କୋପା ଆମେରିକା: ପେରୁକୁ ହରାଇଲା ବ୍ରାଜିଲ

ପେଲେଙ୍କ ନିକଟତର ହେଲେ ନେମାର

ରିଓ ଡି’ଜେନିରୋ : ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବ୍ରାଜିଲର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ଭେନ୍‌ଜୁଏଲାକୁ ପରାସ୍ତ କରିଥିବା ଏହି ବିଜେତା ଦଳ ଶୁକ୍ରବାର ପେରୁ ବିପକ୍ଷ ମ୍ୟାଚ୍‌କୁ ୪-୦ ଗୋଲ୍‌ରେ ଜିତିନେଇଛି। ବିଜୟ ସହ ‌ବ୍ରାଜିଲ ଏହି ପ୍ରତି‌ଯୋଗିତାର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିବାର ପ୍ରଥମ ଦଳ ହେବାର ଗୌରବ ଅର୍ଜନ କରିଛି। ଏଥିସହ ଏହି ଦଳ ଗ୍ରୁପ୍‌-ବି’ର ଶୀର୍ଷ ସ୍ଥାନ ଦଖଲ କରିଛି।

ମ୍ୟାଚ୍‌ର ୧୨ତମ ମିନିଟ୍‌ରେ ଆଲେକ୍ସ ସାଣ୍ଡ୍ରୋଙ୍କ ଗୋଲ୍‌ରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ଥିବା ଘରୋଇ ଦଳ ଦ୍ବିତୀୟାର୍ଦ୍ଧରେ ପେରୁକୁ ମଧ୍ୟ କୌଣସି ସୁଯୋଗ ଦେଇନଥିଲା। ନେମାର ୬୮ତମ ମିନିଟ୍‌ରେ ବ୍ରାଜିଲ ପାଇଁ ଦ୍ବିତୀୟ ଗୋଲ୍‌ ସ୍କୋର୍‌ କରିଥିଲେ। ବ୍ରାଜିଲର ଶେଷ ୪ ମ୍ୟାଚ୍‌ରେ ନେମାରଙ୍କ ଏହା ଚତୁର୍ଥ ଗୋଲ୍‌ ହୋଇଥିଲା ଏବଂ ମୋଟ ଉପରେ ୬୮ତମ ଗୋଲ୍‌। ଏଥିସହ ନେମାର ନିଜ ଦେଶର ସର୍ବକାଳୀନ ଗୋଲ୍‌ ସ୍କୋରର୍‌ ତାଲିକାରେ ରୋନାଲ୍‌ଡୋଙ୍କୁ ପଛରେ ପକାଇଦେଇଥିଲା ବେଳେ ଏବେ ପେଲେ (୭୭ ଗୋଲ୍‌, ୯୨ ମ୍ୟାଚ୍‌)ଙ୍କ କୀର୍ତ୍ତିମାନର ନିକଟତର ହୋଇଛନ୍ତି। ଶେଷ ଦୁଇ ମିନିଟ୍‌ରେ ଏଭର୍ଟନ ରିବିରୋ (୮୯ ମିନିଟ୍‌) ଏବଂ ରିଚାରଲିସନ (୯୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ‌ଦେଇ ବ୍ରାଜିଲକୁ ୪-୦ ବିଜୟ ଭେଟି ଦେଇଥିଲେ। ବ୍ରାଜିଲ ଯେତେ‌ଥର କୋପା ଆମେରିକା ପ୍ରତିଯୋଗିତାର ଆୟୋଜକ ହୋଇଛି ସେତେଥର ବିଜୟୀ ହୋଇଛି। ଚଳିତ ବର୍ଷ ମଧ୍ୟ ଏହି ଧାରା ବଜାୟ ରଖିବାର ଆଶା ରଖିଛି ବ୍ରାଜିଲ।
ଶୁକ୍ରବାର ଗୋଏନିଆରେ ‌ଖେଳାଯାଇଥିବା କଲମ୍ବିଆ-ଭେନେଜୁଏଲା ମ୍ୟାଚ୍‌ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଫଳରେ ପ୍ରଥମ ମ୍ୟାଚ୍‌ରେ ଇକ୍ବେଡରକୁ ହରାଇଥିବା କଲମ୍ବିଆ ୨ ମ୍ୟାଚ୍‌‌ ପରେ ୪ ପଏଣ୍ଟ୍‌ ସହ ବ୍ରାଜିଲ ପଛକୁ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଭେନେଜୁଏଲା (୧ ପଏଣ୍ଟ୍‌) ତୃତୀୟରେ ରହିିଛି।

ସମ୍ବନ୍ଧିତ ଖବର