ବ୍ରହ୍ମପୁରରେ ଜାତୀୟ ମହିଳା ମୁଷ୍ଟି ଯୁଦ୍ଧ: ଆସିବେ ମେରିକମ୍‌

ବ୍ରହ୍ମପୁର: ଆସନ୍ତା ୩ରୁ ୭ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଷ୍ଟାଡିୟମରେ ସପ୍ତଦଶ ଜାତୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଅଲିମ୍ପିକ୍‌ ପଦକ ବିଜୟିନୀ ଏମ୍‌ସି ମେରିକମ୍‌ ଏଥିରେ ଯୋଗ ଦେବାପାଇଁ ସମ୍ମତି ଜଣାଇଛନ୍ତି। ଆଇଏବିଏଫ୍‌ (ଇଣ୍ଡିଆନ୍‌ ଆମେଚର୍‌ ବକ୍ସିଂ ଫେଡେରେସନ୍‌) ସ୍ୱୀକୃତିପ୍ରାପ୍ତ ବକ୍ସିଂ ଓଡ଼ିଶା ପକ୍ଷରୁ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସମ୍ମିଳନୀରେ ବକ୍ସିଂ ଓଡ଼ିଶାର ସଭାପତି ଟି କ୍ରିଷ୍ଣା ପାତ୍ର, ସାଧାରଣ ସମ୍ପାଦକ କବିରାଜ ଗୌଡ଼, ଉପ ସଭାପତି ଶୁଖେନ୍ଦୁ କୁମାର ଦାସ, ଯୁଗ୍ମ ସମ୍ପାଦକ ଟି ଭେଙ୍କଟ ରାଓ, ଆୟୋଜକ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତା ଆୟୋଜନ ନେଇ ଛତ୍ରପୁରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବକ୍ସିଂ ଓଡ଼ିଶାର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପ୍ରତିଯୋଗିତାର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରାଶାସନିକ ସହଯୋଗ ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର