ବ୍ରହ୍ମାନନ୍ଦ, ବ୍ରୁନୋ ଗୋଆର କ୍ରୀଡ଼ା ଚେହେରା

ବିରାଟ କୋହଲିଙ୍କ ଫୁଟ୍‌ବଲ୍‌ ଦଳ, କ୍ରିକେଟ୍ ପଡ଼ିଆରେ ଫୁଟ୍‌ବଲ୍ ରାଜ

ମାର୍‌ଗାଓଁ (ଗୋଆ): ବେଳାଭୂମି ପର୍ଯ୍ୟଟନ, ଚର୍ଚ୍ଚ, ଫୁଟ୍‌ବଲ୍‌ ପାଇଁ ବିଶେଷ ଭାବେ ପରିଚିତ ଗୋଆ। ପଶ୍ଚିମ ଭାରତରେ ଥିବା ଏହି ଛୋଟିଆ ରାଜ୍ୟ ପୂର୍ବରୁ ଖଣି ଓ ଖଣିଜ ସମ୍ପଦ ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ପର୍ଯ୍ୟଟନ ଏବେ ଏହାର ମୁଖ୍ୟ ରାଜସ୍ବର ଉତ୍ସ। ନିକଟରେ ଅନୁଷ୍ଠିତ ଫିଫା ଯୁବା (୧୭ ବର୍ଷରୁ କମ୍ ମହିଳା) ଏହି ରାଜ୍ୟକୁ ଦେଶର ବିରଳ କ୍ଲବ୍‌ରେ ସାମିଲ କରିଛି। ଦୁଇଟି ଗ୍ରୁପ୍‌ର ୧୨ ମ୍ୟାଚ୍‌ ସହିତ ଦୁଇଟି ସେମିଫାଇନାଲ୍ ଏଠାରେ ଖେଳାଯାଇଥିଲା। ସ୍ପେନ୍‌-ଜର୍ମାନି ଓ ନାଇଜେରିଆ-କଲମ୍ବିଆ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲକୁ ପ୍ରତ୍ୟେକ୍ଷ ଭାବେ କଭରେଜ୍ କରିବାର ସ‌ୁଯୋଗ ମିଳିଥିଲା ଏହି ପ୍ରତିନିଧିଙ୍କୁ। ଗୋଆ ଫୁଟ୍‌ବଲ୍ ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ ସାମଗ୍ରିକ ଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏତେଟା ସଫଳ ନଥିବାରୁ କ୍ରୀଡ଼ା ପାଇଁ ବିଶେଷ ଭାବେ ପରିଚିତ ନୁହେଁ। ତେବେ ରାଜ୍ୟର ଦୁଇ ମହାନ ଫୁଟ୍‌ବଲର୍‌ ବ୍ରହ୍ମାନନ୍ଦ ଶଙ୍ଖୱାଲକର ଏବଂ ବ୍ରୁନୋ କଟି‌ନୋଙ୍କୁ କିଂବଦନ୍ତିର ମାନ୍ୟତା ମିଳିଥାଏ। ଏମାନେ ହିଁ ଗୋଆର କ୍ରୀଡ଼ା ଚେହେରା। ଯାହାଙ୍କୁ ଦେଖି ଯୁବ ପିଢ଼ି ଆଗକୁ ଆସୁଛନ୍ତି।

ଉଭୟ ଭାରତୀୟ ଫୁଟ୍‌ବଲ୍ ଦଳର ଅଧିନାୟକତ୍ବ କରିବା ସହିତ ଅର୍ଜୁନ ପୁରସ୍କାର ପାଇଥିବା ଗୋଆର ମାତ୍ର ଦୁଇ କ୍ରୀଡ଼ାବିତ୍‌। ବ୍ରହ୍ମାନନ୍ଦ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୋଆର ଏକମାତ୍ର ଖେଳାଳି। ଗୋଆ ଜନ୍ମିତ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ହେଉଛନ୍ତି ଦିଲୀପ ସରଦେଶାଇ, ଯିଏକି ୩୦ ଟେଷ୍ଟ୍‌ ଖେଳିଥିଲେ। ଏମାନଙ୍କ ଛଡ଼ା ଲିଓ ପିଣ୍ଟୋ (ହକି), ୱାଲଟର୍ ଡି’ସୁଜା (ହକି), ନେଭିଲ୍ ଡି’ସୁଜା (ଫୁଟ୍‌ବଲ୍‌), ମ୍ୟାରି ଡି’ସୁଜା ସେକ୍ୟୁଏରା (ଆଥ୍‌ଲେଟିକ୍ସ, ହକି), ଷ୍ଟିଫାନି ଡି’ସୁଜା (ଆଥ୍‌ଲେଟିକ୍ସ, ହକି), ଜୋକ୍ବିମ୍ ମାର୍ଟିନ କାର୍ଭାଲୋ (ହକି) ପ୍ରମୁଖ ଗୋଆ ପାଇଁ ମଧ୍ୟ ପରିଚିତ। ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସ ହକି କାଂସ୍ୟ ପଦକ ବିଜେତା ତଥା ସ୍ପୋର୍ଟସ ମେଡିସିନ୍‌ ବିଶେଷଜ୍ଞ ଭିସ୍ ପେସ୍‌ଙ୍କ ପାଇଁ ମଧ୍ୟ ଗୋଆ ସାମୟିକ ସମ୍ମାନିତ ହୋଇଥାଏ। ଆଧୁନିକ କ୍ରୀଡ଼ା ପରିଚୟରେ କ୍ରିକେଟର୍ ସ୍ବପ୍ନିଲ ଆସ‌ନୋଡକର, ସଦ୍ୟ ଆଇପିଏଲ୍ ଖେଳିଥିବା ସୂୟାଶ ପ୍ରଭୂଦେଶାଇ, ଆଇଏମ୍ ଟାଇଟଲ ଧାରୀ ଚେସ୍‌ ‌ଖେଳାଳି ଭକ୍ତି କୁଲକର୍ଣ୍ଣି, ଆଇଏସଏଲ୍‌ରେ ଗୋଆ ଏଫସିର ନେତୃତ୍ବ ନେବାର ସୌଭାଗ୍ୟ ପାଇଥିବା ବ୍ରେଣ୍ଡନ୍ ଫର୍ଣ୍ଣାଣ୍ଡେଜ୍‌, ଆଇଏସ୍ଏଲ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳି କୀର୍ତ୍ତିମାନ ରଖିଥିବା ମନ୍ଦର ରାଓ ଦେଶାଇ (ଗୋଆ, ବେଙ୍ଗାଲୁରୁ, ମୁମ୍ବାଇ) ଅନ୍ୟତମ ଚେହେରା।

କ୍ରିକେଟ୍ ପଡ଼ିଆରେ ଫୁଟ୍‌ବଲ୍ ରାଜ
ଗୋଆର ଏକମାତ୍ର ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ହେଉଛି ‌ମାରଗାଓଁସ୍ଥିତ ପଣ୍ଡିତ ଜବାହରଲାଲ୍ ‌ନେହେରୁ ଷ୍ଟାଡିୟମ୍‌। ଏଠାରେ ଉଭୟ ଫୁଟ୍‌ବଲ୍ ଓ କ୍ରିକେଟ୍‌ର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି। ୧୯୮୯ ମସିହାରେ ପ୍ରତିଷ୍ଠିତ ଏହି ଷ୍ଟାଡିୟମ୍‌ ପ୍ରଥମରୁ ଫୁଟ୍‌ବଲ୍ ପାଇଁ ସମର୍ପିତ ଥିଲେ ମଧ୍ୟ କ୍ରିକେଟ୍‌କୁ ତୁରନ୍ତ ସାମିଲ କରିଥିଲା। ୧୯୮୯ରେ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସହିତ ଅଦ୍ୟାଦଧି ୯ଟି ଦିନିକିଆ ଏଠାରେ ଖେଳାଯାଇଛି। ୨୦୧୦ ଅକ୍ଟୋବର ୨୪ରେ ଏଠାରେ ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ ବ‌ର୍ଷା ଧୋଇନେଇଥିଲା। ଏହା ପରଠାରୁ ବିସିସିଆଇର ନୂଆ ନିୟମ ଅନୁସାରେ ଗୋଆ କ୍ରି‌କେଟ୍ ସଂଘକୁ ମିଳୁନି ମ୍ୟାଚ୍। ନିଜସ୍ବ ପଡ଼ିଆ ନଥିବାରୁ ଏଭଳି ହୋଇଛି। ଫତୋର୍ଦା ଷ୍ଟାଡିୟମ୍‌ ଭାବେ ପରିଚିତ ଏହି କ୍ରୀଡ଼ା ଭିତ୍ତିଭୂମି ଗୋଆ କ୍ରୀଡ଼ା ପ୍ରାଧିକରଣର ନିଜସ୍ବ ଏବଂ ଏହା ଦ୍ବାରା ପରିଚାଳିତ। ଦର୍ଶକ କ୍ଷମତା ୨୦,୦୦୦। ୨୦୦୭ରେ ଆଇ-ଲିଗ୍‌ ଏବଂ ୨୦୧୪ରେ ଆଇଏସ୍‌ଏଲ୍‌ର ଆଗମନ ପରଠାରୁ ଏଠାରେ କେବଳ ଫୁଟ୍‌ବଲ୍‌ ଖେଳାଯାଉଛି। ୨୦୧୭ ମସିହାରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଏବଂ ୨୦୨୨ ମସିହାର ୧୭ ବର୍ଷରୁ କମ୍‌ ଯୁବା ବିଶ୍ବକପ୍‌ ଏଠାରେ ସଫଳତା ସହ ସମ୍ପନ୍ନ ହୋଇଛି। ଏହା ଛଡ଼ା ଏଏଫ୍‌ସି କପ୍‌, ବ୍ରିକ୍ସ ଫୁଟ୍‌ବଲ୍ କପ୍‌, ଆଇଏସ୍‌ଏଲ୍‌, ଆଇ-ଲିଗ୍, ସନ୍ତୋଷ ଟ୍ରଫି ଖେଳାଯାଇଛି। ଚର୍ଚ୍ଚିଲ ବ୍ରଦର୍ସ, ‌ଡେମ୍ପା ଏସ୍‌ସି, ‌ଏଫସି‌ ଗୋଆ‌, ସାଲଗାଓଁକର ଏସ୍‌ସି, ସ୍ପୋର୍ଟିଂ କ୍ଲବ୍ ଡି ‌‌ଗୋଆ, ଭାସ୍କୋ ଏସ୍‌ସି ଆଦିର ଘରୋଇ ଗ୍ରାଉଣ୍ଡ୍‌ ହେଉଛି ଫତୋର୍ଦା ମଇଦାନ। ୨୦୧୪ରେ ଲୁସୋଫୋନିଆ ଗେମ୍ସ ଏଠାରେ ଖେଳାଯାଇଥିଲା। କ୍ରିକେଟ୍ ଅନ୍ତଃର୍ଦ୍ଧାନ ହୋଇଯିବା ପରେ ଗୋଆ କ୍ରିକେଟ୍‌ ସଂଘ ଖୁବ୍ ଶୀଘ୍ର ନିଜସ୍ବ ପଡ଼ିଆ ନିର୍ମାଣ କରିବା ସହ ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରି ପାଇବ ବୋଲି ଗତ ସପ୍ତାହରେ ନିର୍ବାଚିତ ଏହାର ନୂଆ କର୍ମକର୍ତା ଆଶା ପ୍ରକାଶ କରିଛନ୍ତି।

ବିରାଟ କୋହଲିଙ୍କ ଫୁଟ୍‌ବଲ୍‌ ଦଳ
ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବିରାଟ କୋହଲିଙ୍କ ଆଗମନ ପୂର୍ବରୁ ଫତୋର୍ଦା ଷ୍ଟାଡିୟମ୍‌ରୁ କ୍ରିକେଟ୍ ଦୂରେଇ ରହିଛି। ଭିଭିଏସ୍ ଲକ୍ଷ୍ମଣ, ଯୁବରାଜ ସିଂହ ଏଠାରେ ଦିନିନିଆ ଶତକ ଏବଂ ଜାହିର ଖାନ୍‌ ୫ ୱିକେଟ୍ ସଫଳତା ପାଇବାର ଗୌରବ ବହନ କରିଛନ୍ତି। ଐତିହାସିକ ଜବାହରଲାଲ୍ ନେ‌ହରୁ ଷ୍ଟାଡିୟମ୍‌ରେ ବିରାଟ କୋହଲି କିନ୍ତୁ ମ୍ୟାଚ୍‌ ଖେଳିବାର‌‌ ସୌଭାଗ୍ୟ ପାଇନାହାନ୍ତି। ବିରାଟ କିନ୍ତୁ ଗୋଆ ସହ ବିଶେଷ ସମ୍ପର୍କ ରଖିଛନ୍ତି ଫୁଟ୍‌ବଲ୍ ସହ ଯୋଡ଼ି‌ ହୋଇଥିବାରୁ। ଷ୍ଟାଡିୟମ୍‌କୁ ଘରୋଇ ପଡ଼ିଆ କରିଥିବା ଏଫସି ଗୋଆର ସହକାରୀ ମାଲିକ ହେଉଛନ୍ତି ବିରାଟ କୋହଲି। ଆଇଏସଏଲ୍ ଆରମ୍ଭରୁ ଖେଳି ଆସୁଥିବା ଏହି ଦଳ ସ୍ଥିର ପ୍ରଦର୍ଶନ ସହ ୪ ସେମିଫାଇନାଲ୍ ଓ ୨ ଥର ଫାଇନାଲ୍‌ ଖେଳିଛି। ଲିଗ୍ ବିଜେତା ହୋଇ ଏଏଫ୍‌ସି ଚାଲେଞ୍ଜ ଲିଗ୍‌କୁ ସିଧାସଳଖ ଯୋଗ୍ୟତା ମଧ୍ୟ ଅର୍ଜନ କରିଥିଲା ୨୦୧୯-୨୦ରେ। ୨୦୧୯ରେ ସୁପର୍‌ କପ୍‌ ମଧ୍ୟ ଜିତି ସାରିଛି ଏହି କ୍ଲବ୍‌।

ଫତୋର୍ଦାରେ ଓଡ଼ିଶା ବିଜ୍ଞାପିତ
ଦୁଇ ସପ୍ତାହ ଧରି ଫତୋର୍ଦାରେ ଫିଫା ଯୁବା ବିଶ୍ବକପ୍‌ (୧୭ ବର୍ଷରୁ କମ୍‌ ବାଳିକା)ର ମ୍ୟାଚ୍‌ ଖେଳାଯିବା ବେଳେ ଓଡ଼ିଶା ବି ବିଜ୍ଞାପିତ ହୋଇଥିଲା। ନାଇଜେରିଆ-କଲମ୍ବିଆ ଓ ଜର୍ମାନି-ସ୍ପେନ୍‌ ସେମିଫାଇନାଲ୍ ସମୟରେ ପ୍ରତିଟି ବିରତି ସମୟରେ ପଡ଼ିଆର ପାର୍ଶ୍ବ ବିଜ୍ଞାପନରେ ‘ଓଡ଼ିଶା’ ଲେଖା ପ୍ରଦର୍ଶିତ‌ ହେଉଥିଲା। ଏହା ଦେଖିବା ଥିଲା ଅନନ୍ୟ ଅନୁଭବ। ଅନ୍ୟ ଖେଳ ଭଳି ଫୁଟ୍‌ବଲ୍‌କୁ ସମର୍ଥନ କରି ଓଡ଼ିଶା ସରକାର ବି ବଢ଼ାଇଥିଲେ ସହଯୋଗର ହାତ। ଏହା ପୂର୍ବରୁ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁ‌ଷାରକାନ୍ତି ବେହେରା ମଧ୍ୟ ମାରଗାଓଁ ପରିଦର୍ଶନ କରିଥିଲେ। ସେହିଭଳି ଭୁବନେଶ୍ବରରେ ଗ୍ରୁପ୍‌ ‘ଏ’ର ଅନ୍ତିମ ଲିଗ୍ ଦିବସରେ ଗୋଆ କ୍ରୀଡ଼ା ମନ୍ତ୍ରୀ ଗୋବିନ୍ଦ ଗୌଡ଼େ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ ଆସି ହୋଇଥିଲେ ଅତିଥି। ମାରଗାଓଁରେ ସେମିଫାଇନାଲ୍ ମ୍ୟାଚ୍‌ ଲାଗି ଓଡ଼ିଶାରୁ ଏକ ୧୮ଜଣିଆ କ୍ରୀଡ଼ା ସାମ୍ବାଦିକ ଦଳ ଗସ୍ତ କରିବା ମଧ୍ୟ ଥିଲା ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଦିଗ। ଓଡ଼ିଶାରେ କ୍ରୀଡ଼ା ସାମ୍ବାଦିକତା ପେସାଦାର ସ୍ତରକୁ ଯାଇନଥିବାରୁ ଏହି ଗସ୍ତରେ ଅଧିକାଂଶ ସଦସ୍ୟ ଏକ ଫିଫା ବିଶ୍ବକପ୍‌ର ସେମିଫାଇନାଲ୍ କଭରେଜ୍ କରି ହୋଇଛନ୍ତି ଗୌରବାନ୍ବିତ। ଏଥି ଲାଗି କ୍ରୀଡ଼ା ଓ ଯୁବସେବା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଭିନବ ପ୍ରୟାସକୁ ବି ପ୍ରଶଂସା କରିଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା‌)।

ସମ୍ବନ୍ଧିତ ଖବର