ସିଡ୍‌ନି: ଅଷ୍ଟ୍ରେଲିଆ କିଂବଦନ୍ତି ବ୍ୟାଟର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ ଐତିହାସିକ ‘ବ୍ୟାଗି ଗ୍ରିନ୍‌’ ଟୋପି ମଙ୍ଗଳବାର ୨୫୦,୦୦୦ ଡଲାର ତଥା ଭାରତୀୟ ମୁଦ୍ରାରେ ୨ କୋଟି ୧୧ଲକ୍ଷ ଟଙ୍କାରେ ନିଲାମ ହୋଇଛି। ବନହାମ୍ସ ଦ୍ବାରା ସିଡ୍‌ନିରେ ହୋଇଥିବା ନିଲାମରେ ଏହାର ମୂଳ ଦଳ ୧୬୦,୦୦୦ ଡଲାର ଥିଲା। ୧୦ ମିନିଟ୍‌ ମଧ୍ୟରେ ଏହା ୨୫୦,୦୦୦ ଡଲାରରେ ନିଲାମ ହୋଇଥିଲା। ଉଲ୍‌ରେ ନିର୍ମିତ ଏହି ଟୋପିକୁ ବ୍ରାଡ୍‌ମ୍ୟାନ୍‌ ୧୯୪୭-୪୮ରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ବେଳେ ପିନ୍ଧିଥିଲେ। ଏହି ଟେଷ୍ଟ୍‌ ଶୃଙ୍ଖଳାରେ ବ୍ରାଡ୍‌ମ୍ୟାନ୍‌ ୬ଟି ପାଳିରେ ୧୭୮.୭୫ ହାର ଏବଂ ୩ ଶତକ ଓ ଗୋଟିଏ ଦ୍ବିଶତକ ସହ ମୋଟ ୭୧୫ ରନ୍‌ କରିଥିଲେ। ନିଲାମ ସଂସ୍ଥା ବନହାମ୍ସ ଏହି ଟୋପିକୁ ‘ଏକମାତ୍ର ଜଣାଶୁଣା ବ୍ୟାଗି ଗ୍ରିନ୍‌’‌ ବୋଲି କହିଛି। ସଂପ୍ରତି ଏହି ଟୋପିର ରଙ୍ଗ ଛାଡ଼ିଯାଇଥିଲା ବେଳେ କିଛି ନଷ୍ଟ ମଧ୍ୟ ହୋଇଛି ଏବଂ ଉପର ଅଂଶ ଛିଣ୍ଡିଯାଇଛି। ୨୦୨୦ରେ ତାଙ୍କର ଟେଷ୍ଟ୍‌ ପଦାର୍ପଣ ଟୋପି ୨୯୦,୦୦୦ ଡଲାରରେ ନିଲାମ ହୋଇଥିଲା। କ୍ରିକେଟ୍‌ର ମହାନ ବ୍ରାଡ୍‌ମ୍ୟାନ୍‌ଙ୍କ ଟେଷ୍ଟ୍‌ ବ୍ୟାଟିଂ ହାର ୯୯.୯୪ ରହିଛି। ୨୦୦୧ରେ ୯୨ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି।