେ ନାପସନ୍ଦ କରିଛନ୍ତି। ମୁଁ ନିଶ୍ଚିତ ନୁହେଁ ଏହା କ’ଣ। ମୁଁ ଖେଳୁଥିବା ବେଳେ କିନ୍ତୁ ଏଭଳି ହେଉ ନଥିଲା। ଭାରତ ନିଶ୍ଚିତ ଓଲ୍ଡ ଟ୍ରାଫୋର୍ଡ ‘ଡ୍ର’କୁ ବିଜୟ ବିବେଚନା କରି ଓଭାଲ୍‌ରେ ଖେଳିବ ବୋଲି ବୟକଟ୍‌ ପ୍ରକାଶ କରିଛନ୍ତି। ବିଜୟରୁ ନୁହେଁ, ପରାଜୟରୁ ଅଧିକ କିଛି ଶିଖି ହୁଏ। ଇଂଲଣ୍ଡ ଭୁଲିଯିବା ଉଚିତ ନୁହେଁ ଯେ ବୋଲିଂ ଦୁର୍ବଳତା ପାଇଁ ସେମାନେ ଭାରତକୁ ଦ୍ବିତୀୟ ପାଳିରେ ଅଲ୍‌ଆଉଟ୍ କରିପାରିଲେ ନାହିଁ। ସୂଚନାଯୋଗ୍ୟ, ରବିବାର ଭାରତକୁ ସୁରକ୍ଷିତ ସ୍ଥିତିରେ ଦେଖି ବେନ୍‌ ଷ୍ଟୋକ୍ସ ଡ୍ର’ ଅଫର ଦେଇଥିଲେ। ଯାହାକୁ ଜା‌ଡ଼େଜା ରୋକଠୋକ୍ ମନା କରିଦେଇଥିଲେ। ‘ମୁଁ କିଛି କରିପାରିବି ନାହିଁ’ ବୋଲି କହିଥିଲେ। ସେତେବେଳକୁ ଜା‌ଡ଼େଜା ୮୯* ଏବଂ ୱାସିଂଟନ୍ ସୁନ୍ଦର ୮୦* ରନ୍‌ରେ ବ୍ୟାଟିଂ କରୁଥିଲେ। ଉଭୟ ଜାଡ଼େଜା ଓ ସୁନ୍ଦର କୌଣସି ବ୍ୟସ୍ତତା ନ ଦେଖାଇ ନିଜ ନିଜ ଶତକ ହାସଲ ପରେ ହିଁ ଡ୍ର’ ପାଇଁ ରାଜି ହୋଇଥିଲେ।

ସାମ୍‌ସୀଙ୍କୁ ଷ୍ଟେନ୍‌ଙ୍କ ବିରୋଧ 
ବେନ୍‌ ଷ୍ଟୋକ୍ସଙ୍କ ଆଗୁଆ ଡ୍ର’ ପ୍ରସ୍ତାବକୁ ଗ୍ରହଣ କରି ନଥିବାରୁ ଦୁଇ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ତାବ୍ରାଇଜ୍ ସାମ୍‌ସୀ ଓ ଡେଲ୍ ଷ୍ଟେନ୍‌ ଭିନ୍ନ ବିଚାରରେ ଦେଖିଛନ୍ତି। ଏକ୍ସ ପୃଷ୍ଟାରେ ତାବ୍ରାଇଜ୍ ସାମ୍‌ସୀ ଲେଖିଛନ୍ତି ‘ଇଂଲଣ୍ଡର ପ୍ରସ୍ତାବକୁ ଗ୍ରହଣ କରି ତୁରନ୍ତ ଡ୍ର’ ପାଇଁ ଭାରତୀୟ ଖେଳାଳି ରାଜି ନ ହେବା କିଛି ବଡ଼ ପ୍ରସଙ୍ଗ ନୁହେଁ। ପ୍ରସ୍ତାବ ଆସିଲା, ପ୍ରତ୍ୟାଖ୍ୟାନ ହେଲା, ଏଭଳି ନିଷ୍ପତ୍ତି ପାଇଁ ସେମାନେ ସମ୍ପୂର୍ଣ୍ଣ ହକ୍‌ଦାର। କଠିନ ପରିଶ୍ରମ କରିଥିବାରୁ ୧୦୦ ପୂର୍ଣ୍ଣ କଲେ, ଖେଳ ବି ସରିଗଲା। ଏହା ନିୟମ ଭିତରେ ଘଟିଲା’। ଷ୍ଟେନ୍ କିନ୍ତୁ ନାପସନ୍ଦ କରିଛନ୍ତି। ‘ଥରେ ମ୍ୟାଚ୍ ଡ୍ର’ ହେବା ନିଶ୍ଚିତ ହୋଇଯିବା ପରେ ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ଦ୍ବିତୀୟ ଅଗ୍ରାଧିକାର କଥା। ଖେଳ ଭାବନା ଦୃଷ୍ଟିରୁ ଏହା ଠିକ୍‌ ନୁହେଁ। କେହି ଏହା ଅନୁଭବ କରୁନାହାନ୍ତି। ବ୍ୟାଟର୍ ମାନେ ୧୦୦ ପାଇଁ ଖେଳୁ ନଥିଲେ, ଡ୍ର’ ପାଇଁ ଖେଳୁଥିଲେ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ ଖେଳିବାର କିଛି ମାନେ ନାହିଁ’ ବୋଲି ଷ୍ଟେନ୍‌ ଉଲ୍ଲେଖ କରିଛନ୍ତି।