ନୂଆଦିଲ୍ଲୀ: ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର କିରଣ ପୋଲାର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୦ ନିଲାମରେ କିଣିଥିଲା। ତେବେ ପୋଲାର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନେବା ପଛରେ ଅନ୍ୟତମ ଇଣ୍ଡିଜ୍ ଖେଳାଳି ଡ୍ବେନ୍ ବ୍ରାଭୋଙ୍କ ହାତ ରହିଥିଲା। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ବ୍ରାଭୋ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ହେଲେ ବ୍ରାଭୋଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ନେବା ପରେ ମୁମ୍ବାଇ ତାଙ୍କ ବଦଳରେ ଜଣେ ଖେଳାଳି ଖୋଜିଥିଲା। ସେତେବେଳେ ପୋଲାର୍ଡଙ୍କ ନାଁ ବ୍ରାଭୋ ସୁପାରିସ କରିଥିଲେ ବୋଲି ଗୁରୁବାର ଏକ ସାକ୍ଷାତକାରରେ କହିଛନ୍ତି। ‘‘ମୁଁ ଦଳ ଛାଡ଼ିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ମୋ ବଦଳ ଖେଳାଳି ଖୋଜିଥିଲା। ମୁଁ କିରଣ ପୋଲାର୍ଡଙ୍କ ନାଁ ଦେଇଥିଲି। ସେମାନେ ପୋଲାର୍ଡଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ ଗୋଟେ କ୍ଲବ୍ ପକ୍ଷରୁ ଖେଳୁଥିବାରୁ ମୋ ବଦଳ ଖେଳାଳି ଭାବେ ମୁଁ ଡ୍ବେନ୍ ସ୍ମିଥ୍ଙ୍କ ନାଁ ସୁପାରିସ କରିଥିଲି।’’ ବୋଲି ବ୍ରାଭୋ କହିଛନ୍ତି।
‘‘ଏହା ପର ବର୍ଷ ଚାମ୍ପିଅନ୍ସ ଲିଗ୍ ଚାଲିଥିଲା ବେଳେ, ମୁଁ ରାହୁଲ (ସାଙ୍ଗଭି)ଙ୍କୁ ଡାକି କହିଲି, ପୋଲାର୍ଡ ଏଠାରେ ଅଛନ୍ତି। ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଆସ ଏବଂ ତାଙ୍କ ସହ ଚୁକ୍ତି କର। ରାହୁଲ ଏବଂ ରବିନ୍ ସିଂହ ମୁମ୍ବାଇରୁ ଆସି ହାଇଦ୍ରାବାଦ ପହଞ୍ଚିଥିଲେ। ସେମାନେ ୨୦୦,୦୦୦ ଡଲାରରେ ଚୁକ୍ତି କରିବା ପାଇଁ ଆସିଥିଲେ। ଯାହାକୁ ମୁଁ କଦାପି ଭୁଲି ପାରିବି ନାହିଁ। ମୁଁ ପୋଲାର୍ଡଙ୍କୁ ଡାକିଲି, ସିଏ ତଳ ମହଲାକୁ ଆସି ଲବିରେ ଉଭୟଙ୍କ ସହ ସାକ୍ଷାତ କରିଥିଲେ। ସେ ଚୁକ୍ତିନାମା ଦେଖିଥିଲେ। ସେ କହିଥିଲେ, ‘‘ଡ୍ବେନ୍ ତୁମେ ଚିନ୍ତାଶୀଳ କି?’’ ବୋଲି ବ୍ରାଭୋ ଏହି ସାକ୍ଷାତକାର ଅବସରରେ ପୁରୁଣା ସ୍ମୃତିକୁ ମନେ ପକାଇ କହିଛନ୍ତି। ସେହି ପୋଲାର୍ଡ ଏବେ ୫ ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଜଣେ ନିୟମିତ ତଥା ଗୁରୁତ୍ବପୂର୍ଣ୍ଣ ସଦସ୍ୟ ବନି ଯାଇଛନ୍ତି। ସେ ମୁମ୍ବାଇ ପାଇଁ ୧୫୦.୮୭ ହାରରେ ୩୧୯୧ ରନ୍ କରିଥିଲା ବେଳେ ୬୩ ୱିକେଟ୍ ଅକ୍ତିଆର କରିଛନ୍ତି।