ପାନ୍‌ ପାସିଫିକ୍ ଦୌଡ଼କୁଦ: ବଜ୍ରବାହୁଙ୍କୁ ପୁଣି ରୌପ୍ୟ

ଭୁବନେଶ୍ବର: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ରବିବାର ‌ଶେଷ ହୋଇଥିବା ପାନ୍‌ ପାସିଫିକ ମାଷ୍ଟର୍ସ ଗେମ୍ସରେ ଓଡ଼ିଶାର ବଜ୍ରବାହୁ ସୀମନ୍ତ କେଶରୀ ସାମଲ ରନିବାର ନିଜର ଦ୍ବିତୀୟ ରୌପ୍ୟ ପଦକ ପାଇଛନ୍ତି। ଶନିବାର ୨୦୦ ମିଟର ଦୌଡ଼ରେ ରୌପ୍ୟ ପାଇଥିବା ବଜ୍ରବାହୁ ରବିବାର ୪୦୦ ମିଟର ଦୌଡ଼ରେ ମଧ୍ୟ ରୌପ୍ୟ ପଦକ ପାଇଛନ୍ତି। ୪୫ ବର୍ଷରୁ ଉର୍ଧ୍ବ ବୟସ ବର୍ଗରେ ଭାଗ ନେଇଥିବା ଏହି ଆଇନଜୀବୀ କିନ୍ତୁ ୬୦ ଏବଂ ୧୦୦ ମିଟରରେ ସମାନ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଯାଜପୁରରୋଡ ବ୍ୟାସନଗର ନିବାସୀ ବଜ୍ରବାହୁ ବିଗତ ଦୁଇ ବର୍ଷ ଭିତରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ୨୦୧୭ରେ ମାଲେସିଆ ଅନ୍ତର୍ଜାତୀୟ ମିଟରେ ୨୦୦ ମିଟର କାଂସ୍ୟ, ଆଲ୍ଲାହାବାଦ ଜାତୀୟ ମାଷ୍ଟର୍ସରେ ୧୦୦ ଓ ୨୦୦ ମିଟରରେ ସ୍ବର୍ଣ୍ଣ, ନୂଆଦିଲ୍ଲୀ ଜାତୀୟ ମାଷ୍ଟର୍ସରେ ୧୦୦ ଓ ୨୦୦ ମିଟର୍ ସ୍ବର୍ଣ୍ଣ, ୨୦୧୮ରେ ଚଣ୍ଡୀଗଡ଼ ଜାତୀୟ ମାଷ୍ଟର୍ସରେ ମଧ୍ୟ ସମାନ ଦ୍ବିମୁକୁଟ ବଜାୟ ରଖିଥିଲେ।

ସମ୍ବନ୍ଧିତ ଖବର