ବ୍ରାଜିଲ୍‌ ବିଜୟ ଜାରି

କୋଚି: ବରିଷ୍ଠ ସ୍ତରୀୟ ଫୁଟ୍‌ବଲ୍‌ରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳର ମାନ୍ୟତା ପାଇ ସାରିଥିବା ଲାଟିନ ଆମେରିକୀୟ ଦେଶ ବ୍ରାଜିଲ କନିଷ୍ଠ ସ୍ତରରେ ମଧ୍ୟ ଯାଦୁ ଦେଖାଇଛି। ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରି ଗ୍ରୁପ୍‌-ଡିର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ତା’ ସହ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳିଥିବା ନିଜ ଦ୍ୱିତୀୟ ମୁକାବିଲାରେ ବ୍ରାଜିଲ ଏକତରଫା ଭାବେ ଉତ୍ତର କୋରିଆକୁ ୨-୦ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ୨ ମ୍ୟାଚ୍‌ରୁ ପୂରା ୬ ପଏଣ୍ଟ ଅର୍ଜନ କରି ଗ୍ରୁପ୍‌-ଡି ପଏଣ୍ଟ ତାଲିକାର ଦ୍ୱିତୀୟରୁ ପ୍ରଥମକୁ ଉଠିଛି।
ମଙ୍ଗଳବାର ରାତିରେ କୋଚିର ଜବାହରଲାଲ ନେହରୁ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧରେ ବ୍ରାଜିଲର ସବୁ ଆକ୍ରମଣକୁ ଉତ୍ତର କୋରିଆ ଅକାମି କରି ଦେଇଥିଲା। ଏହି ଦେଶର ସଜାଗ ରକ୍ଷଣଭାଗ ବ୍ରାଜିଲର ସବୁ ପ୍ରୟାସକୁ ବିଫଳ କରି ଦେଇଥିଲେ। ହେଲେ ଦ୍ୱିତୀୟାର୍ଧରେ ବ୍ରାଜିଲ ବାଜି ମାରି ନେଇଥିଲା। ନିଜ ଆକ୍ରମଣାତ୍ମକ ଶୈଳୀକୁ ଜାରି ରଖି ପାଞ୍ଚ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ବିଜୟର ସ୍ୱାଦ ଚାଖିଥିଲା। ହାଲିଆ ହୋଇ ଆସୁଥିବା ଉତ୍ତର କୋରିଆ ରକ୍ଷଣଭାଗକୁ ଲିଙ୍କୋଲିନ ପ୍ରଥମେ ଭେଦ କରିଥିଲେ। ୫୬ ମିନିଟ୍‌ରେ ସେ ଦେଇଥିବା ଗୋଲ୍‌ ବଳରେ ବ୍ରାଜିଲ ଆଗୁଆ ହୋଇ ଯାଇଥିଲା। ୬୧ ମିନିଟ୍‌ରେ ପୌଲିନୋ ଆଉ ଏକ ଚମତ୍କାର ଗୋଲ୍‌ ଦେଇ ବ୍ରାଜିଲକୁ ୨-୦ରେ ଆଗୁଆ କରି ଦେଇଥିଲେ। ଉତ୍ତର କୋରିଆ ବଳକା ୨୯ ମିନିଟ୍‌ ଖେଳରେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବ୍ରାଜିଲ ଗୋଲ୍‌ ରକ୍ଷକଙ୍କୁ ଚକମା ଦେଇ ପାରି ନଥିଲା। ଫଳରେ ଦୁଇଟି ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇଥିଲା।

ସମ୍ବନ୍ଧିତ ଖବର