ପ୍ୟାରିସ ଅଲିମ୍ପିକ୍ସରେ ନୂଆ ଖେଳ ‘ବ୍ରେକିଂ’: ଓଡ଼ିଶାରେ ଜାତୀୟ ସଂଘ, ବିଶ୍ବଜିତ୍‌ ମହାନ୍ତି ସମ୍ପାଦକ

ଭୁବନେଶ୍ୱର: ଆସନ୍ତା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଏକ ନୂଆ ଖେଳ ‘ବ୍ରେକିଂ’କୁ ସାମିଲ କରାଯାଇଛି। ଏହି ନିଆରା ଖେଳ ଅନ୍ତର୍ଗତ ସଙ୍ଗୀତ ଟ୍ରାକ୍‌ର ତାଳେ ତାଳେ ନିଜ ନୃତ୍ୟ ଦକ୍ଷତାର କଳାକୌଶଳ ବିଚାରକଙ୍କ ସମ୍ମୁଖରେ ପ୍ରତିଯୋଗୀମାନେ ପରିବେଷଣ କରିବେ। ୨୦୧୮ ଯୁବ ଅଲିମ୍ପିକ୍ସରେ ଏହି ପ୍ରତିଯୋଗିତା ସାମିଲ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି। ଏହି ଖେଳର ଅଧିକ ପ୍ରଚାର ପ୍ରସାର କରିବା ଦିଗରେ ବିଶ୍ବ ନୃତ୍ୟ କ୍ରୀଡ଼ା ମହାସଂଘ ସହ ଭାରତ ତଥା ଅନ୍ୟ ୯୩ ଦେଶ ସାମିଲ ଅଛନ୍ତି। ଭାରତରେ ଏହି କ୍ରୀଡାକୁ ଭାରତୀୟ ନୃତ୍ୟ କ୍ରୀଡ଼ା ମହାସଂଘ ଲୋକପ୍ରିୟ କରିବା ଲାଗି ଉଦ୍ୟମ ଜାରି ରଖିଛି। ଭାରତୀୟ ଅଲିମ୍ପିକ୍ସ ସଂଘରୁ ମାନ୍ୟତା ପାଇଥିବା ଏହି ମହାସଂଘର ଜାତୀୟ ସଭାପତି ଭାବେ ଅରବିନ୍ଦ କୁମାର ଥିଲା ବେଳେ ଓଡିଆ ପୁଅ ବିଶ୍ବଜିତ ମହାନ୍ତି ଜାତୀୟ ସମ୍ପାଦକ ଦାୟିତ୍ବ ତୁଲାଉଛନ୍ତି। ୧୬ଟି ରାଜ୍ୟ ସଂଘକୁ ନେଇ ଜାତୀୟ ମହାସଂଘ ଗଠିତ ହୋଇଛି।

ମହାସଂଘର ସମ୍ପାଦକ ବିଶ୍ବଜିତ ମହାନ୍ତି କହିଛନ୍ତି ଯେ ଆମେ ଏବେ ୨୦୨୪ ଅଲମ୍ପିକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରତିଯୋଗିତା ଆ‌ୟୋଜନ କରିବା ସହ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ପ୍ରସ୍ତୁତି ଆରମ୍ଭ କରିଛୁ। ଖେଳାଳି ଚୟନ ଲାଗି ମୁମ୍ବାଇରେ ଜାତୀୟ ପ୍ରତିୀଯୋଗିତା ଅନୁଷ୍ଠିତ ହୋଇସାରିଛି। ଏହିଠାରୁ ଡିସେମ୍ବର ୪ ତାରିଖରେ ପ୍ୟାରିସଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ନୃତ୍ୟ କ୍ରୀଡ଼ା ଚାମ୍ପିଅନସିପ୍ ଲାଗି ୪ ଜଣ ଖେଳାଳି (୨ ପୁଅ, ୨ ଝିଅ)ଙ୍କୁ ଚୟନ କରାଯାଇଛି। ୨୦୨୨ ମାର୍ଚ୍ଚରେ ବ୍ୟାଂକକ୍‌ରେ ଏସିଆନ୍‌ ଇନଡୋର ପ୍ରତିଯୋଗିତା ଲାଗି ମଧ୍ୟ ଆମେ ପ୍ରସ୍ତୁତ ଅଛୁ। ଆମ ଦେଶରେ ବହୁତ ଭଲ ବ୍ରେକିଂ ନୃତ୍ୟଶିଳ୍ପୀ ଅଛନ୍ତି। ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଆସାମ ଓ ମିଜୋରମରୁ ପ୍ରତିଭାବାନ ନୃତ୍ୟଶିଳ୍ପୀଙ୍କୁ ଚୟନ କରାଯାଇଛି। ବରିଷ୍ଠ ବର୍ଗ ପ୍ରତିଯୋଗିତା ପରେ ଆମେ ସମ୍ଭାବ୍ୟ ଦଳ ପ୍ରସ୍ତୁତ କରି ସେମାନଙ୍କୁ ତାଲିମ ଦେବୁ। ଏଥିପାଇଁ ମାଲେସିଆ, ୟୁକ୍ରେନ ଏବଂ ଜର୍ଜିଆରୁ ପ୍ରଶିକ୍ଷକ ଆଣୁଛୁ। ବିଶ୍ବ ବ୍ରେକିଂ ପ୍ରତିଯୋଗିତାରେ ଆମେରିକା, ଦକ୍ଷିଣକୋରିଆ, ଜାପାନ ଏବଂ ୟୁକ୍ରେନ ଖେଳାଳିଙ୍କ ପ୍ରାଧାନ୍ୟ ରହିଛି। ତାଲିମ ଓ ପ୍ରୋତ୍ସାହନ ମିଳିଲେ ଆମ ପିଲା ବି ଭଲ ପ୍ରଦର୍ଶନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର