ଆବୁଧାବି: ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟର୍ କ୍ରିସ ଗେଲ୍ଙ୍କ ଝଡ଼ ଥମିଯାଇଛି। ଗତ ୧୦ ଅନ୍ତର୍ଜାତୀୟ ଟି-୨୦ ପାଳିରେ ୟୁନିଭର୍ସାଲ ବସ୍ ଭାବେ ପରିଚିତ ଗେଲ୍ଙ୍କ ବ୍ୟାଟ୍ ଗର୍ଜି ପାରିନଥିଲା। ଶେଷ ୧୦ ପାଳିରେ ତାଙ୍କ ସ୍କୋର୍ ଥିଲା ୧୫, ୧, ୪, ୧୨, ୧୩, ୧୨*, ୧*, ୧୬, ୭ ଓ ୨୧। ତାଙ୍କ ସାଥୀ ଡ୍ବାନ୍ ବ୍ରାଭୋ ଚଳିତ ବିଶ୍ବକପ୍ରେ ଅବସର ଘୋଷଣା କରିଥିଲା ବେଳେ ଏତେ ଖରାପ ପ୍ରଦର୍ଶନ ସତ୍ତ୍ବେ ଗେଲ୍ ଏହି କଥା ଚିନ୍ତା କରିନାହାନ୍ତି। ତଥାପି ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ତାଙ୍କ ଭାବଭଙ୍ଗୀ ଅବସର ବିଷୟରେ ସୂଚନା ଦେଉଥିଲା। ଗେଲ୍ ଏହି ମ୍ୟାଚ୍ରେ ୯ ବଲ୍ରେ ୧୫ ରନ୍ କରି ଆଉଟ୍ ହୋଇ ଆସିଲା ବେଳେ ଦର୍ଶକଙ୍କ ଆଡ଼କୁ ନିଜ ଗ୍ଲୋବ୍ସ ଦେଖାଇଥିଲେ। ଏଥିସହ ବାଉଣ୍ଡରି ରୋପ୍ ଡେଇଁଲା ପରେ ନିଜ ସାଥୀ ଖେଳାଳି ଆନ୍ଦ୍ରେ ରସେଲ ଓ ବ୍ରାଭୋଙ୍କୁ ଭାବବିହ୍ବଳ ହୋଇ କୁଣ୍ଢାଇ ପକାଇଥିଲେ। ବିଜେତା ୱେଷ୍ଟ୍ଇଣ୍ଡିଜ୍ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ହାରିବା ପରେ ଅଷ୍ଟ୍ରେଲିଆ ଖେଳାଳି ଗେଲ୍ଙ୍କ ସହ ବ୍ରାଭୋଙ୍କୁ ଗାର୍ଡ ଅଫ୍ ଅନର୍ ଦେଇଥିଲେ। ବ୍ରାଭୋ ଏହି ମ୍ୟାଚ୍ ପୂର୍ବରୁ ନିଜ ଅବସର ବିଷୟରେ ଘୋଷଣା କରିସାରିଥିଲେ। ଏବେ ୪୨ ବର୍ଷୀୟ ଗେଲ୍ଙ୍କ ମୁହଁରୁ ଅବସର ବିଷୟରେ ଶୁଣିବା ବାକି ରହିଛି। ୧୯୯୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଗେଲ୍ ୭୯ ଟି-୨୦ ଖେଳି ୨୮.୧୧ ହାରାହାରି ଓ ୧୩୭.୨୧ ଷ୍ଟ୍ରାଇକ୍ରେଟ୍ରେ ୧,୮୯୯ ରନ୍ କରିଛନ୍ତି। ଏଥିସହ ଇଣ୍ଡିଜ୍ର ଏହି ପୂର୍ବତନ ଅଧିନାୟକ ୧୦୩ ଟେଷ୍ଟ୍ରୁ ୭,୨୧୪ ରନ୍ ଏବଂ ୩୦୧ ଦିନିକିଆରୁ ୧୦,୪୮୦ ରନ୍ କରିଛନ୍ତି। ଟି-୨୦ରେ ସେ ୨ ଶତକ ଓ ୧୪ ଅର୍ଦ୍ଧଶତକ ମାରିଥିଲା ବେଳେ ୧୯ ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି। ଟି-୨୦ କ୍ରିକେଟ୍ରେ ଗେଲ୍ ୪୪୫ ପାଳି ଖେଳି ୨୨ ଶତକ ସହ ୧୪,୩୨୧ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଟି-୨୦ରେ ସର୍ବୋଚ୍ଚ ରନ୍ର କୀର୍ତ୍ତିମାନ ରହିଛି। ୨୦୧୩ ଆଇପିଏଲ୍ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ଗୋଟିଏ ପାଳିରେ ୬୬ ବଲ୍ରେ ୧୭୫ ରନ୍ କରିଥିଲେ।
ଆବୁଧାବି: ଚଳିତ ଟି-୨୦ ବିଶ୍ବକପ୍ର ଶେଷ ଲିଗ୍ ମ୍ୟାଚ୍ ପରେ ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର ଡ୍ବାନ୍ ବ୍ରାଭୋ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି। ପୂର୍ବରୁ ୨୦୧୮ରେ ସେ ଅବସର ଘୋଷଣା କରିଥିଲେ। ହେଲେ ୨୦୧୯ରେ ନିଷ୍ପତ୍ତି ବଦଳାଇ ପୁଣି ଥରେ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ବକପ୍ ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ହୋଇଛି। ତାଙ୍କୁ ଏହି ମ୍ୟାଚ୍ ପୂର୍ବରୁ ଦଳୀୟ ଖେଳାଳିଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଅଷ୍ଟ୍ରେଲିଆ ଖେଳାଳିମାନେ ଏହି ଅଲ୍ରାଉଣ୍ଡରଙ୍କ ସହ ଅବସର ଘୋଷଣା କରିନଥିବା କ୍ରିସ ଗେଲ୍ଙ୍କୁ ମଧ୍ୟ ଗାର୍ଡ ଅଫ୍ ଅନର ଦେଇଥିଲେ। ଦୁଇ ଥରର ବିଜେତା ୱେଷ୍ଟଇଣ୍ଡିଜ୍ (୨୦୧୨, ୨୦୧୬) ପ୍ରଥମ ଥର ଲାଗି ୨୦୧୦ ପରେ ନକ୍ ଆଉଟ୍ରେ ପହଞ୍ଚିବାରେ ବିଫଳ ହୋଇଛି। ବ୍ରାଭୋ ଇଣ୍ଡିଜ୍ର ଏହି ଦୁଇ ବିଶ୍ବ ବିଜେତା ଦଳର ସଦସ୍ୟ ରହିଥିଲେ। ୨୦୦୪ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ୩୮ ବର୍ଷୀୟ ବ୍ରାଭୋ ନିଜର ଶେଷ ମ୍ୟାଚ୍ରେ ୧୦ ରନ୍ କରିଥିଲେ ହେଲେ ୱିକେଟ୍ ଶୂନ୍ୟ ରହିଥିଲେ।